Wednesday, 26 December 2018

ଗ୍ରାହକ ସୁରକ୍ଷା ଗଣତନ୍ତ୍ର ରକ୍ଷା




ସହଦେବ ସାହୁ
ପ୍ରତିବର୍ଷ ଡିସେମ୍ବର ୨୪ ତାରିଖକୁ ଆମେ ‘ଜାତୀୟ ଖାଉଟି ଅଧିକାର ଦିବସ’ ଭାବେ ପାଳନ କରୁ ଏବଂ ସରକାରୀ ବିଜ୍ଞାପନରେ ଶୁଣୁ ‘ଜାଗୋ ଗ୍ରାହକ ଜାଗୋ’। ଉତ୍ତମ ସାମଗ୍ରୀ ଓ ଉତ୍ତମ ସେବା ପାଇବା ତୁମର ଅଧିକାର, ଯିଏ ଖିଲାପ କରୁଛି ତା’ ନାଁରେ ନାଲିସ କର; ସିଏ ସରକାର ହୁଅନ୍ତୁ ବା ଘରୋଇ କମ୍ପାନୀ କି ସମବାୟ ସଂସ୍ଥା। ସେ ଘର ପାଖର ପଡ଼ିଶା ହେଉ କି ସହରୀ ଚିଟ୍‌ଫଣ୍ଡ ମାଲିକ ହେଉ କି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ କମ୍ପାନୀ, କାହାରିକୁ ଛାଡ଼ ନାହିଁ। ସାମଗ୍ରୀ ବା ସେବା ଯୋଗାଣକାରୀମାନେ ଆଉ ‘ଗରାଖ ଈଶ୍ୱର’ ଉକ୍ତିରେ ବିଶ୍ୱାସ କରୁନାହାନ୍ତି, ‘ପଇସା ହିଁ ଭଗବାନ’ ଭାବି ଗ୍ରାହକକୁ ଠକିିବାର ବିଭିନ୍ନ କୌଶଳ ବାହାର କରୁଛନ୍ତି। ସରକାରୀ କର୍ମଚାରୀମାନେ ବି ନାଗରିକଙ୍କୁ ଯଥାସମୟରେ ତାଙ୍କର ହକ୍‌ ଦେବାକୁ କର୍ତ୍ତବ୍ୟ ବୋଲି ମନେକରୁ ନାହାନ୍ତି। ସବୁଠାରୁ ବଡ଼ ଦୁଃଖର ବିଷୟ ଯେ, ଉତ୍କୋଚ ନେଇଥିବା ଉପରିସ୍ଥ ଅଧିକାରୀ ବା ନେତାଙ୍କ ଇଙ୍ଗିତ କାରଣରୁ ଆମ ଦେଶର ନିୟାମକ ଅଧିକାରୀମାନେ ଚୁପ୍‌ ରହୁଛନ୍ତି। ରାଜନୈତିକ ଦଳଗୁଡ଼ିକ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ପାଇଗଲେ ଚାନ୍ଦା ଦେଇଥିବା କମ୍ପାନୀ ଓ ବ୍ୟକ୍ତିମାନଙ୍କ ପ୍ରତି ନିୟାମକ କର୍ମକର୍ତ୍ତାଙ୍କୁ ଶିଥିଳ କରିଦେଉଛନ୍ତି; ସିବିଆଇ ଭଳି ଅଥରିଟିର ତଦନ୍ତକାରୀ ଅଧିକାରୀଙ୍କୁ ବି ବଦଳି କରିଦେଉଛନ୍ତି। ଗ୍ରାହକର ସୁରକ୍ଷା ଦେଉଥିବା ଆଇନର ଖିଲାପକାରୀଙ୍କ ପ୍ରତି କେବଳ ବିଭାଗୀୟ ନିରୀକ୍ଷକ ନୁହେଁ, ପୋଲିସ, କମ୍ପାନୀ ନିୟନ୍ତ୍ରକ, ବିଚାର ବିଭାଗ ବି କୋହଳ ହେଉଥିବାର ଉଦାହରଣ ଅଛି। ଗ୍ରାହକ-ଶୋଷଣ ସୀମା ପାର ହୋଇ ଗ୍ରାହକର ମୃତ୍ୟୁର କାରଣ ହେଲେ ସରକାର ଚେତୁଛନ୍ତି କିମ୍ବା ବିଦେଶରେ କ୍ଷତିଗ୍ରସ୍ତ ଗ୍ରାହକମାନେ ଜିତିବାର ଖବର ବହୁଳ ପ୍ରଚାର ହେଲେ ଆମ ଦେଶର ସରକାରୀ କଳ ସକ୍ରିୟ ହୁଅନ୍ତି। ପେପ୍‌ସୀ କୋଲା ଭଳି ମୃଦୁପାନୀୟ ଆମେରିକାର ସ୍କୁଲମାନଙ୍କରେ ବାରଣ ହୋଇଥିଲେ ବି ଆମ ଦେଶରେ ସେଗୁଡିକ ଆଭିଜାତ୍ୟର ଚିହ୍ନ ହୋଇ ରହିଛି। ଆମ ଦେଶରେ ବହୁଳ ପ୍ରସାରିତ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ବେବି ପାଉଡର ଓ ବେବି ସାମ୍ପ ଉଦାହରଣ ଦେଖନ୍ତୁ। ପିଲାଙ୍କୁ ଭଲ ବୋଲି ଏତେ ପ୍ରଚାରିତ ଯେ ବଡ଼ମାନେ, ବିଶେଷତଃ ପିଲାର ମା’ମାନେ ବି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ବ୍ୟବହାର କରନ୍ତି; ଗାଧୋଇ ସାରିଲା ପରେ ଦେହକୁ ଶୁଖିଲା ରଖିବା ପାଇଁ ଚଡ଼ିରେ, ରୁମାଲରେ ବେବି ପାଉଡର ଛିଞ୍ଚନ୍ତି। ବେବି ପାଉଡରରେ ଯେଉଁ ଟାଲକମ୍‌ ବ୍ୟବହାର ହୁଏ, ତାହା ଖଣିରୁ ଉତ୍ତୋଳନ ବେଳେ ତହିଁରେ ଆଜ୍‌ବେଷ୍ଟସ୍‌ ମିଶିଥାଏ ଏବଂ ଆଜ୍‌ବେଷ୍ଟସ୍‌ କର୍କଟ ରୋଗର କାରଣ ବୋଲି ଡାକ୍ତରମାନଙ୍କୁ ଜଣା। ବେବି ପାଉଡର ତିଆରିରେ ଆଜ୍‌ବେଷ୍ଟସକୁ ପୂରାପୂରି କାଢ଼ିଦେବା କଥା ଏବଂ କାଢ଼ିଦେଇ ବେବି ପାଉଡର ତିଆରି କରୁଛି ବୋଲି କମ୍ପାନୀ ଦାବି କରୁଥିଲା। ଅଳ୍ପ ଦିନ ତଳେ ଆମେରିକାର ଆଲାବାମା ରାଜ୍ୟର ଜଣେ ୬୨ ବର୍ଷୀୟା ମହିଳା ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିବାର କାରଣ ୩୫ ବର୍ଷ କାଳ ଜେଆଣ୍ଡଜେ ବେବି ପାଉଡର ବ୍ୟବହାର ବୋଲି ଅଭିଯୋଗ କରି ନାଲିସ କରିଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ। ନମୁନା ପରୀକ୍ଷା କରି ଦେଖାଗଲା ବେବି ପାଉଡର ସମ୍ପୂର୍ଣ୍ଣ ଆଜ୍‌ବେଷ୍ଟସମୁକ୍ତ ନୁହେଁ। ରଏଟର ପରିବେଷିତ ଖବରରୁ ପ୍ରକାଶ ଯେ, ଜେଆଣ୍ଡଜେ କମ୍ପାନୀ ଅଭିଯୋଗକାରିଣୀଙ୍କ ପରିବାରକୁ ୭୨ ମିଲିୟନ୍‌ ଡଲାର (ପ୍ରାୟ ୫୦ କୋଟି ୪୦ ଲକ୍ଷ ଟଙ୍କା) କ୍ଷତିପୂରଣ ଦେବାକୁ ଆମେରିକାର କୋର୍ଟ ରାୟ ଦେଇଛି। ପାଠକମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀର ବେବି ସାମ୍ପରେ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ କେମିକାଲ ମିଶିଛି। ସେଥିପାଇଁ ବି ଲୋକେ ନାଲିସ କଲେଣି। ଏ ଖବର ପାଇ ସପ୍ତାହକ ତଳେ ଆମ ଦେଶର ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ଅଧିକାରୀମାନେ ଜେଆଣ୍ଡଜେର କାରଖାନା ଉପରେ ଚଢାଉ କରି ଉପତ୍ାଦିତ ଦ୍ରବ୍ୟର ନମୁନା ନେଇଛନ୍ତି। ଏତେ ଦିନରେ ଆମ ସରକାରଙ୍କ ନିଦ ଭାଙ୍ଗିଥିଲେ ବି ଯାଞ୍ଚର ଫଳ କମ୍ପାନୀ ବିରୋଧରେ ଯିବା ନେଇ ସନ୍ଦେହ ରହିଛି। କାରଣ କେତେ ପରିମାଣର ଆଜ୍‌ବେଷ୍ଟସ ଭାରତୀୟମାନେ ସହିପାରିବେ ତା’ ଉପରେ ବିତର୍କ ହୋଇପାରେ, ସତେଯେପରି ଭାରତୀୟମାନଙ୍କ ଜୀବନ ଆମେରିକୀୟ ଜୀବନଠାରୁ ନୂ୍ୟନ। ଆମେ ଜାଣିଛୁ- ପେପ୍‌ସୀ ଓ କୋକାକୋଲା ଭଳି ପାନୀୟରେ କୀଟନାଶକ ଭଳି ଦୂଷିତ ଜିନିଷ ଅଛି ବୋଲି ଅଭିଯୋଗର ତଦନ୍ତ କରି ଆମ କେନ୍ଦ୍ର ସରକାର କହିଥିଲେ, ୟୁରୋପୀୟ ସଂଘର ମାନକ ତୁଳନାରେ ମିଶ୍ରଣ-ମାତ୍ରା ବେଶି ଥିଲେ ହେଁ ଭାରତୀୟ ମାନକ ମାପରେ ମାତ୍ରାଧିକ ନୁହେଁ। ଆମର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କୋକାକୋଲା କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେଇଥିଲେ ବୋଲି ଆମ ପିଲାଏ ମୃଦୁପାନୀୟ ପିଇ ପିଇ ମେଦବହୁଳତା ରୋଗର ଶିକାର ହେବେ। ଜେଆଣ୍ଡଜେ କ୍ଷେତ୍ରରେ ତଦନ୍ତର ସେହିଭଳି ଅବସ୍ଥା ହେବନି ତ!
ଅଥଚ ଆମ ଦେଶରେ ଗ୍ରାହକକୁ ଆମେରିକା ଭଳି ଖର୍ଚ୍ଚବହୁଳ ମକଦ୍ଦମା କରିବାକୁ ପଡିବ ନାହିଁ। ୧୯୮୬ରୁ ଲାଗୁ ହୋଇଥିବା ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଠକାମି, ଜାଲିଆତି, ଅପମିଶ୍ରଣ ବା ଅନ୍ୟ ପ୍ରକାର ଶୋଷଣର ଶିକାର ହୋଇଥିବା ଲୋକ କମ୍‌ ଖର୍ଚ୍ଚରେ ଖାଉଟି ଅଦାଲତକୁ ଯାଇପାରିବ। ସେ ଦାବି କରୁଥିବା କ୍ଷତିର ପରିମାଣ ଅନୁଯାୟୀ ଫି’ ଦେଇ ଜିଲା ବା ରାଜ୍ୟସ୍ତରର ବା ଜାତୀୟ ଖାଉଟି ଅଦାଲତକୁ ଯାଇପାରିବ। ଏ ଆଇନଟି ଏକ ଯୁଗାନ୍ତକାରୀ ଏବଂ ପ୍ରଗତିଶୀଳ ବ୍ୟବସ୍ଥା। ବେସରକାରୀ, ସରକାରୀ ଓ ସମବାୟ ସବୁ କ୍ଷେତ୍ର ଏହାର ଅନ୍ତର୍ଭୁକ୍ତ। ସବୁ ପ୍ରକାରର ସାମଗ୍ରୀ ଓ ସେବା ପ୍ରତି ଏ ଆଇନ ଲାଗୁ। ଆଗରୁ ଖାଉଟି ବା ସେବା-ଗ୍ରହଣକାରୀ ଭେଦରେ ଭିନ୍ନ ଭିନ୍ନ ସୁରକ୍ଷା ଆଇନ ଥିଲା: ଯଥା ଉଚ୍ଚତା ବଢ଼ାଇବା ହର୍ଲିକ୍ସ ପିଇ ପିଲାଏ ଡେଉଁଥିବା ବା ପାହାଡ଼ ଉପରୁ କୁକୁର ଛୁଆକୁ ଉଦ୍ଧାର କରିପାରି ଯୁବକଟିଏ ପେପ୍ସୀ ପିଇବା ଭଳି ଭ୍ରମାତ୍ମକ ବିଜ୍ଞାପନ ବିରୋଧରେ ସ୍ବତନ୍ତ୍ର ଆଇନ ଥିଲା। ସାମଗ୍ରୀର ବିକ୍ରି ବଢାଇବା ପାଇଁ ତାହାର ଯାଦୁକରୀ ପ୍ରଭାବ ଅଛି ବୋଲି ଆପତ୍ତିଜନକ ବିଜ୍ଞାପନ ଦେବା ବିରୋଧରେ ଏ ଆଇନ ଥିଲା। ଏବେ ତାକୁ ରଦ୍ଦ ନ କରି ତାହାଠାରୁ ସହଜ ଆଇନ ହୋଇଛି ୧୯୮୬ର ଗ୍ରାହକ ସୁରକ୍ଷା ଆଇନ। କିନ୍ତୁ ଆମ ସରକାର ଏଭଳି ବିଜ୍ଞାପନ ବିରୋଧରେ ପଦକ୍ଷେପ ନେଉନାହାନ୍ତି। ଆମେରିକାର ସ୍କୁଲମାନଙ୍କରେ ପେପ୍‌ସୀ ଭଳି ମୃଦୁପାନୀୟ ବାସନ୍ଦ ହୋଇଥିଲେ ହେଁ ଆମ ଦେଶରେ ତାହା ଆଭିଜାତ୍ୟର ଚିହ୍ନ। ପାନୀୟ କମ୍ପାନୀ ଲୋକଙ୍କୁ ଭୂତାଉଛି ବୋଲି ଜାଣି ମଧ୍ୟ ଆମେ ଚୁପ୍‌ ରହୁଛୁ।
୧୯୮୬ର ଆଇନରେ ଗ୍ରାହକ କେବଳ ଜଣେ ଖରିଦ୍‌ଦାର ନୁହେଁ, ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀ ହୋଇପାରେ, ବିଦ୍ୟାଳୟରେ ଭର୍ତ୍ତି ହୋଇଥିବା ପିଲା ହୋଇପାରେ, ରେଳ ବା ବିମାନରେ ଟିକେଟ କରିଥିବା ଲୋକ ଅବା ଫୋନ୍‌ ସେବା କି ଟେଲିଭିଜନ୍‌ ସେବା ନେଇଥିବା ଲୋକ ହୋଇପାରେ, ବୀମା କରିଥିବା ଲୋକ ହୋଇପାରେ, ସରକାରୀ ବା ପ୍ରଶାସନିକ ସେବା କି ଅନୁଦାନ ପାଇବାର ହକ୍‌ ଥିବା ଯଥା- ଇନ୍ଦିରାଆବାସ ଘର ପାଇବାର ହିତାଧିକାରୀ ବି ହୋଇପାରେ। ଜଗତ୍‌ସିଂହପୁରର ବୃନ୍ଦାବନ ଜୁନିୟର କଲେଜରେ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି ଶୁଣାଣି କରି ଜିଲା ଖାଉଟି ଅଦାଲତ ସେ କଲେଜର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଥିବା ଉପଜିଲାପାଳଙ୍କୁ ଡକାଇଥିଲେ। ସେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କୁ ଗିରଫ କରି ହାଜର କରିବାକୁ ଜିଲାର ଏସ୍‌ପିଙ୍କୁ ଖାଉଟି ଅଦାଲତ ଏକ ପରୱାନା ଜାରି କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ କଲେଜ ଶୋଷଣ କରୁଥିବା ଅଭିଯୋଗର ଏକ ଶୁଣାଣି ପ୍ରମାଣ ଦିଏ, କିପରି ଲୋକଙ୍କୁ ଠକିବାର ବେଳ ସରିଆସୁଛି। କିନ୍ତୁ ଏଥିଲାଗି ଶୋଷଣଗ୍ରସ୍ତ ଲୋକେ ଏକୁଟିଆ ହେଉ ବା ଦଳବଦ୍ଧ ଭାବେ ଲଢ଼େଇ ଜାରି ରଖିବା ଦରକାର।
ଗ୍ରାହକ ସୁରକ୍ଷାର ଏଭଳି ଭିନ୍ନ ଭିନ୍ନ ଦିଗ ଆଲୋଚନା କଲେ ଆମେ ଦେଖିବା, ୧୯୮୬ର ଆଇନଟି ଆମ ଗଣତନ୍ତ୍ରକୁୁ ଦୃଢ଼ କରିବାର ସୁଯୋଗ ସୃଷ୍ଟି କରିଛି। ଦଳ ପାଇଁ ଚାନ୍ଦା ଦେଇ ବା ନେତାଙ୍କୁ ହାତକରି ଯେଉଁ ବ୍ୟକ୍ତି ବା କର୍ମଚାରୀ ବା ସଂସ୍ଥା ଲୋକଙ୍କୁ ଶୋଷଣ କରିବାର ଚେଷ୍ଟା କରୁଛି, ତା’ ବିରୋଧରେ ଖାଉଟି ଅଦାଲତକୁ ସହଜରେ ଓ ସ୍ବଳ୍ପ ଖର୍ଚ୍ଚରେ ଯାଇହେବ। ନେତାମାନଙ୍କର କଳାକାରନାମା ଏ ଅଦାଲତ ଜରିଆରେ ପଦାରେ ପଡ଼ିଲେ ସେମାନଙ୍କର ଦେଶ ସମ୍ପତ୍ତିକୁ ଲୁଟ୍‌ କରିବା ଚେଷ୍ଟା ଓ ଲୋକଙ୍କୁ ଅବହେଳା କରିବା ସ୍ବଭାବ ଉପରେ ଲଗାମ୍‌ ଲଗାଯାଇପାରିବ।
ଇମେଲ୍‌: sahadevasahoo@gmail.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...