Showing posts with label ଚିଟ୍‌ଫଣ୍ଡ୍‌. Show all posts
Showing posts with label ଚିଟ୍‌ଫଣ୍ଡ୍‌. Show all posts

Tuesday, 27 March 2018

କମ୍ପାନୀ ବଣ୍ଡ୍ ବନାମ ଚିଟ୍ଫଣ୍ଡ୍


 ଚିଟ୍‌ ହେଉଛି ରସିଦ୍‌ ରୂପକ କାଗଜ ଟୁକୁରା- ଆଗକାଳର ହାତଲେଖା ଏବେ ମୁଦ୍ରିତ କାଗଜ, ସାହୁକାର ଓ ଋଣୀ ଭିତରେ ଟଙ୍କା ନେଣଦେଣର ପ୍ରମାଣ। ଘରୋଇ ବା ଅନୌପଚାରିକ ଭାବେ ପୁଞ୍ଜି ଉଠାଇବାର ରସିଦ୍‌ ହେଉଛି ଚିଟ୍‌। ରସିଦର ସର୍ତ୍ତ ପାଳନ ନ କଲେ ତାହା ଚିଟିଙ୍ଗ ବା ଠକାମିରେ ପରିଣତ ହୋଇଥାଏ ବୋଲି ଲୋକେ ଚିଟ୍‌ଫଣ୍ଡ୍‌କୁ ଠକ ଫଣ୍ଡ୍‌ ବୋଲି କହନ୍ତି। ପୁଞ୍ଜି ଉଠାଣକାରୀ କମ୍ପାନୀମାନେ ଔପଚାରିକ ଭାବେ ଯେଉଁ ରସିଦ୍‌ ଦିଅନ୍ତି ତାହାକୁ ବଣ୍ଡ୍‌ କୁହାଯାଏ। କମ୍ପାନୀର ପୁଞ୍ଜିରେ ବଣ୍ଡ୍‌ଧାରୀର ଅଂଶକୁ ଏହା ସୂଚିତ କରେ। କମ୍ପାନୀ ଲାଭ କଲେ ଲାଭାଂଶ ବା ଡିଭିଡେଣ୍ଡ୍‌ ଦେବ, ବଣ୍ଡ୍‌କୁ ବି ବେଶି ଦରରେ ବିକିହେବ। ଯଦି କମ୍ପାନୀ ଫେଲ୍‌ ମାରିଲା ପୁଞ୍ଜି ଦେଇଥିବା ଲୋକ ମୂଳ ଟଙ୍କା ତ ଫେରି ପାଇବ ନାହିଁ, ଡିଭିଡେଣ୍ଡ୍‌ କଥା ଛାଡ। ତେଣୁ କମ୍ପାନୀର ବଣ୍ଡ୍‌ ଆଉ ଚିଟ୍‌ଫଣ୍ଡ୍‌ର ଚିଟ୍‌ ଭିତରେ ପ୍ରଭେଦ କେଉଁଠି ରହିଲା? ଉଭୟ ଭଣ୍ଡେଇ ଲୋକଙ୍କଠାରୁ ଟଙ୍କା ଛଡାଇ ନିଅନ୍ତି। ଉଭୟ ମାର୍କିନ୍‌ ଢାଞ୍ଚାର ଅନୁକରଣ। ଆମେରିକାରେ ଚିଟ୍‌ କାରବାରକୁ ପଞ୍ଜି ସ୍କିମ୍‌ କହନ୍ତି ଓ ବଣ୍ଡ୍‌କୁ ଶେୟାର (ଅଂଶଧନ) କହନ୍ତି ଏବଂ ବଣ୍ଡ୍‌ ବିକାକିଣାକୁ ଶେୟାର ବଜାର ବା ଷ୍ଟକ୍‌ ମାର୍କେଟ୍‌ କହନ୍ତି। ନିରିଖେଇ ଦେଖିଲେ ବଣ୍ଡ୍‌ ଆଉ ଚିଟ୍‌ ସମାନ। ଯେଉଁ ବଣ୍ଡ୍‌ଦେବା କମ୍ପାନୀ ଫେଲ୍‌ ମାରେ ତାହାର ବଣ୍ଡ୍‌ ତ ଚିଟ୍‌ଠାରୁ ଆହୁରି ଠକ। କମ୍ପାନୀମାନେ ସର୍ବସାଧାରଣଙ୍କଠାରୁ ଧନ ଉଠାଇବା ଲାଗି ଆଇପିଓ (ଇନିସିଆଲ୍‌ ପବ୍ଲିକ୍‌ ଅଫର୍‌) ଜରିଆରେ ବଣ୍ଡ୍‌ ବା ଋଣପତ୍ର ବିକନ୍ତି। ୧୦ ଟଙ୍କା ଲିଖିତ ମୂଲ୍ୟର ବଣ୍ଡ୍‌କୁ ୩୦୦ଟଙ୍କାରେ ବିକନ୍ତି, ବେଳେ ବେଳେ କମ୍‌ବେଶି ହୋଇଥାଏ। ୨୯୦ ଟଙ୍କା ଅଧିକା ଦେବ, କିନ୍ତୁ ଋଣଦେଇଛ ୧୦ ଟଙ୍କାର ବୋଲି ପ୍ରମାଣପତ୍ର ହେଉଛି ବଣ୍ଡ୍‌। ଯଦି କମ୍ପାନୀ ଲାଭ କଲା ତେବେ ଲାଭାଂଶ ମିଳିବ, ତାହା କିନ୍ତୁ ୧୦ ଉପରେ, ୩୦୦ ଉପରେ ନୁହେଁ। ଏ ଏକ ପ୍ରାରମ୍ଭିକ ଠକାମି, ସବୁଦିନ ପାଇଁ ତୁମର ୨୯୦ ଟଙ୍କା ଗଲା। କେବେ ଲାଭାଂଶ ପାଇବ ତାହା ଠିକ୍‌ ନାହିଁ, ଯେମିତି ଚିଟ୍‌ଫଣ୍ଡ୍‌ ଟଙ୍କା କେବେ ମିଳିବ ଠିକ୍‌ ନ ଥାଏ। ଜିଡିପି ବୃଦ୍ଧିର ମୂଳ ହେଉଛି ବଣ୍ଡ୍‌ କାରବାର, ଚିଟ୍‌ଫଣ୍ଡ୍‌ ଭଳି କାରବାର। ପ୍ରଭେଦ ଏତିକି ଯେ କମ୍ପାନୀ ତିଆରି କରୁଥିବା ଲୋକ ଫାଙ୍କି ମାରିଦେଲେ (ଦେବାଳିଆ ଘୋଷଣା କଲେ) ଦଣ୍ଡ ନାହିଁ, କିନ୍ତୁ ଚିଟ୍‌ଫଣ୍ଡ୍‌ବାଲା ଫୌଜଦାରି ଅପରାଧରେ ଜେଲ୍‌ ଓ ଜରିମାନା ଦେଇଥାଏ। ପୁଞ୍ଜିନିବେଶକାରୀର ପ୍ରଚ୍ଛନ୍ନ ପ୍ରବଞ୍ଚନା ବ୍ୟବସାୟର ଅଙ୍ଗ, ଗରିବର ପରୋକ୍ଷ ପ୍ରବଞ୍ଚନା ପିଙ୍ଗଳକୋଡ୍‌ ଧାରାର ଅଙ୍ଗ। ଠିକ୍‌ ଯେମିତି ଚିଟ୍‌ଫଣ୍ଡ୍‌ବାଲାଏ ଲୋକଙ୍କଠାରୁ ଲୁଟନ୍ତି, ସେହିପରି ବ୍ୟାଙ୍କମାନଙ୍କୁ ଓ ସରକାରଙ୍କୁ ଠକିଥିବା ଅର୍ବୁଦପତି (ବିଲିୟନେୟାର୍‌)ମାନେ ବିଦେଶ ପଳାନ୍ତି। ଏ ପ୍ରକାରର ଦେବାଳିଆ ପଳାତକଙ୍କୁ ଧରିବାର ଆଇନକୁ ତାଚ୍ଛଲ୍ୟ କରିଛନ୍ତି ଅନ୍ୟତମ କୁବେର କୁମାରମଙ୍ଗଲମ୍‌ ବିର୍ଲା। ଦେଶ ଓ ବିଦେଶରେ ଗୃହନିର୍ମାଣ ଲାଗି ଋଣର ଅନାଦାୟ ଯୋଗୁ ବିର୍ଲାଙ୍କ ଅଲଟ୍ରାଟେକ୍‌ ସିମେଣ୍ଟ କମ୍ପାନୀକୁ ଦେବାଳିଆ ଘୋଷଣା କରାହେବାର ଥିବାରୁ ସେ ତାଙ୍କ ପାଣ୍ଠିରୁ ୧୧୦ କୋଟି ଡଲାର ଉଧାର ଦେଇ ‘ସରକାରଙ୍କୁ ସାହାଯ୍ୟ’ କରିବେ ବୋଲି କହିଛନ୍ତି। କି ଆସ୍ପର୍ଦ୍ଧା! ତୁମ ଗୋଷ୍ଠୀର କମ୍ପାନୀମାନଙ୍କ ପାଖରେ ଧନ ଅଛି ଅଥଚ ତୁମ ସିମେଣ୍ଟ କମ୍ପାନୀଟି ଋଣ ପରିଶୋଧ କଲାନାହିଁ- ଏ ପ୍ରଶ୍ନର ଉତ୍ତର ମିଳିବ ଅର୍ବୁଦପତିମାନଙ୍କ ଆମ ଦେଶର ଆଇନ ପ୍ରତି ତାଚ୍ଛଲ୍ୟ ପ୍ରକାଶରେ। କ୍ରେଡ଼ିଟ୍‌ ସୁଇଟ୍‌ସର ହିସାବକୁ ଦେଖ ବା ଲୁକାସ ଚାନ୍‌ସେଲ ଓ ଟମାସ ପିକେଟ୍ଟିଙ୍କର ଆଲୋଚନା ଦେଖ, ସବୁଥିରେ ଜଳ ଜଳ ଦିଶୁଛି ଯେ ଆମେ ଦେଶର ସମ୍ପତ୍ତି ବଣ୍ଟନରେ ବଡ଼ ଅସମାନତା ଅଛି। ଏ ଅସମାନତା ଶତାବ୍ଦୀ ଶତାବ୍ଦୀ ଧରି ଥିଲା। ଅତି ଗରିବ ଥିଲେ, ବିଶ୍ୱର ସବୁଠାରୁ ଧନୀ ବି ଥିଲେ। ୧୯୩୭ରେ ଟାଇମ୍‌ ମାଗାଜିନ୍‌ ହାଇଦ୍ରାବାଦର ନିଜାମଙ୍କୁ ପୃଥିବୀର ସବୁଠୁ ଧନୀ ବ୍ୟକ୍ତି ଘୋଷଣା କରିଥିଲା। ୧୯୬୬ ବେଳକୁ ଭାରତର ଉଚ୍ଚତମ ଧନୀ ପରିବାର ୨ଲକ୍ଷ (ଶତକଡ଼ା ୦.୧ ଭାଗ)ଙ୍କ ହାତରେ ଯେତେ ସମ୍ପତ୍ତି ଥିଲା ତା’ ଭାରତର ଜିଡିପିର ଶତକଡ଼ା ୧୬-୧୭ ଭାଗ ମାତ୍ର। ଉପନିବେଶ ସମୟର ଅସମାନତାଠାରୁ ଏହା ଭଲ ଥିଲା ଏବଂ ଉଦାରୀକରଣ ପୂର୍ବ ପର୍ଯ୍ୟନ୍ତ ଏହା ଭଲ ଥିଲା। ୧୯୮୫ରେ ଭାରତର ଧନିକତମ ଦେଶର ଶତକଡା ୦.୧ ଭାଗଙ୍କ ହାତରେ ନିଟ୍‌୍‌ ସମ୍ପତ୍ତି ଯାହା ଥିଲା ତାହା ଜିଡିପିର ଶତକଡା ୪-୫ ଭାଗରୁ କମ୍‌ ଥିଲା। ୧୯୯୦ ଦଶକ ପରଠାରୁ ଧନୀମାନଙ୍କର ସାମାଜିକ ଢାଞ୍ଚା ବି ବଦଳିଲା। ଜମା ହୋଇ ରହିଥିବା ପୁରୁଣା ସମ୍ପତ୍ତି ନୂଆ ଶିଳ୍ପ ସମ୍ପତ୍ତିରେ ପରିଣତ ହେଲା; ଇକୋନମିକ୍‌ ଡାଇନିମିଜମ୍‌ ଆସିଲା ଯହିଁରେ ଅର୍ଥନୈତିକ ପ୍ରଭାବ ରାଜନୈତିକ ପ୍ରଭାବ ସହିତ ମିଶିଗଲା। ୨୦୦୭ ବେଳକୁ ଷ୍ଟକ୍‌ ମାର୍କେଟ୍‌ ପୁଞ୍ଜି ବଢିଯିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ପୃଥିବୀର ଧନୀତମ ବ୍ୟକ୍ତି ହୋଇଗଲେ। ଏବେ ତ ଭାରତର କୁବେର ବା ବିଲିୟନେୟାର ଗୋଷ୍ଠୀ ଦେଶର ଜିଡିପିର ଶତକଡ଼ା ୨୦ ଭାଗ ହାତେଇ ନେଇଛନ୍ତି। ଉତ୍ତରାଧିକାର ଉପରେ ଟିକସ, ସମ୍ପତ୍ତି କ୍ରୟବିକ୍ରୟ ଓ ପୁଞ୍ଜି କାରବାର ଉପରେ ଟିକସ କାରଣରୁ ପ୍ରଥମେ ପ୍ରଥମେ ଅତିଧନୀମାନଙ୍କ ସଂଖ୍ୟା କମୁଥିଲା। ଏଗୁଡ଼ିକୁ କୋହଳ କରି ବଜାର ସଂସ୍କାର ଢଙ୍ଗ ବା ଟ୍ରେଣ୍ଡ୍‌ ଧନୀ ଦେଶମାନଙ୍କ ଢାଞ୍ଚାକୁ ଅନୁକରଣ କଲା। ପିକେଟ୍ଟି ତାଙ୍କ ବହି କ୍ୟାପିଟାଲ ଇନ୍‌ ଦି ଟ୍ବେଣ୍ଟି ଫାଷ୍ଟ ସେଞ୍ଚୁରିରେ ଉଲ୍ଲେଖ କରିଛନ୍ତି, ଏହା ଏକ ଇନ୍‌ଭର୍‌ଟେଡ କୁଜ୍‌ନେଟ କର୍ଭ (ଓଲଟା ୟୁ ଅକ୍ଷର ଆକାର)ର ଧନ-କେନ୍ଦ୍ରୀକରଣ ଆଣିଦେଇଛି। ଦେଶରେ ଗଣତନ୍ତ୍ର ଉଧେଇବାକୁ ହେଲେ ଆର୍ଥିକ ସମ୍ପଦର ଗଣତାନ୍ତ୍ରିକୀକରଣ ଦରକାର, ସର୍ବଜନହିତାୟ ନ୍ୟାୟପୂର୍ଣ୍ଣ ଅଭିବୃଦ୍ଧି ଏକ ଅପରିହାର୍ଯ୍ୟ ଅଙ୍ଗ ହେବା କଥା। କିନ୍ତୁ ଆମେ ଏହାର ବିପରୀତରେ ଗତି କରୁଛୁ ଏବଂ ଗଣତନ୍ତ୍ରକୁ ହତ୍ୟା କରୁଛି ଧନୀମାନଙ୍କ ପ୍ରତିପତ୍ତି, ଯେଉଁମାନଙ୍କ ଧନ ଯୋଗୁ ଜିଡିପି ବଢ଼ୁଛି ସତ, ଦେଶର ଶତକଡା ୯୯ ଭାଗଙ୍କର ରୋଜଗାର-ଧନ ବଢୁନାହିଁ। ଯେ ପର୍ଯ୍ୟନ୍ତ ଅତି ଧନୀ ବା କୁବେରମାନେ ଯେଉଁ ହାରରେ ଧନ ବଢାଉଛନ୍ତି ସେହି ହାରରେ ଜଣେ ସାଧାରଣ ନାଗରିକ ତାହାର ଧନ ବଢାଇ ପାରିବ ନାହିଁ, ସେ ପର୍ଯ୍ୟନ୍ତ ଗଣତନ୍ତ୍ର ବିପନ୍ନ ହେଲା ବୋଲି ଜାଣିବ।
     
  - ସହଦେବ ସାହୁ   (ମୋ- ୭୦୦୮୭୬୪୦୩୪, ଇମେଲ୍‌: sahadevas@yahoo.com)


ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...