Tuesday 24 October 2017

ଗଡ୍‌ମେନ ଏବଂ ରାଜନେତା

ଡେରା ସଚ୍ଚା ସୌଦାର ଧର୍ମଗୁରୁ ଗୁର୍‌ମିତ ରାମରହିମ୍‌ ଇନ୍‌ସାନଙ୍କ ଜେଲ୍‌ ଯିବା ନାଟକ ପରେ ତାଙ୍କ ତଥାକଥିତ ପାଳିତା କନ୍ୟା ହନିପ୍ରୀତଙ୍କୁ ଗିରଫ କରି ବାହାବା ନେବାରେ ପଞ୍ଜାବ ଓ ହରିୟାଣା ପୋଲିସ ଭିତରେ ଯେଭଳି ପ୍ରତିଯୋଗିତା ଲାଗିଗଲା ସେ ଖବର ପଢୁଥିବା ଲୋକେ ସରକାରଙ୍କ ହାବଭାବ ବିଷୟରେ ଚିନ୍ତାରେ ଅଛନ୍ତି। ଯେଉଁ ସରକାରରେ ନେତା ଓ ଅଧିକାରୀମାନେ ରାମରହିମ୍‌ଙ୍କ ପାଦତଳେ ମୁଣ୍ଡ ନୁଆଁଇବା ପାଇଁ ଧାଡି ବାନ୍ଧୁଥିଲେ ସେହି ସରକାର ଏବେ ଡେରାର କେନ୍ଦ୍ରଗୁଡ଼ିକ ଉପରେ ଧ୍ୱଂସ ଲୀଳା ଚଳାଇଛନ୍ତି- ଆଚରଣରେ ଏଭଳି ହଠାତ୍‌ ପରିବର୍ତ୍ତନ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଯେଉଁ ସରକାର ରାମରହିମ୍‌ ବିରୋଧରେ ଥିବା ବଳାତ୍କାର ଅଭିଯୋଗର ତଦନ୍ତ କରିବାକୁ ୧୫ ବର୍ଷ ନେଇଗଲେ ଏ ତ ସେଇ ସରକାର ଯିଏ ରାମରହିମ୍‌ ଦଣ୍ଡ ପାଇଲା କ୍ଷଣି ସେ ଗଢ଼ିଥିବା ଦୁନିଆକୁ ଧୂଳିସାତ୍‌ କରୁଛନ୍ତି। ଯେଉଁ ନେତାମାନେ ତାଙ୍କର ଦର୍ଶନ ପାଇଁ ଡେରା ଫାଟକ ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ ଲଗାଉଥିଲେ, ସପକ୍ଷରେ ବେଶି ଭୋଟ କିପରି ମିଳିବ ସେଥିପାଇଁ ପ୍ରାର୍ଥନା କରୁଥିଲେ ଏବଂ ଜନସାଧାରଣଙ୍କ ଅର୍ଥ ତଥା ସରକାରୀ ରାଜସ୍ବରୁ ବେଶ୍‌ କିଛି ଧନ ତାଙ୍କ ପାଦତଳେ ଢାଳି ଦେଉଥିଲେ ସେହି ନେତାଙ୍କ ସରକାର ହଠାତ୍‌ କିପରି ଓଲଟିଗଲେ? ଯେଉଁ ପୋଲିସ ଅଧିକାରୀମାନେ ପଦୋନ୍ନତି ପାଇଁ ବା ମନ୍ତ୍ରୀଙ୍କ ରୋଷରୁ ରକ୍ଷା ପାଇବା ଲାଗି ବାବାଙ୍କ ପଦଲେହନ କରୁଥିଲେ ସେମାନେ ଏବେ ବାବାଙ୍କ ସହାୟକମାନଙ୍କୁ ଗିରଫ କରିବାକୁ ପ୍ରତିଯୋଗିତା କରୁଛନ୍ତି। ଏହାର ଗୂଢ଼ ରହସ୍ୟ ଖୋଜିବାକୁ ପଡ଼ିବ। ମନସ୍ତାତ୍ତ୍ୱିକମାନେ କହନ୍ତି - ଆମ ଦୋଷ ଭଳି ଦୋଷ ଥିବା ଲୋକକୁ ଆମେ ପସନ୍ଦ କରୁନା, ତାକୁ ଘୃଣା କରୁ। ଆମଠାରେ ଯେଉଁ ଦୋଷ ନାହିଁ ସେ ଦୋଷ ଯାହାଠାରେ ଦେଖୁ ତା’ ସାଙ୍ଗରେ ଆମେ ମିଶୁନା। ଏହାର ଅର୍ଥ ଆମ ନିଜର ଦୁର୍ବଳତା ଓ ପାପର ପ୍ରତିଫଳନ ଆମେ ଦେଖିବାକୁ ଚାହୁଁନା। ଡେରା ସଚ୍ଚାସୌଦାର ଗୁରୁଙ୍କ ଉପରେ ସରକାରୀ ଉଚ୍ଚାରଣ ଓ ଆଚରଣ ଭିତରେ ପାର୍ଥକ୍ୟ ତାହା ହିଁ ଦେଖାଇଦେଇଛି। ଅନ୍ଧବିଶ୍ୱାସ, ତୋଷାମଦ, ଶୋଷଣ ଓ ଗର୍ହିତ ଲୋଭ ଯାହାକିଛି ଆମ ସାମାଜିକ ତଥା ରାଜନୈତିକ ବ୍ୟବସ୍ଥାକୁ ରୂପ ଦେଇଛି ତାହାକୁ ଡେରା ସଚ୍ଚାସୌଦା ଲୋକଙ୍କ ଆଗରେ ଖୋଲିଦେଇଛି। ଗୂଢ ରହସ୍ୟକୁ ବୁଝିବାର ଆଉ ଗୋଟିଏ ଦିଗ ଅଛି। ଭଲକରି ତନଖି କଲେ ଜଣାଯାଏ- ଆମ ତଥାକଥିତ ଧର୍ମଗୁରୁମାନଙ୍କ ସାମ୍ରାଜ୍ୟ ଗଢିବା ଓ ଆମ ରାଜନେତାମାନଙ୍କ ସାମ୍ରାଜ୍ୟ ଗଢିବା ଭିତରେ କିଛି ଫରକ ନାହିଁ। ଉଭୟଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ- ଲୋକଙ୍କ ଉପରେ ପ୍ରତିପତ୍ତି ଜାହିର କରିବା। ଲୋକଙ୍କ ଭିତରେ ଲୁଚି ରହିଥିବା ଭୟ ଓ ଦୁର୍ବଳତାକୁ ସେମାନେ ଅସ୍ତ୍ର କରନ୍ତି। ଉଭୟେ ଜାତିପ୍ରଥା ଓ ଧର୍ମବିଶ୍ୱାସକୁ ଆୟୁଧ କରି ନିଜର ସମର୍ଥକଙ୍କ ସଂଖ୍ୟା ବଢ଼ାନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଅନୁଗାମୀଙ୍କ ଭିତରେ ବିଭାଜନ ସୃଷ୍ଟି କରନ୍ତି। ଏମାନେ ଗଣତନ୍ତ୍ରର ଧାର ଧାରନ୍ତି ନାହିଁ। ବ୍ୟକ୍ତିବିଶେଷ ବ୍ୟବସ୍ଥାକୁ ଚଳାଏ, ତା’ର ପରିବାର, ତା’ର ବଂଶ, ତା’ର ତୋଷାମଦକାରୀମାନେ ବ୍ୟବସ୍ଥାକୁ ସମ୍ଭାଳନ୍ତି। ଉଭୟ ରାଜନେତା ଓ ତଥାକଥିତ ବାବାମାନେ ଗୁଡ଼ାଏ ଟଙ୍କା ଠୁଳ କରନ୍ତି, କେମିତି ଓ କାହାଠାରୁ କେତେ ଆଣନ୍ତି ତାହା ଜଣାନ୍ତି ନାହିଁ। ସେମାନଙ୍କ ବ୍ୟବସ୍ଥା ସ୍ବଚ୍ଛ ନୁହେଁ, ସନ୍ଦେହମୁକ୍ତ ନୁହେଁ। ବରଂ କଳାଧନ ଓ ପାପଧନ ଠୁଳ କରନ୍ତି ନେତା ଓ ଭଣ୍ଡ ବାବାମାନେ। ସେମାନେ ଟିକସ ଦିଅନ୍ତି ନାହିଁ, ଟିକସ ନ ଦେବା ପାଇଁ ମଧ୍ୟ ଆଇନ ହୋଇଛି। ଉଭୟଙ୍କର ଘରୋଇ ବାହିନୀ ରହିଥାଏ। ବାବାମାନେ ଗଣ୍ଡା ଗଣ୍ଡା ଗାଡି ଧରି ଯାତ୍ରା କରନ୍ତି, ଦଳର ସୁପ୍ରିମୋ ବି। ଅନୁଗାମୀମାନେ ହିଂସାକାଣ୍ଡ ଘଟାଇବା, ଦଙ୍ଗା କରିବା, ଲୋକଙ୍କୁ ଭୟଭୀତ କରିବା କାମରେ ଲିପ୍ତ ହୋଇ ଗଡମେନ୍‌ର ଓ ସୁପ୍ରିମୋର ପ୍ରତିପତ୍ତି ବଢାନ୍ତି। ପରିସ୍ଥିତି ବା ସୁପ୍ରିମୋ ଚାହିଁଲେ ସେମାନେ ଭିନ୍ନମତବାଲାଙ୍କ ଜୀବନ ନେଇପାରନ୍ତି। ଏମିତି ବିଧାନ କରନ୍ତି ଯେ ବାହାରେ କେହି ଜାଣିପାରନ୍ତି ନାହିଁ। ଆଗକାଳରେ ଉଭୟ ନେତା ଓ ଧର୍ମଗୁରୁ ପୁରୁଷକୈନ୍ଦ୍ରିକ ଥିଲେ, ନାରୀପ୍ରତି ଘୃଣା ପ୍ରକାଶ କରୁଥିଲେ, ଏବକାର ଗୁରୁ ଓ ନେତା ନାରୀମାନଙ୍କୁ ଅନ୍ଦର ମହଲରେ ରଖୁଛନ୍ତି। ଉଭୟେ ନିଜକୁ ଆଇନରୁ ଊର୍ଦ୍ଧ୍ୱରେ ବୋଲି ଭାବନ୍ତି। ଧର୍ମଗୁରୁ ଓ ରାଜନେତା ପରସ୍ପରର ପରିପୂରକ- ଆଗକାଳରେ ରାଜୁଡାରେ ଏଭଳି ହେଉଥିଲା, ଏବେ ଗଣତନ୍ତ୍ରରେ ବି ଘଟୁଛି। ଧର୍ମଗୁରୁ ଓ ରାଜନେତାମାନେ ପରସ୍ପର ଉପରେ ଆସ୍ଥା ରଖନ୍ତି ଏବଂ ସମୃଦ୍ଧ ହେବା ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି। ସବୁ ରାଜନୈତିକ ଦଳ କାଳେ କାଳେ ବିଭିନ୍ନ ବାବାଙ୍କ ଅନୁଗାମୀ ହୋଇଛନ୍ତି। କଂଗ୍ରେସ ଚନ୍ଦ୍ରାସ୍ବାମୀ, ସମାଜବାଦୀ ପାର୍ଟି ରାମବୃକ୍ଷ ଯାଦବ, ଭାଜପା ବାବା ରାମରହିମ୍‌ (ରାମଦେବଙ୍କୁ ବାଦ୍‌ଦେଲେ ବି)ଙ୍କ ଭକ୍ତ ପାଲଟିଛନ୍ତି। ଏମାନେ କେବଳ ସମର୍ଥକ ଯୋଗାଡ଼ କରନ୍ତି ନାହିଁ; କୁହାଳିଆ ବିରୋଧୀଙ୍କୁ ନିର୍ମୂଳ କରିପାରନ୍ତି। ସାଧାରଣ ଲୋକେ ଭାବନ୍ତି ଯେ ସାଧୁ ବାବାମାନେ ଅବହେଳିତ ଓ ଦଳିତ ଲୋକମାନଙ୍କର ତ୍ରାଣକର୍ତ୍ତା କିନ୍ତୁ ତାହା ସତ ନୁହେଁ। ପ୍ରତି ରାଜନୈତିକ ଦଳ ଯେପରି ଗରିବଙ୍କୁ ଆୟୁଧ କରି ଭୋଟ ଆହରଣ କରନ୍ତି ଗଡମେନ୍‌ ସେଭଳି ଦୁଃଖୀମାନଙ୍କୁ ଆୟୁଧ କରନ୍ତି। ବରଂ ନେତାମାନେ ତାଙ୍କର ଡିଜାଇନର ବାବା ରଖିଥାନ୍ତି। ୨୦୧୬ ଜୁନ୍‌ରେ ରାମବୃକ୍ଷ ଯାଦବ ମଥୁରାରେ ଏମିତି ହିଂସାକାଣ୍ଡ ଘଟାଇଲେ ଯେ ତହିଁରେ ୨ ପୋଲିସଙ୍କ ସହିତ ୨୯ ନିହତ ହେଲେ। ପଞ୍ଜାବ, ରାଜସ୍ଥାନ ଓ ହରିୟାଣାରେ ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ବାବା ରାମରହିମଙ୍କ ପାଦତଳେ ପଡ଼ୁଥିଲେ। ତେଣୁ ମଥୁରାର ବା ପଞ୍ଚକୁଳାର ହିଂସାକାଣ୍ଡକୁ କେହି ରୋକିବାର ଚେଷ୍ଟା କରି ନ ଥିଲେ। ଏହି ସରକାର ତ ଦିନେ ରାମରହିମଙ୍କୁ ସରକାରୀ ଖର୍ଚ୍ଚରେ ଜେଡ୍‌ ସୁରକ୍ଷା ଯୋଗାଇଥିଲେ। ଧର୍ମଗୁରୁଙ୍କ ବ୍ୟବସ୍ଥା ଯେପରି, ରାଜନୈତିକ ଦଳ ବ୍ୟବସ୍ଥା ବି ସେହିଭଳି। କିଛି ସମସ୍ୟା ଉଠିଲେ ତାକୁ ଘର ଭିତରେ ପୋତି ଦିଅନ୍ତି। ବାହାର ଲୋକଙ୍କୁ ଜଣାନ୍ତି ନାହିଁ। କିଛି ଅଘଟଣ ଘଟିଲେ ବା ବେଆଇନ୍‌ କାରବାରର ଖବର ମିଳିଲେ ମାମଲାକୁ ବନ୍ଦ କରିଦିଆଯାଏ, ତଦନ୍ତ ପ୍ରକ୍ରିୟାକୁ ଲମ୍ବାଇ ଦିଆଯାଏ। ଅନୁଗତ ବା ତୋଷାମଦକାରୀ ଅଫିସରଙ୍କୁ ସଙ୍ଗିନ ଜାଗାରେ ରଖିଦିଆଯାଏ। ସାକ୍ଷୀମାନଙ୍କୁ ହାତ କରାଯାଏ ବା ହତ୍ୟା କରାଯାଏ। କୋର୍ଟର ଆଦେଶକୁ ବାରମ୍ବାର ଅପିଲରେ ବା ରିଭିଜନରେ ପକାଇ ବିଳମ୍ବ କରାଯାଏ, ଜଜ୍‌ମାନେ ବିଚାରରୁ ଯେପରି ଓହରିଯାଆନ୍ତି ତାହାର ବ୍ୟବସ୍ଥା କରାଯାଏ। ଯଦି ବିଚାର ପ୍ରକ୍ରିୟା ସରିଯାଏ ତେବେ ରାୟ ଘୋଷଣାକୁ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା କରାଯାଏ। ଇନ୍‌କ୍ୱାରି ରିପୋର୍ଟକୁ ଏମିତି ପୋତି ଦିଆଯାଏ ଯେ ତାହା ସହଜରେ ବାହାରକୁ ଆସେ ନାହିଁ। ଯଦି ଏସବୁ ଫେଲ୍‌ ମାରିଲା ଏବଂ ଦଣ୍ଡ ମିଳିବା ନିଶ୍ଚିତ ହେଲା ତେବେ ଅଭିଯୁକ୍ତକୁ ପାରୋଲରେ ଛଡ଼ାଯାଏ କିମ୍ବା ଜେଲ୍‌ର ଭିଆଇପି ୱାର୍ଡ଼ରେ ରଖାଯାଏ। ମଝିରେ ମଝିରେ ମିଡ଼ିଆର କୌଣସି ଭାଗ କଥାଟାକୁ ଉଖୁରାଇଲେ ତାକୁ ଭୟଭୀତ କରାଯାଏ ବା କିଣିନିଆଯାଏ। ସବୁଠାରୁ ବଡ଼କଥା, ଗଡମେନ୍‌ଙ୍କୁ ସାହାଯ୍ୟ କରିଥିବା ଆତତାୟୀମାନେ ଯେପରି କାହାକୁ ଭୟ କରନ୍ତି ନାହିଁ ନେତାଙ୍କ ଗୁଣ୍ଡାମାନେ ସେହିଭଳି ପୋଲିସକୁ ଭୟ କରନ୍ତି ନାହିଁ। ଆମ ପ୍ରଦେଶର ସାରଥି ବାବାଙ୍କ କୃଷ୍ଣଲୀଳା ଓ ସୁର ବାବାଙ୍କ ମହିଳା ନୈଶ ମହାବିଦ୍ୟାଳୟ କ’ଣ ଜଣା ନ ଥିଲା? ସେମାନଙ୍କ ପାଖରେ କେଉଁ କେଉଁ ରାଜନେତା ସମର୍ଥନ ପ୍ରାର୍ଥନା କରୁଥିଲେ ତାହା କ’ଣ ପୋଲିସ ଜାଣି ନ ଥିଲା ନା ସୁପ୍ରିମୋ ଜାଣି ନ ଥିଲେ? ପ୍ରତିବାଦ କରୁଥିବା ଜନତା ଉପରେ ଲାଠି ଚାର୍ଜ କରିଥିବା ପୋଲିସ୍‌ ଅଧିକାରୀ କେତେ କ’ଣ ସମ୍ପତ୍ତି ବାବାଙ୍କ ଅନୁଗ୍ରହ ଓ ଅର୍ଥ ଜରିଆରେ ହାସଲ କରିଥିଲେ, କ’ଣ ଓଡିଶାର ନେତାମାନଙ୍କୁ ଜଣା ନ ଥିଲା? ଜମିବାଡି ମାରି ନେଉଥିବା ଓ ବେଆଇନ ଭାବେ ଧନ ମହଜୁଦ କରୁଥିବା କଥା କ’ଣ ସରକାରଙ୍କୁ ଜଣା ନ ଥିଲା? ଏତକ ଯେଉଁ ସରକାର ଜାଣିପାରୁନାହିଁ ସେ ସରକାରର ଗୋଇନ୍ଦା ବିଭାଗକୁ ଭାଙ୍ଗିଦେବା କଥା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...