Showing posts with label ସମ୍ପାଦକୀୟ. Show all posts
Showing posts with label ସମ୍ପାଦକୀୟ. Show all posts

Thursday, 24 December 2020

ବୁଢ଼ୀ ଅସୁରୁଣୀ

 

ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି, ସେମାନେ ଅନେକ ସମୟରେ ଚକିତ ହୋଇ ଥାଆନ୍ତି ଯେ କାହାଣୀରେ ବିଦ୍ୟମାନ ଥିବା ଅତ୍ୟନ୍ତ ସୈତାନୀ ପ୍ରକୃତିର ବୁଢ଼ୀ ଅସୁରୁଣୀର ଜୀବନଟି ତା’ ଶରୀରରେ ନ ଥାଇ ଥାଏ ସାତ ତାଳ ପାଣି, ତା’ ତଳେ ଚଉଦ ମଣିଷ ପଙ୍କ, ତା’ ତଳେ ଏକ ବିଶାଳ ପ୍ରାସାଦ, ପ୍ରାସାଦ ଭିତରେ କେଉଁ ଏକ ପ୍ରକୋଷ୍ଠର ନିଭୃତ କୋଣରେ ଏକ କ୍ଷୁଦ୍ର ଫରୁଆ ଏବ˚ ତା’ ମଧୢରେ କ୍ଷୁଦ୍ରରୁ କ୍ଷୁଦ୍ରତର ଆହୁରି ଅନେକ ଫରୁଆ ଭିତରେ ସର୍ବଶେଷ ଫରୁଆର ଅଭ୍ୟନ୍ତରରେ ସ୍ଥାନିତ ଏକ ପତଙ୍ଗ ଠାରେ; ଯାହାକୁ ମାରିଲେ ବୁଢ଼ୀ ଅସୁରୁଣୀର ନିପାତ ସମ୍ଭବ ହୋଇଥାଏ। ସୁତରା˚, ଗଳ୍ପମାନଙ୍କରେ ଯାହା ଦେଖିବାକୁ ମିଳିଥାଏ ତାହା ହେଲା ଅକସ୍ମାତ୍‌ କୌଣସି ଏକ ବିରଳ କ୍ଷଣରେ ଜଣେ ଅତ୍ୟନ୍ତ ଦିବ୍ୟ ଗୁଣ ସ˚ପନ୍ନ ରାଜକୁମାରର ଆବିର୍ଭାବ ଘଟି ଅତ୍ୟନ୍ତ କଠିନ ପରିଶ୍ରମ ସହିତ ବୁଢ଼ୀ ଅସୁରୁଣୀର ଅନ୍ତ ନ ଘଟାଇଲା ପର୍ଯ୍ୟନ୍ତ ତାର ସୈତାନୀ ଜୀବନ ଫରୁଆର ସେହି ଅପହଞ୍ଚ ଅନ୍ଧକାର ଗହ୍ବରରେ ସ୍ପନ୍ଦିତ ହୋଇ ଚାଲିଥାଏ। ଏହି ଆଧାରରେ ଯଦି ସେହି ବୁଢ଼ୀ ଅସୁରୁଣୀକୁ ମଣିଷ ମନର ବିକୃତିର ଏକ ପ୍ରତୀକ ବୋଲି ଗ୍ରହଣ କରାଯାଏ, ତେବେ ତାହା ହୁଏ’ତ ଭୁଲ ହେବ ନାହିଁ କାରଣ ଯାହା ଦେଖିବାକୁ ମିଳିଛି ତାହା ହେଲା ହଜାର ହଜାର ବର୍ଷର ସଭ୍ୟତାର ବିକାଶ କ୍ରମରେ ମଣିଷ ଅତ୍ୟନ୍ତ ପରିଚ୍ଛନ୍ନ ଆଚରଣ ପ୍ରଦର୍ଶନ କରୁଥିବା ସତ୍ତ୍ବେ ତା’ ମନର ଗହ୍ବରରେ ଅନେକ ସୈତାନୀ ବିକୃତ ଠିକ୍‌ ବୁଢ଼ୀ ଅସୁରୁଣୀର ଗୋପନ ଜୀବନ ନାଟିକା ଭଳି ଜୀବନ୍ତ ରହିଛି। ଏହାର ଅନେକ ଉଦାହରଣ ମିଳିଥାଏ। ତେବେ ସେ ସବୁ ମଧୢରୁ ଯେଉଁ ଗୋଟିକୁ ଉପସ୍ଥାପନ କରାଯିବା ଏଠାରେ ପ୍ରାସଙ୍ଗିକ ହେବ, ତାହା ହେଲା ‘ଚିଲ୍‌ଡ୍ରେନ୍‌ ପ୍ରୋଟେକ୍‌ସନ୍‌ ଫଣ୍ତ୍‌’ (‘ଶିଶୁ ସୁରକ୍ଷା ପାଣ୍ଠି’ ବା ‘ସିପିଏଫ୍‌’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ, ଯାହା କହିଥାଏ ଯେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସାମାଜିକ ଗଣମାଧୢମରେ ଉପଲବ୍‌ଧ ‘ଶିଶୁ ଯୌନ ଶୋଷଣ’ ସମ୍ବଳିତ ଭିଡିଓ ଦେଖିବା ସକାଶେ ଭାରତୀୟମାନଙ୍କ ଭିଡ଼ ୯୫% ବୃଦ୍ଧି ପାଇଥିଲା। ‘ପର୍ନ‌୍‌ ହବ୍‌’ ନାମଧାରୀ ପୃଥିବୀର ଦ୍ବିତୀୟ ବୃହତ୍ତମ ଅଶ୍ଳୀଳ ସାମାଜିକ ଗଣମାଧୢମ ମଞ୍ଚ ଦ୍ବାରା ପ୍ରକାଶିତ ସୂଚନା ଆଧାରରେ ‘ସିପିଏଫ୍‌’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଥିଲା। କେବଳ ସେତିକି ନୁହେଁ ‘ଚାଇଲଡ୍‌ ଅନଲାଇନ ଇଣ୍ତିଆ ହେଲ୍‌ପଲାଇନ୍‌’ ନାମକ ଏକ ସ˚ସ୍ଥା ପକ୍ଷରୁ ମଧୢ କୁହାଯାଇଛି ଯେ ଲକ୍‌ଡାଉନ୍‌ ଘୋଷିତ ହେବାର ମାତ୍ର ୧୧ ଦିନ ମଧୢରେ ସେହି ସ˚ସ୍ଥା ୯୨ ହଜାରଟି ‘ଏସ୍‌.ଓ.ଏସ୍‌.’ ଫୋନ୍‌ କଲ ପାଇଥିଲା, ଯହିଁରେ ଯୌନ ଉତ୍ପୀଡ଼ନକାରୀ ସୈତାନମାନଙ୍କ କବଳରୁ ଶିଶୁମାନଙ୍କୁ ରକ୍ଷା କରିବା ଲାଗି ଆକୁଳ ପ୍ରାର୍ଥନା ଶୁଣିବାକୁ ମିଳିଥିଲା। ଆଜି ଏହି ସ୍ତମ୍ଭରେ ଏଭଳି ଏକ ପ୍ରସଙ୍ଗ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି, କାରଣ ପୁଲିସ ଅନୁସନ୍ଧାନ ରିପୋର୍ଟ ଆଧାରରେ ଗଣମାଧୢମରେ ପ୍ରକାଶିତ ହୋଇଛି ଯେ ନୟାଗଡ଼ର ପାଞ୍ଚ ବର୍ଷ ବୟସ୍କା ଶିଶୁ ପରୀକୁ ଯୌନ ନିର୍ଯାତନା ଦେବା ପରେ ହିଁ ହତ୍ୟା କରାଯାଇଛି।

 

 

 

କହିବା ବାହୁଲ୍ୟ ଯେ ଗତ କିଛି ବର୍ଷ ଧରି ଶିଶୁ ଯୌନ ଉତ୍ପୀଡ଼ନ-କୈନ୍ଦ୍ରିକ ବିକୃତିର ସ˚ଖ୍ୟା ବୃଦ୍ଧି ପାଇ ଏକ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କଲାଣି। ଏଥି ଲାଗି ଶିଶୁ ଅପହରଣର ସ˚ଖ୍ୟା ମଧୢ ବୃଦ୍ଧି ପାଇଛି। ‘ନେସନାଲ କ୍ରାଇମ ରେକର୍ଡସ ବ୍ୟୁରୋ’ ପକ୍ଷରୁ ପ୍ରକାଶିତ ତଥ୍ୟ କହିଥାଏ ଯେ ୨୦୧୮ ଓ ୨୦୧୯ରେ ଆମ ରାଜ୍ୟରେ ୫୫୦୩ ସ˚ଖ୍ୟକ ଶିଶୁ ଲାପତ୍ତା ଅଛନ୍ତି। କେବଳ ୨୦୧୯ରେ ଏହି ନିରୁଦ୍ଦିଷ୍ଟ ଶିଶୁଙ୍କ ସ˚ଖ୍ୟା ଥିଲା ୩୧୫୧। ଏଭଳି ଏକ ସ୍ଥିତିରେ ଆମ ରାଜ୍ୟରେ ଠାବ କରାଯାଉଥିବା ଶିଶୁଙ୍କ ହାର ହତାଶାଜନକ ଭାବେ ଅତ୍ୟନ୍ତ କମ୍‌ ଯାହା ଗତ ବର୍ଷ ଥିଲା ମାତ୍ର ୨୭.୧ ପ୍ରତିଶତ। ଏଣୁ ନିରୁଦ୍ଦିଷ୍ଟ ହୋଇ ରହିଥିବା ଶିଶୁଙ୍କ ସ˚ଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବାରେ ଲାଗିଛି। କହିବା ଅନାବଶ୍ୟକ ଯେ ଏହି ଶିଶୁମାନଙ୍କ ମଧୢରୁ ଅସ˚ଖ୍ୟ ବିଭିନ୍ନ ଶିଶୁ ଚାଲାଣକାରୀ ରୢାକେଟ୍‌ ହାତରେ ପଡୁଥିବେ; ଯାହା ମାଧୢମରେ ଅନେକ ହତଭାଗ୍ୟ ଶିଶୁ ସ˚ଗଠିତ ‘ଯୌନ ଶୋଷଣ’ କାରବାରରେ ଆପଣା ସତ୍ତା ହରାଉଥିବେ। ନିକଟରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାରେ ପ୍ରକାଶିତ ଓ ନିକୋଲସ କ୍ରିଷ୍ଟଫ୍‌ଙ୍କ ଦ୍ବାରା ଲିଖିତ ଆଲେଖ୍ୟ ‘ଦ ଲଷ୍ଟ ଚିଲ୍‌ଡ୍ରେନ୍‌ ଅଫ୍‌ ପର୍ନ‌୍‌ ହବ୍‌’ କହିଥାଏ କିଭଳି ଏହି ସାମାଜିକ ଗଣମାଧୢମ ମଞ୍ଚ(ପର୍ନ‌୍‌ ହବ୍‌ )ରେ ଉପଲବ୍‌ଧ ହଜାର ହଜାର ସ˚ଖ୍ୟକ ଭିଡିଓରେ ପୃଥିବୀର ଅଗଣିତ ଯୌନ ବିକୃତି ସ˚ପନ୍ନ ବ୍ୟକ୍ତି ଦୁଷ୍କର୍ମ, ଶିଶୁ ବଳାତ୍କାର, ପ୍ରତିଶୋଧମୂଳକ ଯୌନ ବ୍ୟଭିଚାର ଇତ୍ୟାଦିର ଦୃଶ୍ୟ ଉପଭୋଗ କରିଥାଆନ୍ତି। ତହିଁ‌େର ପ୍ରକାଶ ପାଇଥିବା ଆଉ ଏକ ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ହେଲା, ଏହି ବିକୃତ ଜାନ୍ତବ କ୍ଷୁଧାକୁ ପ୍ରଶମିତ କରିବା ଲାଗି ଲକ୍ଷ ଲକ୍ଷ ବ୍ୟକ୍ତି ବିଭିନ୍ନ ଉପାୟରେ ଏଭଳି ଭିଡିଓମାନ ତିଆରି କରି ଅପଲୋଡ୍‌ କରିବାରେ ବ୍ୟାପୃତ। ଏ ସ˚ଦର୍ଭରେ ଏକ ଘୋର ବିଡ଼ମ୍ବନା ହେଲା ‘ପର୍ନ ହବ୍‌’ ନିଜକୁ ଏକ ସ୍ବଚ୍ଛ, ପେସାଦାର ଏବ˚ ଦୃଢ଼ ବ୍ୟାବସାୟିକ ନୀତି ଦ୍ବାରା ପରିଚାଳିତ ସ˚ସ୍ଥା ବୋଲି ଦାବି କରିଥାଏ ଏବ˚ ‘ନ୍ୟୁୟର୍କ ଟାଇମ୍‌ସ’ରେ ଉପରୋକ୍ତ ଆଲେଖ୍ୟ ପ୍ରକାଶ ପାଇବା ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ସ˚ସ୍ଥା ପକ୍ଷରୁ ଆଶ୍ବାସନା ମଧୢ ପ୍ରଦାନ କରାଯାଇଛି।

 

 

 

 

 

ଏ ପରିପ୍ରେକ୍ଷୀରେ ‘ପର୍ନ ହବ୍‌’ ଭଳି ଏକ େଵବ୍‌ସାଇଟ୍‌ର ଜନପ୍ରିୟତା କେତେ ଅଧିକ; ତା ଉପରେ କିଞ୍ଚିତ ଆଲୋକପାତ କରାଯାଇପାରେ। ଏହି ‘ସାଇଟ୍‌’ରେ ଅଶ୍ଳୀଳ ଭିଡିଓର ଦର୍ଶକଙ୍କ ସ˚ଖ୍ୟା ହେଉଛି ମାସକୁ ପ୍ରାୟ ୨.୮ ଟ୍ରିଲିଅନ୍‌, ଯାହା ‘ନେଟ୍‌ଫ୍ଲିକ୍‌ସ’ ଏବ˚ ‘ଆମାଜନ୍‌’ର ଦର୍ଶକଙ୍କ ମିଳିତ ସ˚ଖ୍ୟା ଠାରୁ ଅଧିକ। କେବଳ ସେତିକି ନୁହେଁ ଭାରତୀୟମାନଙ୍କୁ ଅସ୍ବସ୍ତିରେ ପକାଇଲା ଭଳି ‘ପର୍ନ ହବ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସର୍ବାଧିକ ସ˚ଖ୍ୟାରେ ଅଶ୍ଳୀଳତା ଉପଭୋଗ କରୁଥିବା ନାଗରିକଙ୍କ ଦେଶଗୁଡ଼ିକର ତାଲିକାରେ ଭାରତର ସ୍ଥାନ ହେଉଛି ତୃତୀୟ ଏବ˚ ଏହା ଉପରକୁ ଯେଉଁ ଦୁଇଟି ରାଷ୍ଟ୍ର ଅଛନ୍ତି ସେମାନେ ହେଲେ ଯଥାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ‘ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌’। ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ଅଶ୍ଳୀଳତାର ସୃଷ୍ଟି ଓ ପ୍ରସାର ବିରୋଧରେ ଆଇନ ରହିଛି, ଏବ˚ ୨୦୧୫ ଏବ˚ ୨୦୧୮ର ନିଷେଧାଦେଶ ପରେ ୩,୫୦୦ରୁ ଅଧିକ ଅଶ୍ଳୀଳ େଵବ୍‌ସାଇଟ୍‌କୁ ନିଷେଧ କରାଯାଇଛି। କିନ୍ତୁ ଏକ ରିପୋର୍ଟ ଅନୁସାରେ ଏଭଳି ପ୍ରାୟ ୪ କୋଟି େଵବ୍‌ସାଇଟ୍‌ ଆମ ଦେଶରେ ସକ୍ରିୟ, ଯେଉଁଗୁଡ଼ିକୁ ଖୋଜି ଖୋଜି ବନ୍ଦ କରାଯିବା ସମ୍ଭବ ନୁହେଁ।ଏଠାରେ ଯାହା ଉଲ୍ଲେଖନୀୟ ତାହା ହେଲା, ଯେତେବେଳେ ୨୦୧୮ରେ ଦ୍ବିତୀୟ ଥର ଲାଗି ‘ପର୍ନୋଗ୍ରାଫି’ (ସ˚କ୍ଷେପରେ ‘ପର୍ନ‌୍‌’) ନିରୋଧକ କଟକଣାର ପ୍ରବର୍ତ୍ତନ କରାଗଲା, ସେତିକି ବେଳେ ଏ ସ˚ଦର୍ଭରେ ସନ୍ଦେହ ମୋଚନ କରିବା ଲାଗି ଅସ˚ଖ୍ୟ ଭାରତୀୟ ‘ଗୁଗଲ୍‌’କୁ ଯେଉଁ ପ୍ରଶ୍ନମାନ କରିଥିଲେ, ତା’ର ଏକ ବିଶାଳ ଅ˚ଶ ଥିଲା ‘ଚାଇଲ୍‌ଡ ପର୍ନୋଗ୍ରାଫି’ ବା ‘ଶିଶୁମାନଙ୍କୁ ନେଇ ଅଶ୍ଳୀଳତା’ ଦେଖିପାରିବାର ସମ୍ଭାବନା ସମ୍ବନ୍ଧୀୟ, ଯେଉଁ ସ˚ଦର୍ଭରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ସମ୍ଭବତଃ ସେମାନଙ୍କୁ ବିବ୍ରତ କରି ପକାଇଥିଲା। ଏହା ଏକ ବିମର୍ଷକର ଚିତ୍ର ପ୍ରଦାନ କରିଥାଏ। ମନସ୍ତତ୍ତ୍ବବିତ୍‌ମାନେ କହି ସାରିଛନ୍ତି ଯେ ମନୁଷ୍ୟ ମନରୁ ଯୌନ ବିକୃତିର ଅନ୍ତ ହେବା ଏକ ଅସମ୍ଭବ ବ୍ୟାପାର। ସୁତରାଂ, ଏ ପରିପ୍ରେକ୍ଷୀରେ କୁହାଯାଇପାରେ କି ପୁଲିସ ପ୍ରଶାସନର ଦକ୍ଷତା ଓ କଠୋର ଆଭିମୁଖ୍ୟ, ଛୋଟ ପିଲାମାନଙ୍କ ଉପରେ ଅଭିଭାବକମାନଙ୍କ ସର୍ବଦା ସତର୍କ ନଜର ତଥା ଏକ ବିକଶିତ ସାମାଜିକ ସଚେତନତା ହିଁ ପରିସ୍ଥିତିରେ କିଛିଟା ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରେ। ଏହା ସହିତ ଯାହା ସ୍ମରଣରେ ରହିବା ଜରୁରୀ, ତାହା ହେଲା ଆମର ଅତ୍ୟନ୍ତ ଅନ୍ତରଙ୍ଗ ପରିବେଷ୍ଟନୀ ମଧୢରେ ବୁଢ଼ୀ ଅସୁରୁଣୀ ଅତ୍ୟନ୍ତ ସନ୍ତର୍ପଣରେ ସୁଯୋଗ ଅପେକ୍ଷାରେ ଛକି ରହିଛି; ଅଥଚ ଯାହାକୁ ନିପାତ କରିବା ଲାଗି ସେଭଳି ରାଜପୁତ୍ର ଦୂରଦୂରାନ୍ତରେ ବି ଦୃଷ୍ଟିଗୋଚର ହେଉନାହିଁ।

ଉତ୍କୋଚ ଥିଲା, ଅଛି ଓ ରହିଥିବ

 

ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ପାଖକୁ ଜଣେ ଭଦ୍ରବ୍ୟକ୍ତି ଚରିତ୍ର ପ୍ରମାଣପତ୍ର ନେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତି ଜଣେ ରାଜନେତା ମଧୢ ଥିଲେ ଏବ˚ ଏକାଧିକ ବାର ସେ ଲୋକସଭା ଏବ˚ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଭଦ୍ରବ୍ୟକ୍ତି ବାରମ୍ବାର କହୁଥିଲେ, ମୁଁ ଜଣେ ସାଧୁ, ସଚ୍ଚୋଟ ମଣିଷ, କେବେ କାହାଠାରୁ ପାଞ୍ଚ ପଇସା ବି ନେଇନାହିଁ। ଏଥିରେ ସୁରେନ୍ଦ୍ର ମହାନ୍ତି ଟିକେ ବିରକ୍ତ ହୋଇଯାଇ ପଚାରିଲେ, ଆପଣ କ’ଣ କରନ୍ତି? ସେ କହିଲେ, ମୁଁ ଜଣେ ଶିକ୍ଷକ। ସୁରେନ୍ଦ୍ର ମହାନ୍ତି ହସି ଦେଇ କହିଲେ, ବଳଦର ବ୍ରହ୍ମଚର୍ଯ୍ୟ! ଏକ୍‌ସାଇଜ, ସେଲ୍‌ସ ଟାକ୍‌ସ, ସପ୍ଲାଇ ବିଭାଗରେ କାମ କରି ଯଦି ତୁମେ ସଚ୍ଚୋଟ ରହିଥାନ୍ତ, ତେବେ ତୁମର ସଚ୍ଚୋଟତା ବୁଝିହୁଅନ୍ତା। ଶିକ୍ଷକତାରେ ଦୁର୍ନୀତି କରିବାର ସୁଯୋଗ କାହିଁ?

 

ଦୁର୍ନୀତି କରିବାକୁ ସୁଯୋଗ ମିଳୁଥିଲେ ଜଣେ ଦୁର୍ନୀତି କରିବ। ଅମିନ, ରାଜସ୍ବ ନିରୀକ୍ଷକ, କଲେକ୍ଟର ଅଫିସ୍‌ର ବରିଷ୍ଠ କିରାଣି, ସିଡିପିଓ, ବନବିଭାଗର ରେଞ୍ଜ ଅଫିସର, ସେଲ୍‌ସ ଟାକ୍‌ସ ଅଫିସର, ତହସିଲଦାର, ବିଡିଓ, ଡିଏଫ୍‌ଓ, ଇଞ୍ଜିନିୟର ଇତ୍ୟାଦି ଦୁର୍ନୀତି ଅପରାଧରେ ଭିଜିଲାନ୍‌ସ ଜାଲରେ ପଡୁଛନ୍ତି। ଏବେ ଶିକ୍ଷକ, ଅଧୢାପକଙ୍କ ଘରକୁ ମଧୢ ଭିଜିଲାନ୍‌ସ ଚଢ଼ଉ କରୁଛି। ଶିକ୍ଷକ ଓ ଅଧୢାପକଙ୍କ ମାଧୢମରେ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଏବେ ସେମାନଙ୍କୁ ସୁଯୋଗ ମିଳୁଛି। ଏବେ କିନ୍ତୁ ଚର୍ଚ୍ଚାରେ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କର ଦୁର୍ନୀତି। ଏହି ବରିଷ୍ଠ ଅଫିସରଙ୍କର ସମ୍ପତ୍ତି ଏବ˚ ବିଳାସପୂର୍ଣ୍ଣ ଜୀବନଶୈଳୀ ରାଜ୍ୟବାସୀଙ୍କୁ ଚକିତ କରିଛି। ଚର୍ଚ୍ଚା ହେଉଛି ଯେ ରାଜ୍ୟର ଇତିହାସରେ ଏତେବଡ଼ ଦୁର୍ନୀତିଖୋର ଅଫିସର ପ୍ରଥମ ଥର ପାଇଁ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛି। କୋଭିଡ୍‌ର କଟକଣା ସମୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ବିପର୍ଯ୍ୟସ୍ତ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା, ସାଧାରଣ ଲୋକେ ହନ୍ତସନ୍ତ; ସେଇ ସମୟରେ ବନବିଭାଗର ଏହି ବାବୁ ଭଡ଼ା ଉଡ଼ାଜାହାଜରେ କୋଡ଼ିଏ ଥର ପୁନେ, ମୁମ୍ବାଇ, ପାଟନା ଯାଇଛନ୍ତି ଏବ˚ ଭଡ଼ା ବାବଦକୁ ତିନି କୋଟି ଟଙ୍କା ଦେଇଛନ୍ତି। ଛୁଟି କଟେଇବାକୁ ବିଦେଶ ଭ୍ରମଣ କରିଛନ୍ତି। ଭୁବନେଶ୍ବର, ପାଟନା, ମୁମ୍ବାଇ, ପୁନେ ଆଦି ସହରରେ ଘର କରିଛନ୍ତି। ଗୋଟିଏ ଦିନ ପାଇଁ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଭଡ଼ା ଦେଇ ହୋଟେଲରେ ରହିଛନ୍ତି। ମାତ୍ର କିଛି ଦିନରେ ମୁମ୍ବାଇର ମହଙ୍ଗା ଓ ସମ୍ଭ୍ରାନ୍ତ ତାଜ ପାଲେସ ହୋଟେଲରେ ନବେ ଲକ୍ଷ ଟଙ୍କା ଉଡ଼େଇ ଦେଇଛନ୍ତି। ଏକାଧିକ ବିଳାସପୂର୍ଣ୍ଣ କାର୍‌ ରଖିଛନ୍ତି, ଗୋଟିଏ ଗୋଟିଏ କାର୍‌ର ଦାମ୍‌ କୋଟିଏ ଟଙ୍କାରୁ ଅଧିକ। ଜଣେ ସରକାରୀ ଚାକିରିଆ ଦୁର୍ନୀତି ଉପାୟରେ ଏତେ ରୋଜଗାର କରି ଏପରି ବିଳାସପୂର୍ଣ୍ଣ ଜୀବନ କାଟିପାରେ, ସାଧାରଣତଃ ବିଶ୍ବାସ କରି ହେଉନି।

 

 

ପ୍ରତିଦିନ ଖବରକାଗଜରେ ଭିଜିଲାନ୍‌ସ ଜାଲରେ ପଡ଼ି କୌଣସି ନା କୌଣସି କର୍ମଚାରୀ ଗିରଫ ହେବାର ଖବର ବାହାରୁଛି। କିନ୍ତୁ ଦୁର୍ନୀତି ବା ଲାଞ୍ଚ କାରବାର ହ୍ରାସ ପାଉନି। ସୁଯୋଗ ଥିଲେ ଦୁର୍ନୀତିଖୋର କର୍ମଚାରୀ ତାକୁ ହାତ ଛଡ଼ା କରୁନି। କର୍ମଚାରୀର ଦୁର୍ନୀତି ରୋକିବାକୁ ହେଲେ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଲୋଡ଼ା। ଦୁର୍ନୀତି ଦୂର କରିବା ଏବ˚ ପ୍ରଶାସନରେ ସ୍ବଚ୍ଛତା ଆଣିବାକୁ ପଦକ୍ଷେପ ନିଆଯାଉଛି। ଯେମିତି କମ୍ପ୍ୟୁଟର୍‌କରଣ। ଉଦାହରଣ ସ୍ବରୂପ ଅନ୍‌ଲାଇନରେ ଟିକେଟ କାଟିବା ପ୍ରଚଳନ ପରେ ରେଳବାଇରେ ଦୁର୍ନୀତି କମିଛି, କର ପ୍ରଶାସନରେ କମ୍ପ୍ୟୁଟର ମାଧୢମରେ ପଞ୍ଜୀକରଣ କରିବା, ରିଟର୍ଣ୍ଣ ଦାଖଲ କରିବା, େଵ ବିଲ୍‌ ନବା ପରଠୁ ଲାଞ୍ଚ କାରବାର ହ୍ରାସ ପାଇଛି। ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ କରିବାକୁ ଜଣଙ୍କୁ ଅଫିସ ଯିବାକୁ ପଡୁନି। ସେଲ୍‌ସ୍‌ ଟାକ୍‌ସ ବଦଳରେ ଜିଏସ୍‌ଟିର ପ୍ରବର୍ତ୍ତନ ଫଳରେ ଅନେକା˚ଶରେ ଦୁର୍ନୀତି ହ୍ରାସ ପାଇଛି। ମୁଖ୍ୟତଃ, ଜିଏସ୍‌ଟିରେ କ୍ରୟ ମୂଲ୍ୟ ଉପରେ ପୈଠ କର ଫେରସ୍ତ ବ୍ୟବସ୍ଥା ବା ଇନ୍‌ପୁଟ୍‌ ଟାକ୍‌ସ କ୍ରେଡିଟ ପାଇଁ। ଇନ୍‌ପୁଟ ଟାକ୍‌ସ କ୍ରେଡିଟ ପାଇବାକୁ ହେଲେ ଜଣଙ୍କୁ ବିଲ୍‌ ବା ଇନଭଏସ୍‌ ରଖିବା ଆବଶ୍ୟକ। କମ୍ପ୍ୟୁଟରରେ ମେଳକ ଫଳରେ ଠକେଇ ଧରାପଡ଼ିଯାଉଛି। କେବଳ ସରକାରୀ କର୍ମଚାରୀମାନଙ୍କର ଦୁର୍ନୀତି କମିନାହିଁ; ଯେଉଁ ବ୍ୟବସାୟୀ ଠକିବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧୢ ଧରାପଡ଼ୁଛନ୍ତି। ଏହି ବର୍ଷେ ଦେଢ଼ବର୍ଷ ଭିତରେ ଓଡ଼ିଶାରେ ଦଶ ବାର ଜଣ ବ୍ୟବସାୟୀ ଧରାପଡ଼ି ଜେଲ ଯାଇଛନ୍ତି।

 

କମ୍ପ୍ୟୁଟର୍‌କରଣ ହେଉ କିମ୍ବା ପ୍ରଶାସନର ସ୍ବଚ୍ଛତା ପାଇଁ ବ୍ୟବସ୍ଥାର ପରିବର୍ତ୍ତନ ହେଉ ଏହାର ମଧୢ ସୀମା ରହିଛି। ଯେତେ ସତର୍କତା ଗ୍ରହଣ କଲେ ବି ଦୁର୍ନୀତିଖୋର ଲୋକର ଉର୍ବର ମସ୍ତିଷ୍କରୁ ବାଟଟିଏ ବାହାରିଯିବ। ଲକ୍ଷେ ଗଛ ଲଗେଇବାକୁ ମଞ୍ଜୁରି ହୋଇଛି, ସେଥିପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି, ଲକ୍ଷେ ଗଛ ଲାଗିଲା, ନା ହଜାରେ ଗଛ ଲାଗିଛି, ଦେଖୁଛି ବା ଗଣୁଛି କିଏ? କେନ୍ଦୁପତ୍ରକୁ ବିକ୍ରି କରି ଦେଇ, ଫଡ଼ିଘର (ଯୋଉଠି କେନ୍ଦୁପତ୍ର ରୁହେ)କୁ ନିଆଁ ଲଗେଇ, ନକ୍‌ସଲ ପୋଡ଼ି ଦେଲେ କହିଲେ, କୋଉ ବ୍ୟବସ୍ଥା ଧରିପାରିବ? ଯୋଉ ବରିଷ୍ଠ ବନାଧିକାରୀ ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି, ସେ ଗୋଟିଏ ମାସରେ କିମ୍ବା ଗୋଟିଏ ବର୍ଷରେ ଏତେ ସମ୍ପତ୍ତି କରିନାହାନ୍ତି। ଅଧସ୍ତନ କର୍ମଚାରୀ ବା ଉପରିସ୍ଥ ହାକିମଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା ବିନା ଏହା ସମ୍ଭବ ନୁହେଁ। ସରକାରୀ କର୍ମଚାରୀଙ୍କର ଗୁପ୍ତ ଚରିତ୍ର ପଞ୍ଜିକା ଉପର ହାକିମ ଲେଖନ୍ତି। ସେଥିରେ ଗୋଟିଏ ସ୍ତମ୍ଭ ଅଛି ସଚ୍ଚୋଟତା। ଉପର ହାକିମ ଏଥିରେ ମନ୍ତବ୍ୟ ଦିଅନ୍ତି। ଏହି ବରିଷ୍ଠ ବନ ଅଧିକାରୀଙ୍କୁ ତାଙ୍କର ଉପର ହାକିମ ସଚ୍ଚୋଟ ବା ଉତ୍ତମ ଚରିତ୍ରର ବୋଲି ପ୍ରମାଣପତ୍ର ଦେଇଛନ୍ତି। ସଚ୍ଚୋଟତା ଉପରେ ପ୍ରଶ୍ନ ଉଠିଥିଲେ, ଚାକିରିରେ ତାଙ୍କର ପଦୋନ୍ନତି ମିଳିନଥାନ୍ତା। କିନ୍ତୁ ଏହି ଅଧିକାରୀ ପଦୋନ୍ନତି ପାଇ ପାଇ ଉପରକୁ ଉଠିଛନ୍ତି ଏବ˚ ଭଲ ଭଲ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ମଧୢ ପାଇଛନ୍ତି। ପ୍ରଶାସନ ବ୍ୟବସ୍ଥାରେ ନିଶ୍ଚିତ ତ୍ରୁଟି ରହୁଛି, ଯାହା ସୁଧାରିବା ଆବଶ୍ୟକ। ଫକିର ମୋହନ ସେନାପତି ତାଙ୍କର ଆତ୍ମଚରିତରେ ଲେଖିଛନ୍ତି, ‘ଉତ୍କୋଚ ଗ୍ରହଣଟା ଦୋଷାବହ ବୋଲି ଗଣ୍ୟ ନ ହୋଇ ବର˚ଚ ପ୍ରଶ˚ସାର ବିଷୟ ବୋଲି ଧରା ହେଉଥିଲା। ଯେଉଁ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିକି ପ୍ରତିଷ୍ଠା। ପ୍ରବାଦ ଥିଲା- ମିଛ ବଣିଜ, ଚାକର ଚୋର। ମିଥ୍ୟା, ବ୍ୟଭିଚାର, ଉତ୍କୋଚ ଥିଲା, ଅଛି ଓ ଚିରକାଳ ଥିବ।’ ଫକିରମୋହନ ତାଙ୍କର ଆତ୍ମଚରିତ ୧୯୧୭ ମସିହା ବେଳକୁ ଲେଖି ସାରିଥିଲେ। ସୁତରାଂ, ଏହା ଊନବି˚ଶ ଶତାବ୍ଦୀର ଚିତ୍ର। ଫକିରମୋହନ ଆତ୍ମଚରିତ ଲେଖା ଦିନରୁ ଶହେ ବର୍ଷ ପରେ ମଧୢ ସାମାଜିକ ଚିତ୍ର ବଦଳି ନାହିଁ। ଅର୍ଥାତ୍‌, ଯୋଉ ଅମଲାର ଯେତେ ଉପରି ଲାଭ, ସମାଜରେ ତାହାର ସେତିିକି ପ୍ରତିଷ୍ଠା।

 

ଏହି ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କର ପୁଅ ସହିତ ଜଣେ ରାଜନେତାଙ୍କ ଝିଅର ବାହାଘର ହୋଇଥାନ୍ତା, ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ। ସେଥିପାଇଁ ଦଶ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ବିବାହ ପୂର୍ବରୁ ବାପପୁଅ ଧରାପଡ଼ି ଜେଲରେ। କିଛି ରାଜନୈତିକ ଲୋକ ପ୍ରଶ୍ନ କରୁଛନ୍ତି ଝିଅ ବାହାଘର ହୋଇଥାନ୍ତା, ଭିଜିଲାନ୍‌ସ ଦଶଦିନ ଚଢ଼ଉ କରିବାକୁ ବିଳମ୍ବ କରିଥିଲେ କ’ଣ ଚଳିନଥାନ୍ତା? କିଛି ସାମ୍ବାଦିକ ଓ ସ୍ତମ୍ଭକାର ମଧୢ ଟିଭିର ଆଲୋଚନା ବେଳେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କର କ୍ଷୋଭ ଝିଅର ବାହାଘର ହୋଇପାରିଲା ନାହିଁ। କିନ୍ତୁ ବନ ଅଧିକାରୀଙ୍କର ପୁଅ ଟାଟା କମ୍ପାନିର ଏକ ବିଭାଗର ମ୍ୟାନେଜି˚ ଡାଇରେକ୍ଟର ବୋଲି କହି ଚାକିରି ଦେବା ନାମରେ ଯେଉଁମାନଙ୍କ ଠାରୁ ଟଙ୍କା ନେଇ ଠକିଛନ୍ତି, ସେମାନଙ୍କ ଭିତରୁ ଗୋଟିଏ ଝିଅର ବାପା ମଧ୍ୟ ସେଠାରେ ଥିଲେ। ତାଙ୍କର ଟଙ୍କା ବୁଡ଼ିଲା ଏବ˚ ଝିଅର ବାହାଘର ମଧୢ ହୋଇପାରୁନାହିଁ। ସେହି ଝିଅଟିର କଥା ବି ମନକୁ ଆସିବା କଥା। ଯେ ପର୍ଯ୍ୟନ୍ତ କେବଳ ସମ୍ପତ୍ତି ଓ ସାମାଜିକ ପ୍ରତିଷ୍ଠା ପାଇଁ ଜଣଙ୍କୁ ସମ୍ମାନ ମିଳୁଥିବ, କେଉଁ ଉପାୟରେ ସମ୍ପତ୍ତି ଜଣେ ଅର୍ଜିଛି ବିଚାରକୁ ନିଆଯିବନି, ସେ ପର୍ଯ୍ୟନ୍ତ ଦୁର୍ନୀତି ରହିଥିବ। ଯେବେ ଜଣେ କହିବ ମୁଁ ଦୁର୍ନୀତିଖୋର ଲୋକର ଘରୁ ଝିଅ ଆଣିବି ନାହିଁ କିମ୍ବା ସେଭଳି ଲୋକର ଘରକୁ ଝିଅ ଦେବିନି, ହୁଏତ ସେତେବେଳେ ଦୁର୍ନୀତି ଲୋପ ପାଇବ।

ସହଦେବ ସାହୁ

କଳିଙ୍ଗ ବିହାର, ଭୁବନେଶ୍ବର

ମୋ: ୯୪୩୭୫୭୮୭୩୩

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...