କଥାରେ ଅଛି, ଶହେ ଦୋଷୀ ବରଂ ମୁକ୍ତ ହୋଇଯାଆନ୍ତୁ ମାତ୍ର ଜଣେ ନିର୍ଦ୍ଦୋଷ ଦଣ୍ଡ ନ
ପାଉ। ପ୍ରତ୍ୟେକ ମଣିଷର ମାନବାଧିକାର ସୁରକ୍ଷିତ ରଖିବା ଓ ସମ୍ମାନ ଦେବା ନିମନ୍ତେ
ପୋଲିସ ବିଭାଗର କର୍ତ୍ତବ୍ୟ ରହିଛି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସର
କର୍ତ୍ତବ୍ୟ, କାର୍ଯ୍ୟସୂଚୀ ଏବଂ ଉତ୍ତରଦାୟିତ୍ୱ ସମ୍ପର୍କରେ ଉଭୟ ଜନଗଣ ଓ ପୋଲିସ
ବିଭାଗରେ କର୍ତ୍ତବ୍ୟରତ ପ୍ରତ୍ୟେକ କର୍ମଚାରୀ ଜାଣିବା ବାଞ୍ଛନୀୟ। ସାଧାରଣତଃ ନିରୀହ
ଲୋକଙ୍କ ଉପରେ ଅଯୌକ୍ତିକ ଭାବରେ ପୋଲିସ ନିଜର କ୍ଷମତା ପ୍ରୟୋଗ ନ କରିବା ଏବଂ ନାଗରିକର
ଧନସମ୍ପତ୍ତି ଓ ମାନବିକ ଅଧିକାର ସୁରକ୍ଷା ନିମନ୍ତେ କ’ଣ ଆଇନଗତ ନିର୍ଦ୍ଦେଶନାମା
ରହିଛି, ସେ ସମ୍ପର୍କରେ ଅନେକ ପୋଲିସ ଜାଣନ୍ତି ନାହିଁ ଅଥବା ଜାଣି ଜାଣି କ୍ଷମତାର
ଅପବ୍ୟବହାର କରନ୍ତି। ଅନେକ କ୍ଷେତ୍ରରେ ପୋଲିସ ଜନସାଧାରଣଙ୍କୁ ନାଲିଆଖି ଦେଖାଇ ଭୟଭୀତ
କରେ, ଥାନାରେ ବେଆଇନ ଭାବରେ ଅଟକ ରଖେ ଓ ହାତରେ ଶିକୁଳି ପକାଏ। ବର୍ବରୋଚିତ ଭାବରେ
ପ୍ରହାର କରେ, କେତେକ ସ୍ଥଳରେ ମାରିଦିଏ, ମହିଳାଙ୍କ ପ୍ରତି ଅସଦାଚରଣ କରେ,
ବୃଦ୍ଧାବୃଦ୍ଧ ଓ ଶିଶୁମାନଙ୍କ ପ୍ରତି ଅବିଚାର କରେ, ଦଳିତ ଆଦିବାସୀଙ୍କୁ ଶୋଷଣ କରେ
ଇତ୍ୟାଦି। ବିଚରା ମଣିଷ ମୁଣ୍ଡପାତି ସମସ୍ତ ଅନ୍ୟାୟ ସହିଯାଏ କିମ୍ବା ମୋଟାଅଙ୍କର
ହାତଗୁଞ୍ଜା ଦେଇ ପୋଲିସଠାରୁ ମୁକ୍ତ ହେବାକୁ ଚେଷ୍ଟା କରେ। ବ୍ରିଟିଶ୍ ସରକାର ଦ୍ୱାରା
ପ୍ରସ୍ତୁତ ପୋଲିସ ଆଇନ ଅଦ୍ୟାବଧି ଆମ ଦେଶରେ ପ୍ରଚଳିତ। ଏଥିରେ ବହୁ ତ୍ରୁଟିବିଚ୍ୟୁତି
ରହିଛି। ସେହି ଫିରିଙ୍ଗ ଶାସନ ଢାଞ୍ଚା ଆମ ପୋଲିସ ଭାଇମାନେ ଛାଡ଼ିବାକୁ ନାରାଜ। ଉଚ୍ଚତମ
ନ୍ୟାୟାଳୟ ଡି.କେ. ବସୁ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ପୋଲିସ କିଭଳି
ଆଚରଣ କରିବ, ସେ ସମ୍ପର୍କରେ ଟିକିନିଖି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଇନରେ ପରିଣତ
ହୋଇଛି। ୧୯୮୫ ମସିହାରେ କେନ୍ଦ୍ର ସରକାରଙ୍କ ଘରୋଇ ବିଭାଗ ଜନସାଧାରଣଙ୍କ ଅଧିକାର
ସୁରକ୍ଷାପୂର୍ବକ ପୋଲିସର ୧୩ଗୋଟି ପ୍ରମୁଖ କର୍ତ୍ତବ୍ୟ ବିଧିବଦ୍ଧ ପାଳନ ନିମନ୍ତେ
ପ୍ରତ୍ୟେକ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶନାମା ଦେଇଛନ୍ତି। ଥାନା ହେଲା
ନ୍ୟାୟପ୍ରାପ୍ତି ନିମନ୍ତେ ଜନତାର ପ୍ରଥମ ଯୋଗାଯୋଗ କେନ୍ଦ୍ର। ଅତ୍ୟଧିକ କ୍ଷମତା ପ୍ରୟୋଗ
ନିମନ୍ତେ ପୋଲିସକୁ କୌଣସି ଆଇନରେ ଅଧିକାର ଦିଆଯାଇନାହିଁ। ନାଗରିକର ଜୀବନ ମୁକ୍ତ
ବିଚରଣ ଓ ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ପୋଲିସ ଆବଶ୍ୟକ ପଡ଼ିଲେ ଅପରାଧ ନିୟନ୍ତ୍ରଣ
ନିମନ୍ତେ କିମ୍ବା ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ନିଜର ଦାୟିତ୍ୱ ପାଳନ କରିବା ଏବଂ
ଅପରାଧୀମାନଙ୍କୁ ଯଥାବିଧି ଗିରଫ କରି ୨୪ ଘଣ୍ଟା ମଧ୍ୟରେ ବିଚାରାଳୟରେ ହାଜର କରିବା
କଥା। ମାତ୍ର ବାସ୍ତବ କ୍ଷେତ୍ରରେ ପୋଲିସର ଆଚରଣ ଓଲଟା ଓ ସମ୍ପୂର୍ଣ୍ଣ ଦାଦାଗିରି।
ରାଜସ୍ଥାନରେ ଏକ ସାମାଜିକ ସମୀକ୍ଷାରୁ ଜଣାଯାଇଛି ଯେ, ପୋଲିସ ଥାନାକୁ ୮୯% ଲୋକ
ଯା’ନ୍ତି ନାହିଁ, ଘୃଣା ଓ ଭୟ କରନ୍ତି। ମାତ୍ର ୧୧% ଲୋକ ଥାନାକୁ କୌଣସି ଅଭିଯୋଗ ନେଇ
ଯାଆନ୍ତି। ଥାନାରେ ପୋଲିସ ଦ୍ୱାରା ଅପମାନ ଓ ଅସଦାଚରଣକୁ ଭୟ କରି ମାତ୍ର ୫% ମହିଳା
ଅଭିଯୋଗ ନେଇ ଯାଆନ୍ତି ଏବଂ ୯୫% ମହିଳା ପୋଲିସକୁ ଘୃଣା କରନ୍ତି। ତେବେ
ବୁଦ୍ଧିଜୀବୀମାନେ ବିଚାର କରନ୍ତୁ ଏ ଦେଶରେ ପୋଲିସ ବ୍ୟବସ୍ଥା କାହା ପାଇଁ ଏବଂ କ’ଣ
ପାଇଁ। କେଉଁଥିପାଇଁ ଦେଶର କରଦାତା ନାଗରିକମାନଙ୍କର ହଜାର ହଜାର କୋଟି ଟଙ୍କା ଏମାନଙ୍କର
ଦରମା, ଗାଡ଼ିଘୋଡ଼ା, ଅଫିସ, ବସାଘର ନିମନ୍ତେ ଖର୍ଚ୍ଚ କରାଯିବ। ଦେଶର ସମ୍ବିଧାନର
ଧାରା ୧୪, ୧୫, ୧୬, ୧୭ ଏବଂ ୧୮ ମୁତାବକ ପ୍ରତ୍ୟେକ ନାଗରିକ ସମାନ ଏବଂ କେହି ଆଇନର
ଊର୍ଦ୍ଧ୍ୱରେ ନୁହନ୍ତି। ଧାରା ୨୧ ପ୍ରତ୍ୟେକଙ୍କୁ ଆତ୍ମମର୍ଯ୍ୟାଦାର ସହିତ ବଞ୍ଚତ୍ବାର
ଅଧିକାର ଦେଇଛି। ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ଧାରା ୩୨ ମୁତାବକ ଜଣେ
ନାଗରିକ ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍ ଆବେଦନ କରି ନିଜର
ଅପହୃତ ଅଧିକାର ପାଇପାରିବ। ଏହା ହେଉଛି ପ୍ରତ୍ୟେକଙ୍କ ମୌଳିକ ଅଧିକାର। ମାତ୍ର ଏଥିରେ
ଅନ୍ତରାୟ ସୃଷ୍ଟି କରେ ପୋଲିସ ବିଭାଗରେ ଥିବା ଦୁର୍ନୀତି ତଥା ଅସାଧୁତା।
‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ’ ନାମକ ଏକ ବେସରକାରୀ ସର୍ବେକ୍ଷଣ ସଂସ୍ଥାର
ଗବେଷଣାରୁ ଜଣାଯାଇଛି ଯେ, ୮୭ ଭାଗ ଲୋକ କହିଛନ୍ତି ସେମାନେ ଅଭିଯୋଗ ଫର୍ଦ୍ଦ ଦାଖଲ
ନିମନ୍ତେ ପୋଲିସକୁ ଲାଞ୍ଚ ଦେଇଛନ୍ତି। ତେଣୁ ପୋଲିସ ଯେ ମାନବାଧିକାରର ଶ୍ରେଷ୍ଠ
ଲଂଘନକାରୀ ଏ କଥା କାହିଁକି କୁହା ନ ଯିବ? ୧୮୬୧ ପୋଲିସ କୋଡ୍ ମୁତାବକ ପୋଲିସ
ଅନୁଷ୍ଠାନ ହେଉଛି ଆଇନକୁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା। ନ୍ୟାୟପାଳିକା କିମ୍ବା
ସରକାର ଯାହା ନିର୍ଦ୍ଦେଶ ଦେବେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପୋଲିସର ଦାୟିତ୍ୱ,
ଦଣ୍ଡ ଦେବା ନୁହେଁ। ୧୯୭୮ ମସିହାରେ ଜାତୀୟ ପୋଲିସ ଆୟୋଗ କହିଲେ ଯେ, ପୋଲିସ ଅନୁଷ୍ଠାନ
ହେଉଛି ଜନସାଧାରଣଙ୍କୁ ସେବା ପ୍ରଦାନକାରୀ ଏବଂ ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥା।
ପୁନଶ୍ଚ ଆୟୋଗ ତାଙ୍କ ରିପୋର୍ଟରେ କହିଛନ୍ତି ଜନସାଧାରଣଙ୍କ ସୁଖଦୁଃଖର ଭାଗୀଦାର ହୋଇ
ଏପରି ସାମାଜିକ ପରମ୍ପରା ସୃଷ୍ଟି କରିବା ଉଚିତ, ଯେପରି ଲୋକେ ପୋଲିସକୁ ନିଜ
ଭାଇବନ୍ଧୁକୁଟୁମ୍ବ ମନେକରିବେ ଏବଂ ତାଙ୍କର ଅଭିଯୋଗ ପ୍ରଦାନ କରିବେ। ଗୋଟିଏ
ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସ କେବଳ ଏକ ଆଇନ କାର୍ଯ୍ୟକାରୀ କରିବା ଅନୁଷ୍ଠାନ ନ ହୋଇ
ଏକ ମାନବୀୟ ଅନୁଷ୍ଠାନ ହେବା ଉଚିତ। ପୋଲିସ ବ୍ୟବସ୍ଥା ଦେଶର ସମ୍ବିଧାନ ଅନୁଯାୟୀ
ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଆଞ୍ଚଳିକତା, ଭାଷା ନିର୍ବିଶେଷରେ ଏକ ସାମାଜିକ ନ୍ୟାୟ
ପ୍ରଚାରର ରୁଦ୍ଧିମନ୍ତ ପ୍ରତୀକ ହେବା ଉଚିତ। କ୍ଷମତା ଯେପରି ଅପବ୍ୟବହାର ନ ହୁଏ ଏବଂ
ସମାଜରେ ପୋଲିସର ସ୍ବଚ୍ଛତା ଓ ନିଷ୍ଠାପରତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ନ ହୁଏ
ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଉଚିତ। ଏପରିସ୍ଥଳେ ପୋଲିସ ବ୍ୟବସ୍ଥାର ଆମୂଳଚୂଳ
ସଂସ୍କାର ଆବଶ୍ୟକ ହୋଇପଡ଼ିଥିବା ବେଳେ ଉଚ୍ଚତମ ନ୍ୟାୟାଳୟ ପୂର୍ବତନ ପୋଲିସ
ମହାନିର୍ଦ୍ଦେଶକ ପ୍ରକାଶ ସିଂ ବନାମ ଭାରତ ସରକାର ଯାଚିକାରେ ବିଚାର କରି ଦେଶର ପୋଲିସ
ବ୍ୟବସ୍ଥାରେ ୭ ପ୍ରକାର ପରିବର୍ତ୍ତନ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ୨୦୦୬ ମସିହାରେ।
ଏହା ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ ଜମ୍ମୁ-କଶ୍ମୀର ବ୍ୟତୀତ ଅନ୍ୟ ସବୁ
ରାଜ୍ୟ ସରକାର ନିଜ ପୋଲିସ ଆଇନର ପୁନଃ ସମୀକରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ।
ସେଗୁଡ଼ିକ ହେଲା: (୧) ରାଜ୍ୟ ନିରାପତ୍ତା କମିଶନ ଗଠନ କରି ପୋଲିସ ବ୍ୟବସ୍ଥା
ନିୟନ୍ତ୍ରଣ କରିବା, (୨) ରାଜ୍ୟ ଗୃହ ବିଭାଗର ୩ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ
ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେବା, (୩) ବିଭାଗୀୟ ବରିଷ୍ଠ ଅଧିକାରୀମାନେ
ସର୍ବନିମ୍ନ ୨ବର୍ଷ ଗୋଟିଏ ପଦବୀରେ କାର୍ଯ୍ୟ କରିବା, (୪) ଅନୁସନ୍ଧାନ ଓ ଆଇନ ଶୃଙ୍ଖଳା
ବ୍ୟବସ୍ଥାକୁ ପୃଥକ୍ କରିବା, (୫) କାର୍ଯ୍ୟାଳୟ ପ୍ରତିଷ୍ଠାନ ବ୍ୟବସ୍ଥା ଏକ ବୋର୍ଡ
ଦ୍ୱାରା ପରିଚାଳନା କରିବା, (୬) ଜିଲାସ୍ତରୀୟ ପୋଲିସ ଅଭିଯୋଗ ଅଥରିଟି ଗଠନ କରିବା ଏବଂ
(୭) କେନ୍ଦ୍ର ସରକାର ମଧ୍ୟ ଜାତୀୟସ୍ତରରେ ଏକ ଜାତୀୟ ନିରାପତ୍ତା କମିଶନ ଗଠନ କରିବା।
କେରଳ ସରକାର ଏକ ସୁଦୃଢ଼ ଏବଂ ଜନାଭିମୁଖୀ ପୋଲିସ ଆଇନ ଆଣିଥିବା ବେଳେ ଅନ୍ୟ
ରାଜ୍ୟଗୁଡ଼ିକ ସେପରି କରିବାରେ ଆନ୍ତରିକତା ଦେଖାଇନାହାନ୍ତି। ଆମ ରାଜ୍ୟ ସରକାର
ବିଧାନସଭାରେ ବିନା ବିତର୍କରେ ପୋଲିସ ବିଲ୍ ପାସ୍ କରାଇ ରାଜ୍ୟପାଳଙ୍କ ନିକଟକୁ
୨୦୧୬ରେ ଆଇନରେ ପରିଣତ ପାଇଁ ପଠାଇଥିଲେ। ଏଥିରେ ଅନେକ ତ୍ରୁଟି ବିଚ୍ୟୁତି ଏବଂ
ଜନବିରୋଧୀ ବିଷୟ ଥିଲା। ମାନବାଧିକାର ସଙ୍ଗଠନ ଏବଂ ବୁଦ୍ଧିଜୀବୀମାନଙ୍କ ଅନୁରୋଧ
ରକ୍ଷାକରି ରାଜ୍ୟପାଳ ବିଲ୍ଟିକୁ ପୁନଃ ଯାଞ୍ଚ ପାଇଁ ବିଧାନସଭାକୁ ଫେରାଇ ଦେଇଛନ୍ତି।
ଆଜି ପର୍ଯ୍ୟନ୍ତ ବିଲ୍ଟି ବିଧାନସଭା ସିଲେକ୍ଟ କମିଟି ନିକଟରେ ପଡ଼ିରହିଛି। ଏପରିସ୍ଥଳେ
ରାଜ୍ୟରେ ବିଭିନ୍ନ ସ୍ଥାନରେ ସିପାହିଙ୍କଠାରୁ ବଡ଼ ବଡ଼ ପଦସ୍ଥ ଅଧିକାରୀମାନେ ବିଭିନ୍ନ
ଭାବରେ ନାଗରିକଙ୍କ ଅଧିକାର ଉଲ୍ଲଂଘନ କରୁଛନ୍ତି। ବହୁଳ ଭାବରେ ଘଟଣାକୁ ଚପାଇ
ଦିଆଯାଉଥିବା ବେଳେ କିଛି ଖବର ପ୍ରଚାର ସଂସ୍ଥା ମାଧ୍ୟମରେ ପ୍ରକାଶ ପାଉଛି। ଆମେ ସମଗ୍ର
ପୃଥିବୀର ୬୯ତମ ବିଶ୍ୱ ମାନବାଧିକାର ଦିବସ ପାଳନ କଲାବେଳେ ସୁଧୀଜନ ମାନବାଧିକାର
ସମ୍ପର୍କରେ ବିଚାର କରିବା ବେଳ ଆସିଛି।
(୧୦ା୧୨ ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ)
(୧୦ା୧୨ ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ)
No comments:
Post a Comment