Wednesday 18 April 2018

ଯୌନହିଂସା ଓ ଦଣ୍ଡ ବ୍ୟବସ୍ଥା




ଏକ ସାମାଜିକ ପ୍ରାଣୀ ଭାବେ କଠୁଆ ଓ ଉନ୍ନାଓଠାରେ ସଂଘଟିତ ଘଟଣା ଉପରେ ଆମେ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ? ଅନ୍ତର୍ଜାତୀୟ ସ୍ତରରେ ଭାରତର ବଦନାମ ବଢ଼ିବାରେ ଲାଗିଛି କାରଣ ଯୌନହିଂସା ଦୁଷ୍ଟିରୁ ମହିଳା ଓ ଶିଶୁ ଏଠାରେ ସୁରକ୍ଷିତ ନୁହନ୍ତି। ଏପରି ଘଟଣାକୁ ଆମେ କାହିଁକି ବନ୍ଦ କରିପାରୁ ନାହୁଁ ଏବଂ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯୌନହିଂସା ହ୍ରାସ ପାଇପାରିବ? ଏପରି ହିଂସାକୁ ବନ୍ଦ କରିବା ପାଇଁ ସରକାର କିଛି କରିବା ଉଚିତ କହି ଆମେ ନିଜର ଭୂମିକାକୁ ଗୌଣ କରିଦେଉଛୁ। ତେବେ ସରକାର ଏ ବାବଦରେ କଣ କରିବା ଉଚିତ, ସେ ବିଷୟରେ ପ୍ରଥମେ ଆଲୋଚନା କରାଯାଉ।

ଯୌନ ହିଂସା ଓ ବଳାତ୍କାରକୁ ରୋକିବା ପାଇଁ ଦୁଇଟି ଜିନିଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମଟି ହେଉଛି ବିଧାୟିକା (ଲେଜିସ୍‌ଲେଶନ)। ଅନେକ ସମୟରେ ଦାବି ଉଠୁଛି- ବଳାତ୍କାରୀମାନଙ୍କୁ ଫାଶୀ ଦିଅ। ଏପରି କଠିନ ଦଣ୍ଡ ବ୍ୟବସ୍ଥା କଥା ଚିନ୍ତା କରି କେହି ଆଉ ଏପରି ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ ବୋଲି ଦାବି କରୁଥିବା ଲୋକମାନଙ୍କର ବିଶ୍ୱାସ। କିନ୍ତୁ ଏହାର ଅନେକ ବିରୁଦ୍ଧ ମତ ମଧ୍ୟ ରହିଛି। ଗୋଟିଏ ବିରୁଦ୍ଧ ମତ ଅନୁସାରେ ହତ୍ୟା ଓ ବଳାତ୍କାର ପାଇଁ ଯଦି ସମାନ ଦଣ୍ଡ ବ୍ୟବସ୍ଥା ହୁଏ, ତେବେ ବଳାତ୍କାର ପରେ ଅପରାଧୀ ସମସ୍ତ ସାକ୍ଷୀ ପ୍ରମାଣ ନଷ୍ଟ କରିଦେବା ପାଇଁ ସମ୍ପୃକ୍ତ ପୀଡ଼ିତାକୁ ହତ୍ୟା କରିଦେବ। ତେବେ ବର୍ତ୍ତମାନ ସେ ପ୍ରସଙ୍ଗ ଥାଉ। ରାଜନେତାମାନେ ମଧ୍ୟ ଏହି ସମାଧାନର ପକ୍ଷପାତୀ ଏବଂ ନିକଟରେ ଘଟିଥିବା ଘଟଣା ପରିପ୍ରେକ୍ଷୀରେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ ସପକ୍ଷରେ ଗଣମାଧ୍ୟମରେ ଅନେକ ରାଜନେତାଙ୍କ ମତ ପ୍ରକାଶ ପାଇଥିବାର ଦେଖାଯାଏ।
ଭାରତରେ ହତ୍ୟା ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। କିନ୍ତୁ ହତ୍ୟାକାଣ୍ଡ ବନ୍ଦ ହୋଇଯାଇଛି କି? ୨୦୧୬ ମସିହାରେ ଭାରତର ବିଭିନ୍ନ କୋର୍ଟ ୧୩୬ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ ସେହି ବର୍ଷ ଭାରତରେ ୩୦,୦୦୦ରୁ ଅଧିକ ହତ୍ୟାକାଣ୍ଡ ଘଟିଛି। ମୃତ୍ୟୁଦଣ୍ଡର ଭୟ ହତ୍ୟା ଅପରାଧକୁ କମାଇପାରି ନାହିଁ। ଆମ ଆଇନରେ ମଧ୍ୟ କ୍ଷମା ଆବେଦନ ଓ କ୍ଷମା ଦେବାର ବ୍ୟବସ୍ଥା ଅଛି। ସେଥିପାଇଁ ୨୦୧୬ରେ ପ୍ରକୁତରେ ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କ ସଂଖ୍ୟା ଶୂନ। ବଳାତ୍କାରୀକୁ ଫାଶୀ ଦିଅ ବୋଲି ଦାବି କରିବା ବେଳେ ଆମେ ଏହା ବୁଝିବା ଦରକାର।
ବର୍ତ୍ତମାନ ବଳାତ୍କାର ଓ ଯୌନ ଅପରାଧର ସଂଖ୍ୟାକୁ ଦେଖାଯାଉ। ଭାରତରେ ପଞ୍ଜୀକୁତ ହୋଇଥିବା ବଳାତ୍କାର ସଂଖ୍ୟା ୩୮,୯୪୭ ଏବଂ ଶିଶୁମାନଙ୍କ ବିରୋଧରେ ୧୦୬,୦୦୦ ଅପରାଧ ଘଟିଛି। ତେବେ ଏହା ପ୍ରକୁତ ବଳାତ୍କାର ସଂଖ୍ୟା ହୋଇ ନ ପାରେ, କାରଣ ସରକାରୀ ତଥ୍ୟରୁ ଜଣାଯାଏ ଯେ, ଭାରତରେ ଯୌନ ହିଂସାର ଶିକାର ହେଉଥିବା ୯୯% ପୀଡ଼ିତା ପୋଲିସ ଆଗରେ ଅଭିଯୋଗ କରନ୍ତି ନାହିଁ। ଆମେରିକାରେ ୧୦୦୦ ବଳାତ୍କାର ଓ ଯୌନ ହିଂସାରୁ ୩୧୦ (ଅର୍ଥାତ୍‌ ୩୧%) ରିପୋର୍ଟ କରାଯାଏ। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ବା ୧%ରୁ କମ୍‌ ଜେଲ ଯାଆନ୍ତି। ତା ମାନେ ନ୍ୟାୟ ଦେବାରେ କେବଳ ଆମେ ବିଫଳ ହେଉ ନାହୁଁ।
ବଳାତ୍କାର ହେଉଛି ଏକ ବ୍ୟକ୍ତିଗତ ଅପରାଧ, ଯାହାକୁ ପଦାରେ ପ୍ରକାଶ କରିବା ସହଜ ନୁହେଁ। ସାମାଜିକ ପ୍ରସଙ୍ଗଗୁଡ଼ିକ ଭିତରେ ଅଛି ନାରୀର ସ୍ଥିତି ଓ ସମାଜରେ ନାରୀ ପ୍ରତି ବ୍ୟବହାର। ନାରୀ ହେଉଛି ପରିବାରର ସମ୍ମାନ ଏବଂ ଯେତେବେଳେ ନାରୀଟି ଯୌନ ଆକ୍ରମଣର ଶିକାର ହୁଏ, ସେତେବେଳେ ପରିବାରର ସମ୍ମାନ କ୍ଷୁଣ୍ଣ ହୁଏ। ତେଣୁ ସମ୍ପୃକ୍ତା ନାରୀ ନିଜ ପରିବାରରେ ବି କଥାଟାକୁ ଲୁଚାଇଥାଏ, ବାହାରେ ଥାନାରେ ପ୍ରକାଶ କରିବା ଦୂରେ ଥାଉ।
ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ସେ ଆଇନ ଅନୁଯାୟୀ କାର୍ଯ୍ୟ କରେ। ଆଇନ ଅନୁଯାୟୀ ସମ୍ପୃକ୍ତ ମହିଳା କେବଳ ଅପରାଧ ଘଟିଥିବା ଅଞ୍ଚଳର ଥାନାରେ ନୁହେଁ, ଯେକୌଣସି ଥାନାରେ ଅଭିଯୋଗ କରିପାରିବ ଏବଂ ଯେକୌଣସି ଭାଷାରେ ତାର ବୟାନ ରେକର୍ଡ କରିବାକୁ ଅନୁରୋଧ କରିପାରିବ। କିନ୍ତୁ ଅଧିକାଂଶ ଥାନାରେ ସ୍ଥାନୀୟ ଭାଷାରେ ବୟାନ ରେକର୍ଡ କରିବାକୁ ପସନ୍ଦ କରନ୍ତି, କାରଣ ଥାନାରେ ଇଂଲିଶ କହିବା ଓ ବୁଝିବା ଲୋକ କମ୍‌ ଥାନ୍ତି। ପୁଣି ଜଣେ ମହିଳା ପୋଲିସ ବୟାନ ରେକର୍ଡ କରିବାର ନିୟମ ଥିବା ବେଳେ ତାହା ବି ସମ୍ଭବ ହୁଏ ନାହିଁ, କାରଣ ସବୁ ଥାନାରେ ମହିଳା ପୋଲିସ ଅଫିସର ନ ଥାନ୍ତି।
ଯୌନ ଅପରାଧ ନିୟନ୍ତ୍ରଣ ପାଇଁ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ରହିଛି। ପରିବାର ସ୍ତରରେ ମହିଳାଙ୍କ ପ୍ରତି ମନୋଭାବ ଓ ବ୍ୟବହାରରେ ପରିବର୍ତ୍ତନ ଦରକାର। ଥାନାରେ ଅଭିଯୋଗ ଦରଜ କରାଯିବା ନେଇ ଯେଉଁ ନିୟମକାନୁନ ରହିଛି, ତାହା ଠିକ୍‌ଭାବେ ପାଳନ କରାଯିବା ଉଚିିତ। ଏହାଦ୍ୱାରା ଅନ୍ତତଃ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇପାରିବ। ଅଭିଯୋଗ ହାର ବୃଦ୍ଧି ପାଇବା ପରେ ସେଗୁଡ଼ିକର ତଦନ୍ତ ଯେପରି ଠିକ୍‌ ଭାବରେ ହୁଏ, ତାହା ବି ସୁନିଶ୍ଚିତ କରାଯିବା ଦରକାର। ତାହେଲେ ଦୋଷୀସାବ୍ୟସ୍ତ ସଂଖ୍ୟା ଓ ଦଣ୍ଡ ହାର ବୃଦ୍ଧି ପାଇବ। ରାଜନେତାମାନେ ଜାଣିଛନ୍ତି ଯେ, ଏସବୁ ଅତ୍ୟନ୍ତ କଷ୍ଟକର। ତେଣୁ ସେମାନଙ୍କ ପାଇଁ ସହଜ ବାଟ ହେଲା ଫାଶୀ ପାଇଁ ଦାବି କରିବା। ହତ୍ୟା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଯେପରି ହତ୍ୟା ଅପରାଧ କମାଇପାରୁ ନାହିଁ, ସେହିପରି ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କଲେ ତାହା ବି ଉଦ୍ଦେଶ୍ୟ ପୂରଣରେ ସଫଳ ହେବ ନାହିଁ।

 ଆକାର ପଟେଲ
Email: aakar.patel@gmail.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...