Wednesday, 26 September 2018

ଉତ୍ତମ ରାୟ



ଭାରତୀୟ ରାଜନୀତିରେ ଅପରାଧୀକରଣ ପ୍ରସଙ୍ଗ ଦୀର୍ଘ ବର୍ଷ ଧରି ରହିଆସିଛି। ଅତୀତକୁ ଦେଖିଲେ ଉତ୍ତର ଭାରତରେ ରାଜନେତାଙ୍କୁ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସମର୍ଥନ କରିଆସୁଥିଲେ। କିନ୍ତୁ  ଏହି ବ୍ୟକ୍ତିମାନେ ଯେତେବେଳେ ସିଧାସଳଖ ରାଜନୀତିକୁ ଆସିବା ପାଇଁ ମନ ବଳାଇଲେ, ସେତେବେଳେ ନେତାମାନେ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ଫଳରେ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ କେତେକ ନିର୍ବାଚିତ ହେବାରେ ଲାଗିଲେ। ପରିସ୍ଥିତି ଗମ୍ଭୀର ହେବା ପରେ ଏହି ପ୍ରସଙ୍ଗ ବିରାଟ ରୂପ ଧାରଣ କରିଛି। କେଉଁ ଧରଣର ଅପରାଧ ଥିଲେ ଜଣେ ନିର୍ବାଚନ ଲଢ଼ିପାରିବେ ନାହିଁ ତାହା ଉପରେ ଅନେକ ସମୟରେ ବିତର୍କ ଲାଗି ରହିଛି। ତେବେ ସମ୍ପୂର୍ଣ୍ଣ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଆଇନ ରହିଛି। କିନ୍ତୁ ଜଣଙ୍କ ନାମରେ ଚାର୍ଜଶିଟ୍‌ ବା ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲେ ତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଦରକାର ବୋଲି ହୋଇଥିବା ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲେ ମଧ୍ୟ ସେ ନିର୍ବାଚନ ଲଢ଼ିପାରିବେ। ଏ ସଂକ୍ରାନ୍ତରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ। ରାଜନୀତିରୁ ଅପରାଧକୁ ଦୂରେଇ ଦେବା ଲାଗି ଆଇନ ପ୍ରଣୟନକାରୀମାନେ ଆଇନ ଆଣିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଲକ୍ଷ୍ମଣରେଖା ଅତିକ୍ରମ କରିବାକୁ ଚାହିଁ ନାହାନ୍ତି। କାର୍ଯ୍ୟପାଳିକା ଚାହିଁଲେ ଅପରାଧ ରୋକାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି। 
ଏଠାରେ ଏକ ଉଦାହରଣ ଦିଆଯାଇପାରେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ହେଉ ନ ଥିଲେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥାଆନ୍ତି ବା ସ୍ଥଳବିଶେଷରେ ସଭା କରି ପ୍ରତିବାଦ କରୁଥିବା ଦେଖାଯାଏ। ଏଭଳି ପରିସ୍ଥିତିରେ ସ୍ଥାନୀୟ ନେତା ବା ବିଧାୟକ କିମ୍ବା ସାଂସଦ ପ୍ରତିବାଦ କରୁଥିବା ଲୋକଙ୍କ ସହ ସାମିଲ ହେବାକୁ ବାଧ୍ୟ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଥାନାବାବୁମାନେ ଆନ୍ଦୋଳନ ବା ବିକ୍ଷୋଭ କରୁଥିବା ଲୋକଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅବରୋଧ ହଟାଇବା ପାଇଁ ପଦକ୍ଷେପ ନେଇଥାଆନ୍ତି। ତେଣୁ ସମ୍ପୃକ୍ତ ରାଜନେତାମାନେ ମଧ୍ୟ ପୋଲିସ ଅଫିସରଙ୍କ ଆକ୍ରୋଶର ଶିକାର ହୋଇଥାଆନ୍ତି। ସମସ୍ତେ ଜାଣନ୍ତି, ସ୍ଥାନୀୟ ଅଞ୍ଚଳରେ ସରକାର କହିଲେ ବିଡିଓ, ତହସିଲଦାର, କନିଷ୍ଠ ଯନ୍ତ୍ରୀ ଏବଂ ଥାନାବାବୁଙ୍କୁ ବୁଝାଯାଇଥାଏ। ତେଣୁ ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ଥାନା ଅଧିକାରୀ ସମ୍ପୃକ୍ତ ରାଜନେତାଙ୍କ ଉପରେ ମାମଲା ରୁଜୁ କରିଥାଆନ୍ତି। ତାହାହେଲେ ହିଁ ଗିରଫ ଯଥାର୍ଥ ହୋଇଥାଏ। ଏପରିକି ସେହି ପୋଲିସ ଅଫିସର ଅତିଶୀଘ୍ର ଏଭଳି ଘଟଣାରେ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ କରିଥାଆନ୍ତି। ସାଧାରଣରେ ଥାନା ଅଧିକାରୀମାନେ ବାସ୍ତବ ଅପରାଧ ଘଟଣାରେ ଏହି ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ଅହେତୁକ ବିଳମ୍ବ କରୁଥିବା ବେଳେ ରାଜନେତାମାନଙ୍କ ବିରୋଧରେ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଥାଆନ୍ତି।
ଭାରତରେ ନିର୍ବାଚନ ସଂସ୍କାର ଦାବି କରୁଥିବା ଗୋଟିଏ ଗୋଷ୍ଠୀ ଚାହୁଁଥିଲା ଯେ, ଥାନା ତରଫରୁ ଅଭିଯୋଗଫର୍ଦ୍ଦ କଚେରିରେ ଦାଖଲ ହେବା ମାତ୍ରେ ନିର୍ବାଚିତ ପ୍ରତିନିଧି କିମ୍ବା ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀ ଅଯୋଗ୍ୟ ଘୋଷିତ ହେବା ଉଚିତ। ଅପରପଟେ ମିଥ୍ୟାରେ ପୋଲିସ ଦ୍ୱାରା ଦିଆଯାଇଥିବା ମାମଲାଗୁଡ଼ିକ ଅଧିକାଂଶ ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥାଏ। ଏ କ୍ଷେତ୍ରରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ସତ୍ତ୍ୱେ ଲୋକପ୍ରତିନିଧିଙ୍କ ସୁଯୋଗ ହାତଛଡ଼ା ହୋଇଯାଇଥାଏ। ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ହାତରେ ରାଜନେତାଙ୍କ ଭାଗ୍ୟଡୋରି ସର୍ବଦା ବନ୍ଧା ପଡ଼ିଥାଏ। ଆମ ଦେଶ ବିଶେଷକରି ଆମ ରାଜ୍ୟର ଥାନାଗୁଡ଼ିକରେ ଥିବା ଅଧିକାଂଶ ପୋଲିସ ଅଫିସରଙ୍କ ନୈତିକତା ଓ ସଚ୍ଚୋଟପଣିଆ ସମ୍ପର୍କରେ ରାଜ୍ୟବାସୀ ଅତି ଭଲ ଭାବେ ଜାଣିଛନ୍ତି। ସାଧାରଣ ଲୋକ ବାଛିଥିବା ପ୍ରତିନିଧିର ଭାଗ୍ୟ ଯେତେବେଳେ ଏହିଭଳି ସରକାରୀ କର୍ମଚାରୀଙ୍କ ହାତରେ ସମ୍ପୂର୍ଣ୍ଣ ଭାବେ ବନ୍ଧା ପଡ଼ିଯିବ, ସେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଉପରେ କରାଯାଇଥିବା ଅବତାରଣା ଏକ କ୍ଷୁଦ୍ର ଦୃଷ୍ଟାନ୍ତ ମାତ୍ର। ତେଣୁ ସୁପ୍ରିମକୋର୍ଟ ବିଭିନ୍ନ ଦିଗକୁ ବିଚାର କରି ଦେଇଥିବା ରାୟ ଅତି ଉତ୍ତମ।

ଆମ ପୋଲିସ ଓ ଆମେ


ରୁଦ୍ର ପ୍ରସନ୍ନ ରଥ

ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶି। ପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା ଏ କଥା। ଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେ। ଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥା। କିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ।

ଆମ ଗଣମାଧ୍ୟମ, ଫିଲ୍ମ ଏବଂ ସାହିତ୍ୟ ବାରମ୍ବାର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥାଏ। ତା’ର ଦକ୍ଷତାକୁ ନେଇ ଆମେ ଦାଣ୍ଡରେ ଘାଟରେ ବେଶ୍‌ ଅରୁଚିକର ଭାଷାରେ କଥାବାର୍ତ୍ତା କରୁ। ସତେଯେମିତି ଘଟଣା ଘଟିଗଲା ପରେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚୁଥିବା, ଲାଞ୍ଚ ଖାଉଥିବା କିମ୍ବା କଥା କଥାରେ ନାଲି ଆଖି ଦେଖାଉଥିବା ପୋଲିସ ଜଣକ ସାରା ଓଡ଼ିଶା କିମ୍ବା ଭାରତର ପୋଲିସ ବାହିନୀର ପ୍ରତିନିଧି। ଆମ ଫିଲ୍ମରେ ପୋଲିସକୁ ବୋକା ବନାଉଥିବା କିମ୍ବା ହତ୍ୟା କରି ଜେଲରୁ ଫେରାର ହୋଇଯାଉଥିବା ଚୋର କିମ୍ବା ଡକାୟତ ବି ଆମ ଆଗରେ କିଛି ସମୟ ପାଇଁ ହେଉ ପଛେ ହିରୋର ମାନ୍ୟତା ପାଏ। ପୋଲିସକୁ ମାଡ଼ ମାରିପାରୁଥିବା କିମ୍ବା ପୋଲିସ ସହ ଯୁକ୍ତି କରିପାରୁଥିବା ଲୋକ ବି ଅନେକ ସମୟରେ ଏ ଦେଶରେ ନେତା ପାଲଟିଯାଏ।

ପୋଲିସ କର୍ମଚାରୀଟିଏ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଆମରି ହିଁ ସେବା କରିଥାଏ। ଆଇନ ଶୃଙ୍ଖଳା ପରିସ୍ଥିତି, ନିର୍ବାଚନ, ପ୍ରାକୃତିକ ଦୁର୍ବିପାକ, ନେତାଙ୍କୁ ସୁରକ୍ଷା ଯୋଗାଇବା, ବିଭିନ୍ନ ପୂଜାପାର୍ବଣରେ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରିବା, ଦଙ୍ଗା ଆଦିକୁ ପ୍ରତିହତ କରିବା ପାଇଁ ନିରନ୍ତର କାର୍ଯ୍ୟରତ ଥାଏ। ଅନେକ କ୍ଷେତ୍ରରେ ପୋଲିସ ଭାଇମାନେ ରକ୍ତ ଦାନ କିମ୍ବା ସମାଜ ସଚେତନତା ପାଇଁ ପରୀ ରଥ ପରି କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି। ଏତେସବୁ କାମ କରୁଥିବା ପୋଲିସର ଲୋକବଳ ବେଶ୍‌ ସୀମିତ। ପୋଲିସର ପ୍ରାୟ ଛୁଟି ନ ଥାଏ। ଦିନରାତି ଡ୍ୟୁଟି। ଅନେକ ସମୟରେ ତଳିଆ ପୋଲିସର ଜୀବନ କର୍ମଚାପରେ ଦୁର୍ବିଷହ ହୋଇଗଲେ ବି ଶୁଣିବାକୁ କେହି ନ ଥାନ୍ତି। ଖରାବେଳେ ଖାଇବାକୁ କିମ୍ବା ରାତିରେ ଭଲଭାବେ ଶୋଇବାକୁ ମଧ୍ୟ ସୁଯୋଗ ମିଳେନି। ଏମିତି ଚାଲିଥାଏ ବର୍ଷ ବର୍ଷ ଧରି। ନିଜ ଦେହ ଖରାପ ହେଲେ ବିଶ୍ରାମ ପାଇଁ କିମ୍ବା ପିଲାଙ୍କ ପାଠପଢ଼ା ଦେଖିବା ପାଇଁ ପୋଲିସ ପାଖରେ ସମୟ ନ ଥାଏ। ଅଥଚ ପୋଲିସ ଆଖିଆଗରେ ଆଇନକୁ ଭାଙ୍ଗିଦେବା ପାଇଁ ଆମେ ସତତ ଚେଷ୍ଟିତ ଥାଉ। ହେଲମେଟ ନ ପିନ୍ଧି, ମଦ ପିଇ ଗାଡି ଚଳାଇବା କିମ୍ବା ପୋଲିସ ସାମ୍ନାରେ ଗାଳିଗୁଲଜ କରିବାକୁ ଆମେ ବୀରପୁଙ୍ଗବର କାର୍ଯ୍ୟ ବୋଲି ବିଚାର କରୁ!

୨୦୧୪ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦେଶରେ ୨୨.୮ଲକ୍ଷ ଅନୁମୋଦିତ ପଦବୀ ରହିଥିଲା। ଏବେ ଏଥିରୁ ପ୍ରାୟ ୨୫% ଅର୍ଥାତ୍‌ ୫.୬ ଲକ୍ଷ ପଦବୀ ଖାଲିପଡିଛି। ପୁଣି ୨୦୧୫ ସୁଦ୍ଧା ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପାଇଁ ମାତ୍ର ୧୪୫ ଜଣ ପୋଲିସ ରହିଥିବା ବେଳେ ଜାତିସଂଘର ହିସାବ ଅନୁଯାୟୀ, ଏହା ୨୨୨ ହେବା କଥା। ଅର୍ଥାତ୍‌ ଆମ ପାଖରେ ଆବଶ୍ୟକ ସଂଖ୍ୟକ ପୋଲିସ ନାହାନ୍ତି। କର୍ମଚାରୀ ଅଭାବ ସାଙ୍ଗକୁ ଦିନକୁ ଦିନ ବଢୁଥିବା ସହରର କାୟା, ବେରୋଜଗାରି, ନୂଆ ଅପରାଧ ଏବଂ ଅପରାଧର ନୂଆ ନୂଆ ତରିକା ପୋଲିସ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସ୍‌ୃଷ୍ଟି କରୁଛି। ୨୦୧୫ରେ ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଏବଂ ଆଡ୍‌ମିନିଷ୍ଟ୍ରେଟିଭ ଷ୍ଟାଫ୍‌ କଲେଜ ଅଫ୍‌ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପୋଲିସ ସ୍ବାସ୍ଥ୍ୟକୁ ନେଇ ଯେଉଁ ତଥ୍ୟ ସାମ୍‌ନାକୁ ଆସିଛି ତାହା ବେଶ୍‌ ଭୀତି ଉଦ୍ରେକକାରୀ। ଏହି ଅଧ୍ୟୟନ ଅନୁଯାୟୀ ପ୍ରାୟ ୯୦% ପୋଲିସ ଦିନକୁ ୭-୧୬ ଘଣ୍ଟା ଯାଏ କାମ କରନ୍ତି। ଆଉ ପ୍ରାୟ ୭୩% ପୋଲିସ ମାସକୁ ଦିନଟିଏ ବି ଛୁଟି ପାଇବା କଷ୍ଟକର ହୋଇପଡେ। ଏପରି କାର୍ଯ୍ୟଚାପରେ କାମ କରୁଥିବା ପୋଲିସ ପାଇଁ ଆମ ମନରେ ସମ୍ବଦେନଶୀଳତା ନାହିଁ। ପୋଲିସ ଅନେକ ସମୟରେ ନିଜେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଲୋକଙ୍କୁ ଉଦ୍ଧାର କରେ, ନିଜେ ଶବକୁ ନେଇ ମେଡିକାଲ ଯାଏ, ମାତ୍ର ଏ ସବୁ ସ୍ଥାନରୁ ଅନେକ କ୍ଷେତ୍ରରେ ସାକ୍ଷୀଟିଏ ଯୋଗାଡ଼ କରିବା ପୋଲିସ ଲାଗି କଷ୍ଟକର ହୋଇପଡ଼େ।

ଓଡ଼ିଶା କଥା ଦେଖାଯାଉ। ୧ା୧ା୨୦୧୬ ସୁଦ୍ଧା ଓଡ଼ିଶାରେ ମୋଟ ଅନୁମୋଦିତ ପୋଲିସ ସଂଖ୍ୟା ୬୬,୧୮୪ ହୋଇଥିବା ବେଳେ ୫୫,୪୪୧ ଜଣ ହିଁ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି। ଉତ୍ତରପ୍ରଦେଶ ପରି ରାଜ୍ୟରେ ଗୋଟିଏ ଗୋଟିଏ ଥାନାରେ ୬୦-୭୦ କର୍ମଚାରୀ ଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୫-୨୫ ଭିତରେ। ଓଡ଼ିଶାରେ ପ୍ରତି ୧୦୦ କିମି ପିଛା ୩୫ ଜଣ ପୋଲିସ ଥିବା ବେଳେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୩୦ ଜଣ ପୋଲିସ ଅଛନ୍ତି। ଏତଦ୍‌ବ୍ୟତୀତ ପୋଲିସ ପାଖରେ ଆବଶ୍ୟକ ସାଜସରଞ୍ଜାମର ଘୋର ଅଭାବ ରହିଛି। ଯେଉଁ ହାରରେ ଅନ୍ୟ ସରକାରୀ ପ୍ରତିଷ୍ଠାନଗୁଡିକର ଆଧୁନିକୀକରଣ ହେଉଛି, ତା’ ତୁଳନାରେ ପୋଲିସ ବିଭାଗ ବେଶ୍‌ ପଛରେ।

ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପୋଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚେ। ରାଜନୈତିକ ଫାଇଦାକୁ ଆଖିଆଗରେ ରଖି ନେତାଙ୍କ ହାତବାରିସି ହୋଇ କାମ କରେ, ଲାଞ୍ଚ ନେଇ ଧରାପଡ଼େ। ମାତ୍ର ଏସବୁ ପୋଲିସର ସାମଗ୍ରିକ ଚେହେରା ନୁହେଁ। ପୋଲିସ ଆମ ଭିତରୁ ଆସିଥିବା ଜଣେ ସାଧାରଣ ମଣିଷ। ଆମ ପରି ତା’ର ମଧ୍ୟ ନିଜର ଶାରୀରିକ ଆଉ ମାନସିକ ଦକ୍ଷତାର ସୀମା ଅଛି। ସେ ସେତେବେଳେ ହିଁ ଭଲଭାବେ ଦାୟିତ୍ୱ ସମ୍ପାଦନ କରିପାରିବ, ଯେତେବେଳେ ଆମ ସହାୟତା ଏବଂ ସମ୍ବେଦନଶୀଳତା ତା’ସହ ରହିବ।

ଧବଳଗିରି, ଯାଜପୁର ରୋଡ୍‌, ମୋ- ୭୯୭୮୬୭୧୭୭୬

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...