କୌଣସି ଆର୍ଥିକ ସଂସ୍ଥାରୁ
ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍ଗେଜ୍ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି
ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ
ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ
ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା
ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ ହସ୍ପିଟାଲ ପକ୍ଷରୁ
ପ୍ରସ୍ତୁତ ବିଲ୍ ପଇଠ କରିବାରେ ସମ୍ପର୍କୀୟମାନେ ଅକ୍ଷମ ହେଲେ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଉ
ନ ଥିବାର ଅନେକ ନଜିର ରହିଛି। କେତେକ କ୍ଷେତ୍ରରେ ଘରୋଇ ହସ୍ପିଟାଲରେ ବଡ଼ ରୋଗ ହୋଇଛି କହି ଦୀର୍ଘଦିନ
ରଖିବା ଏବଂ ଯାବତୀୟ ଡାକ୍ତରୀ ପରୀକ୍ଷା କରି ବିଲ୍ ବଢ଼ାଇବାର ଅଭିଯୋଗ ମିଳିଥାଏ। ସେହିପରି ହସ୍ପିଟାଲ
ପରିସରରେ ଥିବା ଦୋକାନରୁ ଚଢ଼ାଦରରେ ଔଷଧ କିଣି ରୋଗୀ ହନ୍ତସନ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି
। କେଉଁ ରୋଗ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ସେହି ସଂକ୍ରାନ୍ତ ତାଲିକାର ବିବରଣୀ ହସ୍ପିଟାଲ କାନ୍ଥରେ
ଲଗାଯାଉ ନ ଥିବାରୁ ରୋଗୀଙ୍କୁ ମନଇଚ୍ଛା ବିଲ୍ ଧରାଇ ଦିଆଯାଉଛି।
ଏହି ପ୍ରଚ୍ଛଦପଟରେ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏବେ ପେମେଣ୍ଟ ବା ଅର୍ଥ ପ୍ରଦାନ ସମ୍ପର୍କିତ ଚିଠା ପେସେଣ୍ଟ ଚାର୍ଟର
ଅଣାଯିବା ଲାଗି ସ୍ଥିର ହୋଇଛି। ପେମେଣ୍ଟ ବିବାଦକୁ କେନ୍ଦ୍ରକରି ରୋଗୀଙ୍କୁ ଅଟକାଇଲେ କିମ୍ବା ରୋଗୀଙ୍କ
ମୃତଦେହକୁ ସମ୍ପର୍କୀୟଙ୍କୁ ଠିକ୍ ସମୟରେ ହସ୍ତାନ୍ତର କରା ନ ଗଲେ ଏହାକୁ ଅପରାଧ ଭାବେ ବିବେଚନା
କରାଯିବ ବୋଲି ଉକ୍ତ ଚାର୍ଟରରେ ଉଲ୍ଲେଖ କରାଯାଇଛି। ହସ୍ପିଟାଲଗୁଡ଼ିକ ଯେପରି ସୁଚାରୁରୂପେ ସ୍ବାସ୍ଥ୍ୟସେବା
ଯୋଗାଇବେ ସେଥିଲାଗି ରାଜ୍ୟ ସରକାରଙ୍କ ମାଧ୍ୟମରେ ମନ୍ତ୍ରଣାଳୟ ଉକ୍ତ ଚାର୍ଟରକୁ ଲାଗୁ କରିବ। ଏଠାରେ
ହସ୍ପିଟାଲଗୁଡ଼ିକ ଯୁକ୍ତି ବାଢ଼ିପାରନ୍ତି ଯେ, ଥରେ ରୋଗୀ ଭଲ ହେବା ପରେ ତାଙ୍କୁ କିମ୍ବା
ସେମାନଙ୍କ ସମ୍ପର୍କୀୟଙ୍କୁ ଧରିବା କାଠିକର ପାଠ ହୋଇପାରେ। ଏହି ଯୁକ୍ତିକୁ ଖଣ୍ଡନ କରିବା
ଲାଗି ଉକ୍ତ ଚିଠା ପ୍ରସ୍ତାବରେ କୁହାଯାଇଛି ଯେ ସେଥିପାଇଁ ହସ୍ପିଟାଲଗୁଡ଼ିକ ନିଜସ୍ବ ବ୍ୟବସ୍ଥା ସୃଷ୍ଟି
କରିବେ। ରୋଗ ଓ ଏଥିଲାଗି କେତେ ଖର୍ଚ୍ଚ ହେବ ତାହାର ଏକ ତାଲିକା ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ସେମାନଙ୍କ
କାନ୍ଥରେ ଝୁଲାଇବେ। ଡିସ୍ପ୍ଲେ ବୋର୍ଡ କିମ୍ବା ସୂଚନା ପୁସ୍ତିକାରେ ଏସବୁ ସ୍ଥାନୀୟ ଭାଷା ଓ ଇଂଲିଶ
ଭାଷାରେ ଉଲ୍ଲେଖ ରହିବା ଆବଶ୍ୟକ ବୋଲି ସମ୍ପୃକ୍ତ ଚିଠାରେ ଉଲ୍ଲେଖ ରହିଛି ।
ଏପର୍ଯ୍ୟନ୍ତ ତାହା
ହେଉ ନ ଥିବାରୁ ରୋଗୀଙ୍କ ବାବଦକୁ ହୋଇଥିବା ଖର୍ଚ୍ଚ ପରିମାଣ ମନଇଚ୍ଛା ବଢ଼ାଇ ଦିଆଯାଉଛି । ଏଭଳି
ସ୍ଥଳେ ପେସେଣ୍ଟ ରାଇଟ୍ସ ଟ୍ରିବ୍ୟୁନାଲ ଫୋରମ୍ ଅଥବା
କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ରେଗୁଲେଟୋରୀ ଅଥରିଟିଙ୍କ ନିକଟରେ ରୋଗୀ କିମ୍ବା ସମ୍ପର୍କୀୟ ବିଲ୍
ବାବଦ ଅଭିଯୋଗ କରିପାରିବେ। ସ୍ଥଳବିଶେଷରେ ରୋଗୀ କିମ୍ବା ତାଙ୍କ ପରିବାର ସଦସ୍ୟ ରେକର୍ଡରୁମ୍ରେ
ରଖାଯାଇଥିବା ଚିକିତ୍ସା ସମ୍ବନ୍ଧୀୟ ସବୁ କାଗଜପତ୍ର ଦେଖି ଯାଞ୍ଚ କରିପାରିବେ। ଏପରିକି ଚିକିତ୍ସା
ନେଇ ସନ୍ଦେହ ଉପୁଜିଲେ ଅନ୍ୟ ହସ୍ପିଟାଲ ଡାକ୍ତରଙ୍କ ସହାୟତା ମଧ୍ୟ ନେଇପାରିବେ। ଏଥିସହିତ ରୋଗୀଙ୍କୁ
ତାଙ୍କ ରୋଗ ସମ୍ପର୍କିତ ସବୁ କାଗଜପତ୍ରର ନକଲ ମାଗଣାରେ ଚିକିତ୍ସା ଯୋଗାଇଥିବା ଡାକ୍ତରଖାନା ଦେବାକୁ
ବାଧ୍ୟ ବୋଲି ଚିଠା ପ୍ରସ୍ତାବରେ ରହିଛି।
ସ୍ବାସ୍ଥ୍ୟ କ୍ଷେତ୍ରରେ
ସ୍ବଚ୍ଛତା ଅଣାଯିବା ଲାଗି ଚିଠା ପ୍ରସ୍ତାବରେ ସ୍ଥାନ ପାଇଥିବା ବିଷୟବସ୍ତୁକୁ ଦେଖିଲେ ତାହା ଅତ୍ୟନ୍ତ
ଉପାଦେୟ ହୋଇପାରନ୍ତା। କେବଳ ଘରୋଇ ନୁହେଁ, ସରକାରୀ
ହସ୍ପିଟାଲରେ ମଧ୍ୟ କେତେକ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ ବ୍ୟୟବହୁଳ ହେଉଛି। ଯେହେତୁ ସରକାରୀ ହସ୍ପିଟାଲ
ଜନକଲ୍ୟାଣ ଲାଗି ଉଦ୍ଦିଷ୍ଟ ସେହେତୁ ସେଠାରେ ବିରାଟବଡ଼ ଅସଙ୍ଗତି ଲକ୍ଷ୍ୟ କରାଯାଉ ନାହିଁ। ଘରୋଇ
ଡାକ୍ତରଖାନା କ୍ଷେତ୍ରରେ ଦେଖିଲେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଲାଭ। ଅତ୍ୟଧିକ ଲୋଭର ବଶବର୍ତ୍ତୀ
ହୋଇ କର୍ପୋରେଟ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଥିବାରୁ ଅନେକ ସମୟରେ ରୋଗୀ, ଡାକ୍ତର ଓ ହସ୍ପିଟାଲ
କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଏପରିକି ବାଡ଼ିଆପିଟା ଯାଏ କଥା ଯାଉଥିବା ଦେଖାଯାଉଛି।
ଘରୋଇ ଡାକ୍ତରଖାନାଗୁଡ଼ିକ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇବା କଥା କହି ରାଜ୍ୟ ସରକାରଙ୍କଠାରୁ ଜମି
ସହ ଆନୁଷଙ୍ଗିକ ସୁବିଧା ହାତେଇଥାଆନ୍ତି। କିନ୍ତୁ
ଲୋକଙ୍କୁ ସେଭଳି ସେବା ମିଳୁ ନ ଥିବା ଲକ୍ଷ୍ୟ
କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ସେବାରେ ସଂସ୍କାର ସ୍ବରୂପ ରୋଗୀଙ୍କ ଅଧିକାର ଲାଗି
ଏହି ଚାର୍ଟର ଆସିପାରିଲେ ଲୋକେ ଉପକୃତ ହୋଇପାରନ୍ତେ। ଏଭଳି ପଦକ୍ଷେପର ଏକ ଓଲଟା ଦିଗ ବାହାରିପାରେ।
କର୍ପୋରେଟ ହସ୍ପିଟାଲଗୁଡ଼ିକ ଆର୍ଥିକ ସ୍ବଚ୍ଛଳ ନ ଥିବା ରୋଗୀଙ୍କଠାରୁ ବୀମା କାଗଜପତ୍ର ଦାବି କରିପାରନ୍ତି ଅଥବା ଆଗୁଆ ଅର୍ଥ ଦାବି
କରିପାରନ୍ତି। ତାହା ନ ହୋଇପାରିଲେ ରୋଗୀଙ୍କୁ ଅନ୍ୟ ବାହାନା ଦେଖାଇ ଫେରାଇ ଦେବାର ଧାରା ମଧ୍ୟ ସୃଷ୍ଟି
ହୋଇପାରେ। ଶେଷରେ ଏପରି ଚାର୍ଟରର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ସବୁ ନିର୍ଭର କରେ।
No comments:
Post a Comment