Monday 29 January 2018

ମଦମୁକ୍ତ ଭାରତ





ମଦମୁକ୍ତ ଭାରତ ଡ. ରମେଶ ଚନ୍ଦ୍ର ପରିଡ଼ା/ସମାଜ ତଥା ଜନଜୀବନ ଉପରେ ମଦ୍ୟପାନର ଭୟାବହ ପ୍ରଭାବ ସମ୍ପର୍କରେ ସାରା ବିଶ୍ୱରେ ସମ୍ଭବତଃ ପ୍ରଥମ ସତର୍କଘଣ୍ଟି ବଜାଇଥିଲେ ଆମ ଜାତିର ଜନକ ମହାତ୍ମା ଗାନ୍ଧୀ। ତାଙ୍କ କାର୍ଯ୍ୟସୂଚୀରେ ମଦମୁକ୍ତ ଦେଶ ସ୍ବାଧୀନତା ସହିତ ସମାନ ଗୁରୁତ୍ୱ ଲାଭ କରିଥିଲା। କିନ୍ତୁ କ୍ଷୋଭର ବିଷୟ, ତାଙ୍କରି ଭାରତ ଏବେ ବିଶ୍ୱର ସର୍ବବୃହତ୍‌ ମଦ ଉତ୍ପାଦନକାରୀ ଦେଶ। ଦକ୍ଷିଣ-ପୂର୍ବ ଏସିଆର ପ୍ରାୟ ୬୫% ଏହି ପାନୀୟ ଏଠାରେ ହିଁ ପ୍ରସ୍ତୁତ ହେଉଛି। ପୁନଶ୍ଚ ଏହାର ପୁରୁଷଙ୍କ ମଧ୍ୟରେ ଶତକଡା ୨୧ଭାଗ, ନାରୀମାନଙ୍କ ମଧ୍ୟରେ ୨ ଭାଗ ମଦ୍ୟାସକ୍ତ ହେଲାବେଳେ, ମଦ୍ୟପଙ୍କ ମଧ୍ୟରେ ବାର୍ଷିକ ମୁଣ୍ଡପିଛା ମଦ୍ୟପାନର ପରିମାଣ ସର୍ବାଧିକ (ବିଶ୍ୱରେ ହାରାହାରି ୧୦ ଲିଟର, ଭାରତରେ ୨୮.୭ ଲିଟର)। ଏହାର ପରିଣାମ ପ୍ରତିଫଳିତ ହେଉଛି ଦ୍ରୁତ ଅବକ୍ଷୟପ୍ରାପ୍ତ ନୈତିକତା ଏବଂ ତଜ୍ଜନିତ ସାମାଜିକ ଅବ୍ୟବସ୍ଥା ଓ ପାରିବାରିକ ହିଂସା, ସଡକ ଦୁର୍ଘଟଣା, ବିପର୍ଯ୍ୟସ୍ତ ଜନସ୍ବାସ୍ଥ୍ୟ ଓ ଅକାଳ ମୃତ୍ୟୁ ଇତ୍ୟାଦି ମାଧ୍ୟମରେ। ୨୦୧୬ରେ ଅନୁଷ୍ଠିତ ଏକ ସର୍ବେକ୍ଷଣ ଅନୁସାରେ ଆମ ଦେଶରେ ୨୮.୩% ଛାଡପତ୍ର, ୩୫.୫% ବଳାତ୍କାର, ୨୮.୭% ସଡକ ଦୁର୍ଘଟଣା, ୩୬.୫% ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ଅପରାଧ ମଦ୍ୟପାନଜନିତ ହେଲାବେଳେ ୧୮% ମାନସିକ ରୋଗୀ, ୨୧% ମସ୍ତିଷ୍କ ଓ ୬୦% ଅନ୍ୟାନ୍ୟ ଆଘାତପ୍ରାପ୍ତ ରୋଗୀ, ୩୦% ଫୁସ୍‌ଫୁସ୍‌ ରୋଗୀ ଏବଂ ୨୪.୫% ହୃଦ୍‌ରୋଗୀ ମଦ୍ୟପ ଅଟନ୍ତି। ଏଥିଯୋଗୁ ବର୍ଷକୁ ଅକାଳ ମୃତ୍ୟୁବରଣ କରୁଥିବା ପ୍ରାୟ ୪.୫ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୨ ଲକ୍ଷ ହେଉଛନ୍ତି ଯୁବତୀଯୁବକ (୧୫ରୁ ୧୯ ବର୍ଷ)। ଏସବୁ ସତ୍ତ୍ୱେ ଆମ ଦେଶରେ ମଦର ପ୍ରସାର ବଢିଚାଲିଛି। ଏହା ମୂଳରେ ରହିଛି ପରୋକ୍ଷ ବା ପ୍ରତ୍ୟକ୍ଷ ରାଜନୈତିକ ଏବଂ ସରକାରୀ ପ୍ରୋତ୍ସାହନ। ମୂଳତଃ ଏ ବ୍ୟବସାୟ କରୁଥିବା ଶିଳ୍ପପତିମାନଙ୍କର ଆମ ରାଜନୈତିକ ବ୍ୟବସ୍ଥା ଉପରେ ଥିବା ପ୍ରଚଣ୍ଡ ପ୍ରଭାବ ଏହାର ମୁଖ୍ୟ କାରଣ। ସେଥିପାଇଁ ବିଗତ ୧୦ବର୍ଷ ମଧ୍ୟରେ ଏହା ପ୍ରାୟ ୪/୫ଗୁଣ ବୃଦ୍ଧି ପାଇଛି। ପୁନଶ୍ଚ ଏହାର ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶ (୬୨%) ଛାତ୍ର ଓ ଯୁବଗୋଷ୍ଠୀର। ଅନ୍ୟପକ୍ଷରେ ସରକାର ଏହାକୁ ରାଜସ୍ବର ଏକ ମୁଖ୍ୟ ଉତ୍ସ ରୂପେ ଉପସ୍ଥାପିତ କରୁଛନ୍ତି। ତେଣୁ ଦେଶକୁ ମଦମୁକ୍ତ କରାଗଲେ ଅର୍ଥାଭାବରୁ ବହୁ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବ ବୋଲି ଦର୍ଶାଯାଉଛି, ଯାହାକି ଭଣ୍ଡାମି ଛଡା ଅନ୍ୟ କିଛି ନୁହେଁ। କାରଣ ମଦ ପ୍ରଚଳନର ସାମାଜିକ ଅବ୍ୟବସ୍ଥା ତଥା ସ୍ବାସ୍ଥ୍ୟଗତ ଓ ଦୁର୍ଘଟଣାଜନିତ ମାନବସମ୍ବଳ ଅପଚୟର ମୂଲ୍ୟାୟନ କରାଗଲେ ଏହାର ଅସାରତା ପ୍ରମାଣିତ ହୋଇପାରିବ। ଆମ ରାଜ୍ୟ କଥା ବିଚାରକୁ ନିଆଯାଉ- ଏଠାରେ ୨୦୦୦ରୁ ୨୦୧୪ ମସିହା ମଧ୍ୟରେ ଘଟିଥିବା ପଞ୍ଜୀକୃତ ପ୍ରାୟ ୮୦୦୦ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୫,୦୨୪ ହେଲାବେଳେ ସେଥିରେ ୪୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା ଏବଂ ତହିଁରୁ ଅଧିକାଂଶ ଥିଲା ମଦ୍ୟପାନଜନିତ। ଅନ୍ୟପକ୍ଷରେ ସେଥିରେ ଆହତ ହୋଇଥିଲେ ପ୍ରାୟ ୧ଲକ୍ଷ ୩୦ ହଜାର ଏବଂ ଗୁରୁତର ଆହତ ହୋଇଥିଲେ ପ୍ରାୟ ୫୫ ହଜାର ଲୋକ। ସର୍ବଭାରତୀୟ ସ୍ତରରେ ଅଧିକ ମଦ୍ୟପାନ ହେଉଥିବା ତାମିଲନାଡୁ, କେରଳ ଭଳି ରାଜ୍ୟରେ ତାହା ଅଧିକ ଭୟାବହ ହୋଇଥିବ। ଏକ ପ୍ରମୁଖ ଖବରକାଗଜ ଦ୍ୱାରା କିଛିଦିନ ତଳେ ହୋଇଥିବା ଏକ ନମୁନା ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହିସବୁ କାରଣ ହେତୁ ଏବେ ଦେଶର ୮୭.୧ ଶତାଂଶ ଜନମତ ରହିଛି ମଦମୁକ୍ତି ସପକ୍ଷରେ। ଅତଏବ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିପାରିଲେ ଏଥିରେ ସଫଳତା ମିଳନ୍ତା। ହେଲେ କେତୋଟି ସ୍ଥାନରେ ମହିଳାମାନେ ମଦ ଦୋକାନ ଭାଙ୍ଗିବା କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନର ବିକ୍ଷୋଭ ପ୍ରଦର୍ଶନ ଦ୍ୱାରା ତାହା ସାଧିତ ହେବା ସମ୍ଭବ ନୁହେଁ। କାରଣ ଯେଉଁମାନେ ଏ ବ୍ୟବସାୟ ସହିତ ସମ୍ପୃକ୍ତ ସେମାନେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ତାଙ୍କ ପଛରେ ରହିଛି ଶକ୍ତିଶାଳୀ ରାଜନୈତିକ ପୃଷ୍ଠପୋଷକତା। ଅତଏବ କେବଳ ରାଜସ୍ବ ଆୟ ନୁହେଁ ବରଂ ଏହି ମୃତ୍ୟୁର ସୌଦାଗରମାନଙ୍କ ସହାୟତାରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ଦଳମତ ନିର୍ବିଶେଷରେ ସବୁ ସରକାର ଏଥିପ୍ରତି ଉଦାରଭାବ ପୋଷଣ କରିଆସୁଛନ୍ତି। ଦେଶର ଅନେକ ରାଜନୈତିକ ଦଳ ନିର୍ବାଚନ ସମୟରେ ସେମାନଙ୍କ ଇସ୍ତାହାରରେ ନିଶା ନିବାରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଥାନ୍ତି। ମୁଖ୍ୟତଃ ମଦ୍ୟପାନର କୁପରିଣାମର ପ୍ରଥମ ଶିକାର ହେଉଥିବା ମହିଳାମାନଙ୍କ ଭୋଟ ପାଇବା ଆଶାରେ ସେମାନେ ଏହା କରିଥାନ୍ତି, କିନ୍ତୁ ଖୁବ୍‌ଶୀଘ୍ର ତାହା ଭୁଲିଯାଆନ୍ତି। ନିର୍ବାଚନ ପାଇଁ ଅର୍ଥବଳ ଓ ବାହୁବଳ ଯୋଗାଇଥିବା ମଦ ବ୍ୟବସାୟ ସହ ସମ୍ପୃକ୍ତ ଶକ୍ତିଶାଳୀ ଗୋଷ୍ଠୀକୁ ଏଡାଇଯିବା ତାଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। ଅନ୍ୟପକ୍ଷରେ କୁହାଯାଏ ଯେ ଜନସାଧାରଣଙ୍କର ସ୍ମୃତି ଅତି ସୀମିତ। ଏଣୁ ସେମାନେ ବି ଏହାକୁ ଭୁଲିଯାଆନ୍ତି। ଫଳରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ଲାଗି ସରକାରଙ୍କୁ ଦାବି ଜାରି ରଖିବାର ଅବକାଶ ରହେ ନାହିଁ ଏବଂ ମଦ ବ୍ୟବସାୟ ବଢି ବଢି ଚାଲେ। ଏପରି ସ୍ଥଳେ, ଦେଶକୁ ମଦମୁକ୍ତ କରିବାକୁ ହେଲେ ସାମାଜିକ ସ୍ତରରେ ସଂଗ୍ରାମ ସଙ୍ଗେ ସଙ୍ଗେ ରାଜନୈତିକ ସଂଗ୍ରାମ ମଧ୍ୟ ଅପରିହାର୍ଯ୍ୟ। ବଗତ ନିର୍ବାଚନକାଳରେ କେରଳ, ବିହାର ଓ ତାମିଲନାଡୁ ଭଳି ରାଜ୍ୟରେ ଏହାକୁ ପ୍ରସଙ୍ଗଟିଏ କରାଯାଇଥିଲା ମହିଳାମାନଙ୍କ ଭୋଟ ଆକର୍ଷଣ ପାଇଁ। କିନ୍ତୁ ଆମ ଦେଶରେ ଅଧିକାଂଶ ପୁରୁଷ ମଧ୍ୟ ଦେଶକୁ ମଦମୁକ୍ତ କରିବାକୁ ଚାହାନ୍ତି। ଏଥିପାଇଁ ଲୋଡା କେବଳ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିବା, ଯାହାକି ନିର୍ବାଚନ ମଧ୍ୟକୁ ସମ୍ପ୍ରସାରିତ କରିହେବ। ତାହା ହିଁ ଆମ ଭୋଟସର୍ବସ୍ବ ରାଜନୀତିଜ୍ଞଙ୍କୁ ଏ ଦିଗରେ ପଦକ୍ଷେପ ନେବା ଲାଗି ଚାପ ସୃଷ୍ଟି କରିପାରିବ। ଏଠାରେ ମଧ୍ୟ ଆଉ ଏକ ସୂଚନା ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଆମ ଦେଶ ଏବଂ ଅଧିକାଂଶ ରାଜ୍ୟରେ କ୍ଷମତାରେ ଅଛନ୍ତି ଧର୍ମ, ଆଧ୍ୟାତ୍ମିକତା ଏବଂ ପରମ୍ପରାକୁ ଅଗ୍ରାଧିକାର ଦେବାକଥା କହୁଥିବା ଶାସକଗୋଷ୍ଠୀ। ମଦମୁକ୍ତିର ଏ ସମସ୍ତ କ୍ଷେତ୍ରକୁ ଋଦ୍ଧିମନ୍ତ କରିବାର ସାମର୍ଥ୍ୟ ରହିଛି। ଏଣୁ ଚାଲନ୍ତୁ ତାଙ୍କ ଆଗରେ ଏହି ଆହ୍ବାନଟି ରଖିବା। ତାହା ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଢ଼ିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ତାଙ୍କ ହତ୍ୟାକୁ ନେଇ ଏହାଙ୍କ ପ୍ରତି କରାଯାଉଥିବା ଅଙ୍ଗୁଳି ନିର୍ଦ୍ଦେଶର ଉଚିତ ଜବାବ ହେବ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...