Showing posts with label ହାଇସ୍କୁଲ. Show all posts
Showing posts with label ହାଇସ୍କୁଲ. Show all posts

Monday, 26 March 2018

ଶିକ୍ଷା, ଶିକ୍ଷାୟତନ ଓ ଶୃଙ୍ଖଳା


ବର୍ତ୍ତମାନ ସମୟରେ ମାତାପିତା ପ୍ରତିଯୋଗିତାମୂଳକ ମନୋଭାବର ବଶବର୍ତ୍ତୀ ହୋଇ ନିଜ ପିଲାଙ୍କୁ ସର୍ବଶ୍ରେଷ୍ଠ ସର୍ବଜନାଦୃତ ଲୋକପ୍ରିୟ ଶିକ୍ଷାନୁଷ୍ଠାନରେ ଦାଖଲ କରିବାକୁ ଅଧିକ ପସନ୍ଦ କରନ୍ତି। କୁହାଯାଏ ମା’ ହେଉଛନ୍ତି ଗୋଟିଏ ଶିଶୁର ପ୍ରଥମ ଶିକ୍ଷକ ଏବଂ ଦେଖାଯାଏ ଯେଉଁ ପରିବାରର ସଂସ୍କୃତି ଯେତେ ଉନ୍ନତ ସେ ପରିବାରର ପିଲା ସେତେ ଶୃଙ୍ଖଳିତ। ଏଣୁ ପରିବାରର ନିୟନ୍ତ୍ରଣ ଅପସରି ଯାଏ, ଯେତେବେଳେ ପିଲାଟି ସ୍କୁଲରେ ନାମ ଲେଖାଏ। ଆମ ରାଜ୍ୟ ଓଡ଼ିଶା କଥା ଦେଖାଯାଉ। ଯେଉଁ କେତେକ ଶିକ୍ଷିତ ଆଧୁନିକ ଦମ୍ପତି ସହରରେ ଚାକିରି କଲେ ବା କୌଣସି ବ୍ୟବସାୟ କରି ସହରରେ ରହିବାର ସୁଯୋଗ ପାଇଲେ ସେମାନେ ତାଙ୍କ ପିଲାଙ୍କୁ ଓଡ଼ିଆ ମିଡିୟମ ସ୍କୁଲରେ ପଢାଇବାକୁ ଅନିଚ୍ଛୁକ ହୁଅନ୍ତି। ଅନିଚ୍ଛୁକ ହେବା ମଧ୍ୟ ସ୍ବାଭାବିକ। ଏହି ବିଦ୍ୟାଳୟଗୁଡିକରେ ଭିତ୍ତିଭୂମି ନ ଥିବ ବା ଯଦି ଥିବ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ। ପର୍ଯ୍ୟାପ୍ତ ପରିମାଣର ଆସବାବପତ୍ର ନ ଥିବ, ଆବଶ୍ୟକସଂଖ୍ୟକ ଶିକ୍ଷକ ନ ଥିବେ ବା ଯଦି ଥିବେ ସେମାନେ ନିୟମିତ ସ୍କୁଲକୁ ନ ଆସି କେଉଁଠି ରାଜନୀତି କରୁଥିବେ ବା ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ବେତନ ବୃଦ୍ଧି ଦାବିକରି ହରତାଳ କରୁଥିବେ। ଶିକ୍ଷକମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ଯେଉଁ ବ୍ଲକ୍‌ ଶିକ୍ଷା ଅଧିକାରୀ ବା ଜିଲା ଅଧିକାରୀ ଅଛନ୍ତି ସେମାନେ ତାଙ୍କ ଅଧୀନରେ ଥିବା ସ୍କୁଲଗୁଡ଼ିକୁ କେବେ ପରିଦର୍ଶନରେ ଆସନ୍ତି ନାହିଁ। ପିଲାମାନେ କେବଳ ମଧ୍ୟାହ୍ନଭୋଜନ ଖାଆନ୍ତି, ଗୋଟିଏ ବା ଦୁଇଟି କ୍ଲାସ୍‌ ସାରି ଘରକୁ ଫେରନ୍ତି। ଶିକ୍ଷକ ଅଭାବରୁ ଖେଳ ଶିକ୍ଷକ ଇଂଲିଶ ଓ ଗଣିତ ପଢାନ୍ତି। ଏହା ହେଉଛି ଆମ ରାଜ୍ୟରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡିକର ସ୍ଥିତି। । ଅତୀତରେ କିଛି ବର୍ଷ ପୂର୍ବେ ସବୁ ସ୍କୁଲରେ ପ୍ରାର୍ଥନା ବୋଲିବା ବାଧ୍ୟତାମୂଳକ ଥିଲା ଏବଂ ପ୍ରାର୍ଥନା ଶେଷରେ ଶିକ୍ଷକ ନୀତିବାଣୀ ଓ ସେ ଦିନର ମୁଖ୍ୟ ଖବର ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରାଉଥିଲେ। ମାତ୍ର ଏବେ ତାହା ହେଉନାହିଁ। ପିଲାଟିଏ ନୀତିଶିକ୍ଷା ପାଇବାର ସୁଯୋଗ ସମ୍ପୂର୍ଣ୍ଣ ହରାଇ ବସୁଛି। ମାତାପିତା ଅଫିସ୍‌ରେ ଆଠ ନଅ ଘଣ୍ଟା ପରିଶ୍ରମ କରି ଫେରିବା ପରେ ସେମାନଙ୍କର ଧୈର୍ଯ୍ୟ ନ ଥାଏ ନିଜ ପିଲା ସାଙ୍ଗରେ ପଦେ କଥା ହେବାକୁ ବା ଭଲମନ୍ଦ ବୁଝିବାକୁ। ବରଂ ପିଲା କିଛି ପଚାରିଲେ ଉତ୍ତର ମିଳେ ମୁଁ ଆଜି ଥକିଯାଇଛି ତୁ ଟ୍ୟୁଶନ ସାର୍‌ଙ୍କୁ ପଚାରିବୁ। ଏଭଳି ନୈରାଶ୍ୟଜନକ ଉତ୍ତର ପାଇବା ପରେ ପିଲାଟିର ଅନୁସନ୍ଧିତ୍ସାରେ ଭଟ୍ଟା ପଡିଯିବା ସ୍ବାଭାବିକ। ସେହି ସମୟଠାରୁ ମନସ୍ତାତ୍ତ୍ୱିକ ସ୍ତରରେ ସେ ମାତାପିତାଙ୍କଠାରୁ ଦୂରେଇଯାଏ ଏବଂ ତା’ ମନରେ ଏକ ପ୍ରକାର ବିଦ୍ରୋହ ସୃଷ୍ଟି ହୁଏ। ନିରୀହ ନିଷ୍ପାପ ଶିଶୁଟି ମାତାପିତାଙ୍କ ସ୍ନେହରୁ ବଞ୍ଚିତ ହୁଏ। ଘରେ ଥିବା ଧାଈମା’ ବା ଆୟାର ତତ୍ତ୍ୱାବଧାନରେ ଜୀବନ ନିର୍ବାହ କରେ। ସ୍କୁଲଗୁଡିକରେ ମଧ୍ୟ ଯେତିକି ନିରାପତ୍ତା ମିଳିବା କଥା ତାହା ମିଳୁନାହିଁ। ଘରୋଇ ସ୍କୁଲଗୁଡିକରେ ଦେଖାଯାଏ ଯେ, ବ୍ୟବସାୟିକ ମନୋବୃତ୍ତି ବେଶି, ବୌଦ୍ଧିକ ଶିକ୍ଷାଦାନ କମ୍‌। ଏପରିକି ପିଲାଙ୍କ ନିରାପତ୍ତା ପ୍ରତି ମଧ୍ୟ ବେଳେବେଳେ ଶିକ୍ଷକ, ତତ୍ତ୍ୱାବଧାରକ ବା ପରିଚାଳନା ସମିତି ସଭ୍ୟମାନେ ଏତେଟା ଆନ୍ତରିକତା ପ୍ରଦର୍ଶନ କରନ୍ତି ନାହିଁ। ଏ ତ ଗଲା ବିଦ୍ୟାଳୟଗୁଡିକର ଅବସ୍ଥା। ଏବେ ଆସନ୍ତୁ ଦେଖିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷା ବ୍ୟବସ୍ଥା ଓ ଶୈକ୍ଷିକ ପରିବେଶ। ଆମେ ସମସ୍ତେ ଅଳ୍ପ କେତେଦିନ ତଳେ ଖବରକାଗଜରୁ ଜାଣିଲେ ସୁନ୍ଦରଗଡ ଜିଲାର ଗୋଟିଏ ଘରୋଇ ମହାବିଦ୍ୟାଳୟର ଛାତ ଉପରେ ଜଣେ ଛାତ୍ରୀ ତା’ର କେତେଜଣ ସହପାଠୀଙ୍କ ଦ୍ୱାରା କଲେଜ ଚାଲିଥିବା ସମୟରେ ବଳାତ୍କାରର ଶିକାର ହୋଇଥିଲା। ସଦ୍ୟ ଖବର ଅନୁସାରେ ସମ୍ବଲପୁର ଜିଲା ଯୁକ୍ତ ୨ ଶ୍ରେଣୀର ପିଲା ଶ୍ରେୟସ୍‌ ବିଶାଖାପାଟଣାର ନାରାୟଣ ଇନ୍‌ଷ୍ଟିଚ୍ୟୁଟ୍‌ରେ ର଼୍ୟାଗିଂର ଶିକାର ହୋଇ ପ୍ରାଣ ହରାଇଛି। ସେହି ପୀଡିତ ଶ୍ରେୟସ୍‌ କଲେଜର ଉପାଧ୍ୟକ୍ଷଙ୍କ ନିକଟରେ ଦୁଇଥର ଦୋଷୀମାନଙ୍କର ନାମ ପ୍ରକାଶ କରି ଅଭିଯୋଗ କରିଥିଲା ଯେ ତା’ର ସହପାଠୀମାନେ ତା’ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ମାତ୍ର ଉପାଧ୍ୟକ୍ଷ ତା’ କଥାକୁ ଗୁରୁତ୍ୱ ଦେଲେନାହିଁ ଏବଂ ଶେଷରେ ର଼୍ୟାଗିଂ ଦ୍ୱାରା ପୀଡିତ ଆଖି ବୁଜିଲା। ଶିକ୍ଷାବର୍ଷ ଆରମ୍ଭ ହେବା ପରଠାରୁ ଦେଖିବାକୁ ମିଳୁଛି ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ ହୋଇ ଶିକ୍ଷାନୁଷ୍ଠାନର ପରିବେଶ ରଣକ୍ଷେତ୍ରରେ ପରିଣତ ହେଉଛି। ଅଧ୍ୟକ୍ଷ ଓ କୁଳପତିମାନେ ଶିକ୍ଷାଦାନ ବ୍ୟବସ୍ଥା ସୁସଂହତ କରିବା ପରିବର୍ତ୍ତେ ପରିସରର ବିଶୃଙ୍ଖଳା ପ୍ରଶମନ କରିବାରେ ଅଧିକ ସମୟ ଦେଇ ବେଳେ ବେଳେ ଚରମ ଅସହାୟତା ପ୍ରକାଶ କରୁଛନ୍ତି। ଏହା ଫଳରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାମତ୍କ ଶିକ୍ଷାଦାନ ବ୍ୟାଘାତ ହେଉଛି। ସ୍ବୟଂଶାସିତ ମହାବିଦ୍ୟାଳୟ, ଏକକ ବିଶ୍ୱବିଦ୍ୟାଳୟ, ଡିମ୍‌ଡ ବିଶ୍ୱବିଦ୍ୟାଳୟ, କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କଥା ନ କହିଲେ ଭଲ। ଏହିସବୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନର ଗୁଣାମତ୍କ ମାନକୁ ଅଣଦେଖା କରି କେବଳ ସଂଖ୍ୟାମତ୍କ ମାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଶିକ୍ଷାନୁଷ୍ଠାନମାନଙ୍କରେ ପାଠ୍ୟଖସଡା ନବୀକରଣ ହେଉନାହିଁ। କର୍ମ ନିୟୋଜନ ପ୍ରଦାନ କଲାଭଳି ଆଧୁନିକ ପାଠ୍ୟକ୍ରମ ଅନୁସୃତ ହେଉନାହିଁ। କେଉଁ ବିଶ୍ୱବିଦ୍ୟାଳୟର ପାସ୍‌ ହାର କେତେ ବେଶି ହେଲା, କେତେ ପ୍ରତିଶତ ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଏଗୁଡିକ ଉପରେ ଗୁରୁତ୍ୱ ଦିଆଯାଉଛି। ସିବିଏସ୍‌ସି ପାଠ୍ୟ ଖସଡା ଯଦିଓ ପ୍ରବର୍ତ୍ତିତ ହୋଇଛି, ସେମିଷ୍ଟର ପରୀକ୍ଷା ହେଉଛି ତଥାପି କେତେକ ବିଷୟରେ ପାଠ୍ୟଖସଡା ଅସନ୍ତୁଳିତ ହୋଇଥିବାରୁ ଛାତ୍ରୀଛାତ୍ର ଏହାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପାଠପଢା ଶେଷ କରିି ଛାତ୍ରୀଛାତ୍ର କର୍ମସଂସ୍ଥାନ ନ ପାଇ ବେକାର ହୋଇ ନୈରାଶ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ ଚରମ ବିଶୃଙ୍ଖଳା ନିର୍ବାଚନୀ ହିଂସା ବ୍ୟତୀତ ର଼୍ୟାଗିଂ ଓ ଯୌନ ନିର୍ଯାତନା ଭଳି ଘଟଣା ମଧ୍ୟ ଘଟିଥାଏ। ଏହିସବୁ ବିଲକ୍ଷଣକୁ ମିଳିତ ପ୍ରଚେଷ୍ଟା ଦ୍ୱାରା ପ୍ରତିହତ କରାଯାଇପାରନ୍ତା। ଅଭିଭାବକ, ଛାତ୍ର, ଶିକ୍ଷକ, ଅଧ୍ୟକ୍ଷ, କୁଳପତିମାନଙ୍କ ମିଳିତ ଉଦ୍ୟମରେ ଏହାକୁ ରୋକାଯାଇପାରନ୍ତା। ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟି-ର଼୍ୟାଗିଂ ସେଲ୍‌ ଓ ଆଣ୍ଟି-ସେକ୍‌ସୁଆଲ ହାରାଶ୍‌ମେଣ୍ଟ ସେଲ୍‌ର କାର୍ଯ୍ୟକାରିତା ବାଧ୍ୟତାମୂଳକ ବୋଲି ସରକାର ଆଇନ ଦଶବର୍ଷ ତଳୁ କରିଛନ୍ତି। ମାତ୍ର ଏହି ସେଲ୍‌ଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରାଯାଉ ନ ଥିବାରୁ ଅନେକ ଶିକ୍ଷାନୁଷ୍ଠାନରେ ଏହା ଖାଲି କାଗଜପତ୍ରରେ ଚାଲିଛି। ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟର କ୍ଷମତାସମ୍ପନ୍ନ ଅଧିକାରୀମାନେ ଯଦି ଶ୍ରେଣୀଗୃହ ବାହାରେ ପରିସର ମଧ୍ୟରେ ବା ଛାତ୍ରାବାସଗୁଡିକରେ ରୀତିମତ ସ୍କ୍ବାଡ୍‌ ମାଧ୍ୟମରେ ଶୃଙ୍ଖଳା ରକ୍ଷା କରିବାକୁ ପ୍ରଚେଷ୍ଟା କରନ୍ତେ ତେବେ ର଼୍ୟାଗିଂ ବା ଯୌନ ନିର୍ଯାତନାକୁ ରୋକାଯାଇ ପାରନ୍ତା। ଲିଙ୍ଗ୍‌ଡୋ କମିଶନ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କଲେ ନିର୍ବାଚନୀ ହିଂସା ମଧ୍ୟ ରୋକାଯାଇପାରନ୍ତା। ମନୋଭାବ ପରିବର୍ତ୍ତନ ସହ ଆନ୍ତରିକତା ପ୍ରଦର୍ଶନ କଲେ ସବୁ ସମ୍ଭବ ହୋଇପାରିବ। 
 ଡ. କମଳା ପ୍ରସାଦ ମହାପାତ୍ର/ପ୍ରାକ୍ତନ୍‌ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...