ରୁଦ୍ର ପ୍ରସନ୍ନ ରଥ
ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶି। ପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା ଏ କଥା। ଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେ। ଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥା। କିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ।
ଆମ ଗଣମାଧ୍ୟମ, ଫିଲ୍ମ ଏବଂ ସାହିତ୍ୟ ବାରମ୍ବାର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥାଏ। ତା’ର ଦକ୍ଷତାକୁ ନେଇ ଆମେ ଦାଣ୍ଡରେ ଘାଟରେ ବେଶ୍ ଅରୁଚିକର ଭାଷାରେ କଥାବାର୍ତ୍ତା କରୁ। ସତେଯେମିତି ଘଟଣା ଘଟିଗଲା ପରେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚୁଥିବା, ଲାଞ୍ଚ ଖାଉଥିବା କିମ୍ବା କଥା କଥାରେ ନାଲି ଆଖି ଦେଖାଉଥିବା ପୋଲିସ ଜଣକ ସାରା ଓଡ଼ିଶା କିମ୍ବା ଭାରତର ପୋଲିସ ବାହିନୀର ପ୍ରତିନିଧି। ଆମ ଫିଲ୍ମରେ ପୋଲିସକୁ ବୋକା ବନାଉଥିବା କିମ୍ବା ହତ୍ୟା କରି ଜେଲରୁ ଫେରାର ହୋଇଯାଉଥିବା ଚୋର କିମ୍ବା ଡକାୟତ ବି ଆମ ଆଗରେ କିଛି ସମୟ ପାଇଁ ହେଉ ପଛେ ହିରୋର ମାନ୍ୟତା ପାଏ। ପୋଲିସକୁ ମାଡ଼ ମାରିପାରୁଥିବା କିମ୍ବା ପୋଲିସ ସହ ଯୁକ୍ତି କରିପାରୁଥିବା ଲୋକ ବି ଅନେକ ସମୟରେ ଏ ଦେଶରେ ନେତା ପାଲଟିଯାଏ।
ପୋଲିସ କର୍ମଚାରୀଟିଏ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଆମରି ହିଁ ସେବା କରିଥାଏ। ଆଇନ ଶୃଙ୍ଖଳା ପରିସ୍ଥିତି, ନିର୍ବାଚନ, ପ୍ରାକୃତିକ ଦୁର୍ବିପାକ, ନେତାଙ୍କୁ ସୁରକ୍ଷା ଯୋଗାଇବା, ବିଭିନ୍ନ ପୂଜାପାର୍ବଣରେ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିବା, ଦଙ୍ଗା ଆଦିକୁ ପ୍ରତିହତ କରିବା ପାଇଁ ନିରନ୍ତର କାର୍ଯ୍ୟରତ ଥାଏ। ଅନେକ କ୍ଷେତ୍ରରେ ପୋଲିସ ଭାଇମାନେ ରକ୍ତ ଦାନ କିମ୍ବା ସମାଜ ସଚେତନତା ପାଇଁ ପରୀ ରଥ ପରି କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି। ଏତେସବୁ କାମ କରୁଥିବା ପୋଲିସର ଲୋକବଳ ବେଶ୍ ସୀମିତ। ପୋଲିସର ପ୍ରାୟ ଛୁଟି ନ ଥାଏ। ଦିନରାତି ଡ୍ୟୁଟି। ଅନେକ ସମୟରେ ତଳିଆ ପୋଲିସର ଜୀବନ କର୍ମଚାପରେ ଦୁର୍ବିଷହ ହୋଇଗଲେ ବି ଶୁଣିବାକୁ କେହି ନ ଥାନ୍ତି। ଖରାବେଳେ ଖାଇବାକୁ କିମ୍ବା ରାତିରେ ଭଲଭାବେ ଶୋଇବାକୁ ମଧ୍ୟ ସୁଯୋଗ ମିଳେନି। ଏମିତି ଚାଲିଥାଏ ବର୍ଷ ବର୍ଷ ଧରି। ନିଜ ଦେହ ଖରାପ ହେଲେ ବିଶ୍ରାମ ପାଇଁ କିମ୍ବା ପିଲାଙ୍କ ପାଠପଢ଼ା ଦେଖିବା ପାଇଁ ପୋଲିସ ପାଖରେ ସମୟ ନ ଥାଏ। ଅଥଚ ପୋଲିସ ଆଖିଆଗରେ ଆଇନକୁ ଭାଙ୍ଗିଦେବା ପାଇଁ ଆମେ ସତତ ଚେଷ୍ଟିତ ଥାଉ। ହେଲମେଟ ନ ପିନ୍ଧି, ମଦ ପିଇ ଗାଡି ଚଳାଇବା କିମ୍ବା ପୋଲିସ ସାମ୍ନାରେ ଗାଳିଗୁଲଜ କରିବାକୁ ଆମେ ବୀରପୁଙ୍ଗବର କାର୍ଯ୍ୟ ବୋଲି ବିଚାର କରୁ!
୨୦୧୪ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ ୨୨.୮ଲକ୍ଷ ଅନୁମୋଦିତ ପଦବୀ ରହିଥିଲା। ଏବେ ଏଥିରୁ ପ୍ରାୟ ୨୫% ଅର୍ଥାତ୍ ୫.୬ ଲକ୍ଷ ପଦବୀ ଖାଲିପଡିଛି। ପୁଣି ୨୦୧୫ ସୁଦ୍ଧା ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପାଇଁ ମାତ୍ର ୧୪୫ ଜଣ ପୋଲିସ ରହିଥିବା ବେଳେ ଜାତିସଂଘର ହିସାବ ଅନୁଯାୟୀ, ଏହା ୨୨୨ ହେବା କଥା। ଅର୍ଥାତ୍ ଆମ ପାଖରେ ଆବଶ୍ୟକ ସଂଖ୍ୟକ ପୋଲିସ ନାହାନ୍ତି। କର୍ମଚାରୀ ଅଭାବ ସାଙ୍ଗକୁ ଦିନକୁ ଦିନ ବଢୁଥିବା ସହରର କାୟା, ବେରୋଜଗାରି, ନୂଆ ଅପରାଧ ଏବଂ ଅପରାଧର ନୂଆ ନୂଆ ତରିକା ପୋଲିସ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସ୍ୃଷ୍ଟି କରୁଛି। ୨୦୧୫ରେ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଣ୍ଟ ଏବଂ ଆଡ୍ମିନିଷ୍ଟ୍ରେଟିଭ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପୋଲିସ ସ୍ବାସ୍ଥ୍ୟକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ୍ ଭୀତି ଉଦ୍ରେକକାରୀ। ଏହି ଅଧ୍ୟୟନ ଅନୁଯାୟୀ ପ୍ରାୟ ୯୦% ପୋଲିସ ଦିନକୁ ୭-୧୬ ଘଣ୍ଟା ଯାଏ କାମ କରନ୍ତି। ଆଉ ପ୍ରାୟ ୭୩% ପୋଲିସ ମାସକୁ ଦିନଟିଏ ବି ଛୁଟି ପାଇବା କଷ୍ଟକର ହୋଇପଡେ। ଏପରି କାର୍ଯ୍ୟଚାପରେ କାମ କରୁଥିବା ପୋଲିସ ପାଇଁ ଆମ ମନରେ ସମ୍ବଦେନଶୀଳତା ନାହିଁ। ପୋଲିସ ଅନେକ ସମୟରେ ନିଜେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଲୋକଙ୍କୁ ଉଦ୍ଧାର କରେ, ନିଜେ ଶବକୁ ନେଇ ମେଡିକାଲ ଯାଏ, ମାତ୍ର ଏ ସବୁ ସ୍ଥାନରୁ ଅନେକ କ୍ଷେତ୍ରରେ ସାକ୍ଷୀଟିଏ ଯୋଗାଡ଼ କରିବା ପୋଲିସ ଲାଗି କଷ୍ଟକର ହୋଇପଡ଼େ।
ଓଡ଼ିଶା କଥା ଦେଖାଯାଉ। ୧ା୧ା୨୦୧୬ ସୁଦ୍ଧା ଓଡ଼ିଶାରେ ମୋଟ ଅନୁମୋଦିତ ପୋଲିସ ସଂଖ୍ୟା ୬୬,୧୮୪ ହୋଇଥିବା ବେଳେ ୫୫,୪୪୧ ଜଣ ହିଁ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି। ଉତ୍ତରପ୍ରଦେଶ ପରି ରାଜ୍ୟରେ ଗୋଟିଏ ଗୋଟିଏ ଥାନାରେ ୬୦-୭୦ କର୍ମଚାରୀ ଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୫-୨୫ ଭିତରେ। ଓଡ଼ିଶାରେ ପ୍ରତି ୧୦୦ କିମି ପିଛା ୩୫ ଜଣ ପୋଲିସ ଥିବା ବେଳେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୩୦ ଜଣ ପୋଲିସ ଅଛନ୍ତି। ଏତଦ୍ବ୍ୟତୀତ ପୋଲିସ ପାଖରେ ଆବଶ୍ୟକ ସାଜସରଞ୍ଜାମର ଘୋର ଅଭାବ ରହିଛି। ଯେଉଁ ହାରରେ ଅନ୍ୟ ସରକାରୀ ପ୍ରତିଷ୍ଠାନଗୁଡିକର ଆଧୁନିକୀକରଣ ହେଉଛି, ତା’ ତୁଳନାରେ ପୋଲିସ ବିଭାଗ ବେଶ୍ ପଛରେ।
ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପୋଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚେ। ରାଜନୈତିକ ଫାଇଦାକୁ ଆଖିଆଗରେ ରଖି ନେତାଙ୍କ ହାତବାରିସି ହୋଇ କାମ କରେ, ଲାଞ୍ଚ ନେଇ ଧରାପଡ଼େ। ମାତ୍ର ଏସବୁ ପୋଲିସର ସାମଗ୍ରିକ ଚେହେରା ନୁହେଁ। ପୋଲିସ ଆମ ଭିତରୁ ଆସିଥିବା ଜଣେ ସାଧାରଣ ମଣିଷ। ଆମ ପରି ତା’ର ମଧ୍ୟ ନିଜର ଶାରୀରିକ ଆଉ ମାନସିକ ଦକ୍ଷତାର ସୀମା ଅଛି। ସେ ସେତେବେଳେ ହିଁ ଭଲଭାବେ ଦାୟିତ୍ୱ ସମ୍ପାଦନ କରିପାରିବ, ଯେତେବେଳେ ଆମ ସହାୟତା ଏବଂ ସମ୍ବେଦନଶୀଳତା ତା’ସହ ରହିବ।
ଧବଳଗିରି, ଯାଜପୁର ରୋଡ୍, ମୋ- ୭୯୭୮୬୭୧୭୭୬
No comments:
Post a Comment