Monday 11 December 2017

ମହିଳାଙ୍କ ସପକ୍ଷରେ

ଦୁନିଆର ପ୍ରତି କ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ସହ ସମକକ୍ଷ କରାଯାଉଛି। ଆଜିର ପ୍ରଗତିଶୀଳ ସମାଜରେ ନୂଆ ଚିନ୍ତାଧାରା ଜନ୍ମନେଉଛି। ତେଣୁ ପ୍ରଚଳିତ ଆଇନ ବ୍ୟବସ୍ଥାକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସୁପ୍ରିମ୍‌କୋର୍ଟ ନିକଟରେ ବ୍ୟଭିଚାର ସଂକ୍ରାନ୍ତ ଏକ ମାମଲା ଉପରେ ମତ ଦେଇଛନ୍ତି। ଜଣେ ପୁରୁଷ ଓ ମହିଳା ନିଜ ଜୀବନସାଥୀଙ୍କ ବ୍ୟତୀତ ପରକୀୟା ପ୍ରୀତି ରଖିଥିବା ପ୍ରମାଣିତ ହେଲେ କେବଳ ପୁରୁଷ ଦଣ୍ଡିତ ହେଉଛନ୍ତିି। ଅନ୍ୟପକ୍ଷରେ ମହିଳାଙ୍କ ସହମତିରେ ଅବୈଧ ସମ୍ପର୍କ ସ୍ଥାପିତ ହୋଇଥିଲେ ମଧ୍ୟ ସେ ଏଥିରୁ ଛାଡ଼ ପାଇଯାଉଛନ୍ତି। ୧୫୭ ବର୍ଷ ଧରି ଏଭଳି ବ୍ୟଭିଚାର ନିରୋଧ ଆଇନ ଦେଶରେ ପ୍ରଚଳିତ ରହିଆସିଛି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୪୯୭କୁ ଦେଖିଲେ ଦଣ୍ଡ ବ୍ୟବସ୍ଥା ପୁରୁଣାକାଳିଆ ବୋଲି କେତେକଙ୍କର ଧାରଣା। ଏହି ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଡିସେମ୍ବର ୮ରେ ହୃଦ୍‌ବୋଧ କରିଛନ୍ତି। ତେଣୁ ୪ ସପ୍ତାହରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟ ଏପରି ନିର୍ଦ୍ଦିଷ୍ଟ ମାମଲାରେ ଦେଇଥିବା ମତ ପ୍ରଶଂସନୀୟ। ହେଲେ ପୁରୁଷପ୍ରଧାନ ଭାରତୀୟ ସମାଜରେ ଯେଭଳି ଭାବେ ନାରୀ ଜାତିକୁ ଅନେକ ହଜାର ବର୍ଷ ଧରି ନିର୍ଯାତିତ କରି ରଖାଯାଇଛି, ତାହାର ପରିବର୍ତ୍ତନ ଆଣିବା ସକାଶେ ଏକ କଠୋର ତଥା ଭିନ୍ନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଆଜି ଅସଂଖ୍ୟ ଶିଶୁକନ୍ୟା ହତ୍ୟା, ମହିଳାଙ୍କୁ ବଳାତ୍କାର, ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଏପରି କି ପଞ୍ଚମ ଶ୍ରେଣୀର ପିଲା ବଳାତ୍କାର କରୁଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। କେତେକ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବିବାହର ଅନେକ ବର୍ଷ ପରେ ମଧ୍ୟ କିରୋସିନ ଢାଳି ପୋଡ଼ି ମାରିଦେଉଛନ୍ତି। ଯେଭଳି ଭାବେ ସାମାଜିକ ସ୍ଥିତିରେ ମହିଳାଙ୍କୁ ଦମନ କରି ରଖାଯାଇଛି, ତାହାର ଏକ ବିକଳ୍ପ ବାହାର କରିବାର ଦାୟିତ୍ୱ ଆଇନ ବ୍ୟବସ୍ଥା ଉପରେ ପଡ଼ିଯାଇଛି। ସାମାଜିକ ଭାରସାମ୍ୟ ସୃଷ୍ଟି ପାଇଁ ଭାରତର ଆଇନ ବ୍ୟବସ୍ଥା ମହିଳାଙ୍କ ସପକ୍ଷରେ ଅନ୍ଧଭାବେ ରାୟ ଦେବାର ପ୍ରୟୋଜନ ଆଜି ମଧ୍ୟ ରହିଛି। ଶିକ୍ଷିତ ସମାଜରେ ଆଇନ କୌଣସି ଗୋଟିଏ ପଟକୁ ଢଳିପଡ଼ିବ ତାହା କେହି ଚାହିଁବେ ନାହିଁ। ତଥାପି ଭାରତର ସାମାଜିକ ସ୍ଥିତି ଅନ୍ୟ ଦେଶଠାରୁ ଯଥେଷ୍ଟ ଭିନ୍ନ। ନାରୀ ନିର୍ଯାତନାର ଇତିହାସ ଦ୍ରୌପଦୀଙ୍କ ସମୟଠାରୁ ଭରପୂର ରହିଆସିଛି। ପୁରାଣ ବହିରେ ନା ଯେ କେବଳ ଦ୍ରୌପଦୀଙ୍କୁ ୫ଜଣ ପୁରୁଷଙ୍କୁ ସ୍ବାମୀ ଭାବେ ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା, ବରଂ ସେହିସବୁ ଶକ୍ତିଶାଳୀ ସ୍ବାମୀମାନେ ଜୁଆଖେଳ ନିଶାରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବାକୁ ପଛାଇ ନ ଥିଲେ। ସେହି ବାଜିରେ ହାରିବା ପରେ ବାସ୍ତବରେ ଦ୍ରୌପଦୀଙ୍କର କିଭଳି ଦୟନୀୟ ପରିସ୍ଥିତି ହୋଇଥିଲା ତାହାର କୌଣସି ଲିପିବଦ୍ଧ ପ୍ରମାଣ ନାହିଁ। କିନ୍ତୁ କାଳ୍ପନିକସ୍ତରରେ ଦ୍ରୌପଦୀଙ୍କ ବସ୍ତ୍ରହରଣ, ଚତୁର କୃଷ୍ଣଙ୍କ ତଥାକଥିତ ହସ୍ତକ୍ଷେପ ଓ ପରବର୍ତ୍ତୀ ସମୟରେ ନାରୀ ସ୍ବାଭିମାନ ପାଇଁ ମହାଭାରତ ଯୁଦ୍ଧ ଅବିଶ୍ୱାସୀମାନଙ୍କ ମନରେ ଭାରତୀୟ ସମାଜ ସମ୍ପର୍କରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ। ଅନୁରୂପ ଆକାରରେ ଯାହାଙ୍କୁ କୁହାଯାଉଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ସେ ମଧ୍ୟ ଉଡ଼ାଖବର ଶୁଣି ନିଜ ସ୍ତ୍ରୀଙ୍କୁ ତ୍ୟାଗ କରିବା ପାଇଁ ପଛାଇ ନ ଥିଲେ। ବାସ୍ତବରେ କେଉଁ କାରଣରୁ ରାମଙ୍କର ଯୁଦ୍ଧ ରାବଣଙ୍କ ସହିତ ହୋଇଥିଲା ତାହା ଜାଣିବା କଷ୍ଟକର। ଅନ୍ୟସବୁ କାଳ୍ପନିକ ଧର୍ମଗ୍ରନ୍ଥ ଭଳି ଏହି ହିନ୍ଦୁଶାସ୍ତ୍ରରେ ରାମଙ୍କୁ ମର୍ଯ୍ୟାଦାପୁରୁଷ କୁହାଯାଉଥିବାବେଳେ ସୀତାଙ୍କ ସ୍ଥାନକୁ ଅତ୍ୟନ୍ତ ଗୌଣ କରିଦିଆଯାଇଛି। ସେହି ରାମଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ରାବଣଙ୍କ ଚରିତ୍ରକୁ ବଦଳାଇ ଦିଆଯାଇଥାଇପାରେ। ସେଥିପାଇଁ ହୁଏତ କୁହାଯାଉଛି, ସୀତାଙ୍କୁ ଅପହରଣ କଲା ପରେ ତାଙ୍କୁ ଅତି ସମ୍ମାନର ସହିତ ରାବଣ ପୋଷିଥିଲେ। ସତ୍ୟ ଜାଣିବା ଆଜିର ମଣିଷ ପାଇଁ କୌଣସି ଭାବେ ସମ୍ଭବପର ନୁହେଁ। ସେହିଭଳି ରାଜା ହେବାକୁ ଥିବା ଭାଇର ସେବା କରିବାକୁ ଯାଇ ନିଜ ସ୍ତ୍ରୀ ଊର୍ମିଳାଙ୍କୁ ଦୀର୍ଘ ୧୪ ବର୍ଷ ଏକୁଟିଆ ଛାଡ଼ି ଚାଲିଯାଇଥିଲେ ଲକ୍ଷ୍ମଣ। ଆଜି ମଧ୍ୟ କ୍ଷମତା ଲୋଭରେ ଅନେକ ଲୋକ ଯଥେଷ୍ଟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବସୁଛନ୍ତି। ତଥାପି ରାମଙ୍କ ଚରିତ୍ରକୁ ଦେଖିଲେ ପ୍ରଶ୍ନ ଉଠିପାରେ ଯେ, ସୀତାଙ୍କୁ ଅଗ୍ନିପରୀକ୍ଷା ଦେବା ପାଇଁ ରାମଙ୍କର ନିର୍ଦ୍ଦେଶ ଆସିଲା କାହିଁକି। ବିରୋଧୀ କହିପାରନ୍ତି, ରାମ ଜଣେ ଅଯୋଗ୍ୟ ସ୍ବାମୀଭାବେ ନିଜ ସ୍ତ୍ରୀଙ୍କ ସୁରକ୍ଷା କରିବାରେ ବିଫଳ ହୋଇଥିଲେ। ତେଣୁ ବିଫଳ ମଣିଷ ଅନ୍ୟ କାହାରିକୁ ଜୀବନମରଣ ପରୀକ୍ଷାର ସମ୍ମୁଖୀନ ହେବାକୁ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଧୁନିକ ମଣିଷ ପାଇଁ ପ୍ରଶ୍ନବାଚୀ ହୋଇ ରହିଯିବ। ହୁଏତ ଏକ ମହିଳାପ୍ରାଧାନ୍ୟ ଥିବା ସମାଜରେ କାହାଣୀ ବଦଳି ଯାଇଥାନ୍ତା। ସେଠାରେ ସୀତାଙ୍କ ତରଫରୁ ରାମଙ୍କୁ ନିର୍ଦ୍ଦେଶ ଦିଆଯାଇଥାନ୍ତା ନିଜର ଅପାରଗତା ପାଇଁ ପ୍ରାୟଶ୍ଚିତ୍ତ କରିବାକୁ। ଏଭଳି ସାମାଜିକ ଓ ରାଜନୈତିକ ପ୍ରଚ୍ଛଦପଟରେ ପୁରୁଷପ୍ରଧାନ ସମାଜରେ ଆଧୁନିକ ଆଇନ ବ୍ୟବସ୍ଥାରେ ମହିଳାମାନଙ୍କ ସପକ୍ଷରେ ଆଇନ ଢଳି ପଡ଼ିବାର ଆବଶ୍ୟକତା ରହିଛି। ସୁପ୍ରିମ୍‌କୋର୍ଟଙ୍କ ଡିସେମ୍ବର ୮ ତାରିଖର ମତ, ଯେଉଁଥିରେ ବ୍ୟଭିଚାର ପାଇଁ କେବଳ ପୁରୁଷଙ୍କୁ କାହିଁକି ଦାୟୀ କରାଯିବ ପ୍ରଶ୍ନର ଯେତେ ଯଥାର୍ଥତା ଭାରତୀୟ ସମାଜରେ ଥିଲେ ବି, ଏବେ ପର୍ଯ୍ୟନ୍ତ ମହିଳା ଅତ୍ୟାଚାରିତା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିନ୍ତା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ ସମୟ ଉପଯୋଗୀ ହେଉ ନ ଥିଲା ଭଳି ମନେହେଉଛି।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...