ବେଳେ ବେଳେ ଘରୁ
ଜିନିଷଟିଏ ନ ମିଳିଲେ ଚୋରି ହୋଇଗଲା ବୋଲି ମନରେ ଆଶଙ୍କା ଉପୁଜେ। ମନରେ ଏ ଚୋରିର ଆଶଙ୍କା ହେବା ମାତ୍ରକେ
ସନ୍ଦେହ ଘନୀଭୂତ ହୁଏ, ଘରେ କାମଦାମ କରୁଥିବା କାମବାଲି ବା ଘରକୁ ଯା’ଆସ କରୁଥିବା ସେହିଭଳି
କିଛି ଲୋକଙ୍କ ଉପରେ। ଆମର ଧାରଣା ଥାଏ ଯେ, ଏମାନେ ଅଭାବ ଅସୁବିଧାରେ ଅଛନ୍ତି ତ ତେଣୁ ଚୋରି କରି
ନେଇଯାଇଥିବେ। କିନ୍ତୁ ଅନେକ ସମୟରେ ଆମର ଏହି ସନ୍ଦେହ ଭୁଲ୍ ପ୍ରମାଣିତ ହୁଏ। ଏଭଳି ଏକ ଉପକ୍ରମଣିକା
ଉଲ୍ଲେଖ କରିବାର କାରଣ ହେଉଛି, ନିକଟରେ ଏହିଭଳି ଏକ ଅବିଶ୍ୱାସଯୋଗ୍ୟ ଖବରଟିଏ ପ୍ରକାଶ ପାଇଛି, ଯାହାକି
ଆମର ସ୍ବଚ୍ଛଳ ତଥା ଧନିକ ଶ୍ରେଣୀର ଲୋକଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣମାଧ୍ୟମରେ
ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଅନୁଯାୟୀ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ
ରୁଟ୍ରେ ଚଳାଚଳ କରୁଥିବା ଟ୍ରେନ୍ର ଶୀତତାପ ନିୟନ୍ତ୍ରିତ ଅର୍ଥାତ୍ ଏସି କୋଚ୍ରୁ ପ୍ରାୟ ୧୪ କୋଟି
ଟଙ୍କା ମୂଲ୍ୟର ଟାଓ୍ବେଲ, ବେଡ୍ଶିଟ୍, କମ୍ବଳ ଆଦି ସାମଗ୍ରୀ ଚୋରି ହୋଇଛି। ଚୋରି ହୋଇଥିବା ମୋଟ
୨୧,୭୨,୨୪୭ଟି ସାମଗ୍ରୀ ମଧ୍ୟରୁ ୧୨,୮୩,୪୧୫ଟି ଟାଓ୍ବେଲ, ୪,୭୧,୦୭୭ଟି ବେଡ୍ଶିଟ୍, ୩,୧୪,୯୫୨ଟି
ତକିଆଖୋଳ, ୫୭,୨୮୭ଟି ତକିଆ ଓ ୪୬,୫୧୫ଟି ବ୍ଲାଙ୍କେଟ୍ ଅନ୍ତର୍ଭୁକ୍ତ। ଏସି କୋଚ୍ରେ ଯାତ୍ରା କରୁଥିବା
କିଛି ସ୍ବଚ୍ଛଳ ବର୍ଗର ଯାତ୍ରୀ ଏହି ଚୋରି କାର୍ଯ୍ୟରେ ସଂପୃକ୍ତ ରହିଥିବା ରେଲ୍ଓ୍ବେ ପକ୍ଷରୁ ସନ୍ଦେହ
ପ୍ରକାଶ ପାଇଛି।
ଟ୍ରେନ୍ର ଏସି କୋଚ୍ରେ
ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପାଇଁ ରେଲ୍ଓ୍ବେ ପକ୍ଷରୁ ଟାଓ୍ବେଲ, ବେଡ୍ଶିଟ୍, ବ୍ଲାଙ୍କେଟ୍
ଓ ତକିଆ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଯାତ୍ରୀମାନେ ଏହାକୁ ବ୍ୟବହାର କରନ୍ତି ଓ ଗନ୍ତବ୍ୟ ସ୍ଥାନରେ
ଓହ୍ଲାଇବା ପୂର୍ବରୁ ସେଗୁଡ଼ିକୁ ନିଜ ବର୍ଥରେ ରଖିଦେଇ ଯାଆନ୍ତି। କିଛି ମାସ ତଳେ ଟ୍ରେନ୍ରେ ବମ୍ବେ
ଯାଉଥିଲା ବେଳେ କଥା ପ୍ରସଙ୍ଗରେ ଜଣେ ଆଟେଣ୍ଡାଣ୍ଟ ଦୁଃଖର ସହ କହିଥିଲେ ଯେ, ସେମାନଙ୍କୁ କମ୍ପାର୍ଟମେଣ୍ଟର
ବର୍ଥ ସଂଖ୍ୟା ଅନୁଯାୟୀ ଆବଶ୍ୟକ ସାମଗ୍ରୀ ହିସାବ କରି ଦିଆଯାଏ ଓ ସମାନ ସଂଖ୍ୟକ ସାମଗ୍ରୀ ସେମାନଙ୍କୁ
ଗଣିକରି ଫେରାଇବାକୁ ପଡ଼ିଥାଏ। ଯଦି କୌଣସି ସାମଗ୍ରୀ କମ୍ ଥାଏ ତେବେ ତାହାର ମୂଲ୍ୟ ସେମାନଙ୍କ ଦରମାରୁ
କାଟି ଦିଆଯାଏ। ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ଏ ବାବଦରେ ସଚେତନ କରାଯାଇଥିଲେ ମଧ୍ୟ ଏସି କୋଚ୍ରୁ
ନିୟମିତ ଭାବେ ବେଡ୍ଶିଟ୍, ବ୍ଲାଙ୍କେଟ, ତକିଆଖୋଳ ଆଦି ସାମଗ୍ରୀ ଚୋରି ଅବ୍ୟାହତ ରହିଛି। କମ୍
ସ୍ବଚ୍ଛଳ ବର୍ଗର ଲୋକମାନେ ସାଧାରଣତଃ ସ୍ଲିପର ଅବା ଜେନେରାଲ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲା
ବେଳେ ସ୍ବଚ୍ଛଳ ତଥା ସମ୍ଭ୍ରାନ୍ତ ଶ୍ରେଣୀର ଯାତ୍ରୀମାନେ ଏସି କମ୍ପାର୍ଟମେଣ୍ଟରେ ଯାତ୍ରା କରିଥାନ୍ତି।
ବେଡ୍ଶିଟ୍, ବ୍ଲାଙ୍କେଟ, ତକିଆ ଆଦି ସାମଗ୍ରୀ କେବଳ ଏସି କମ୍ପାର୍ଟମେଣ୍ଟରେ ଯୋଗାଇ ଦେବାର ବ୍ୟବସ୍ଥା
ଥିବାରୁ ଚୋରିରେ ଏହି ବଡ଼ ଲୋକଙ୍କ ଭୂମିକା ରହୁଥିବା
ସନ୍ଦେହ ଅମୂଳକ ନୁହେଁ। ବଡ଼ଲୋକମାନେ ଛୋଟ କାମ (ଚୋରି) କରନ୍ତି ନାହିଁ ବୋଲି ସାଧାରଣରେ ଧାରଣା ରହିଥିବାରୁ ସେମାନେ ଅନାୟାସରେ
ଏହି କାମ କରିପାରୁଛନ୍ତି।
ଏହି ଖବର ପଢ଼ିବା
ବେଳେ ମନେପଡ଼େ ଗତ ଜାନୁୟାରୀରେ କିଛି ଇଂଲିଶ୍ ପତ୍ରିକାରେ ପ୍ରକାଶ ପାଇଥିବା ଏଭଳି ଏକ ଲଜ୍ଜାଜନକ
ଘଟଣା। ଘଟଣାଟି ଘଟିଥିଲା ଏକ ୟୁରୋପୀୟ ରାଷ୍ଟ୍ରରେ, ଯେତେବେଳେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା
ବାନାର୍ଜୀ ସେଠାକୁ ଏକ ସରକାରୀ ଗସ୍ତରେ ଯାଇଥିଲେ। ବିଦେଶୀ ପୁଞ୍ଜିନିବେଶକଙ୍କୁ ପଶ୍ଚିମବଙ୍ଗରେ ପୁଞ୍ଜି
ଖଟାଇବା ପାଇଁ ଆକୃଷ୍ଟ କରିବା ଥିଲା ମୁଖ୍ୟମନ୍ତ୍ରୀଙ୍କ ସେହି ଗସ୍ତର ଉଦ୍ଦେଶ୍ୟ। ମିଡିଆ କଭରେଜ୍
ପାଇଁ ତାଙ୍କ ସହ ଯାଇଥିଲେ କିଛି ବଛା ବଛା ବରିଷ୍ଠ ସାମ୍ବାଦିକ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ
ସମ୍ମାନାର୍ଥେ ଏକ ବହୁତାରକା ହୋଟେଲରେ ଆୟୋଜିତ ହୋଇଥିଲା ନୈଶ ଭୋଜି। ଏହି ଭୋଜିରେ ଯୋଗ ଦେଇଥିଲେ
ସେଠାକାର ବହୁ ପ୍ରଶାସକ, ଶିଳ୍ପପତି ଓ ମାନ୍ୟଗଣ୍ୟ ବ୍ୟକ୍ତି। ହୋଟେଲର ସୌନ୍ଦର୍ଯ୍ୟ, ଆତିଥେୟତା ଓ
ସୁସ୍ବାଦୁ ବ୍ୟଞ୍ଜନର ସ୍ବାଦ ଅପେକ୍ଷା ଡାଇନିଂ ଟେବୁଲ ଉପରେ ରଖାଯାଇଥିବା ଆକର୍ଷଣୀୟ ଚାମଚ, କଣ୍ଟାଚାମଚ
ଓ ଛୁରି ଭଳି କିଛି ସାମଗ୍ରୀ ଅଧିକ ଆକର୍ଷଣ କରିଥିଲା କିଛି ସାମ୍ବାଦିକଙ୍କୁ। ସେମାନେ ଭୁଲିଗଲେ ଯେ
ସମ୍ପୂର୍ଣ୍ଣ ଡାଇନିଂ ହଲ୍ଟି ସିସି କ୍ୟାମେରା ଦ୍ୱାରା କବଳିତ। ଚାମଚ ଓ ଛୁରି କେତୋଟିକୁ ପକେଟ୍ ଓ ବ୍ୟାଗ୍ରେ ଭର୍ତ୍ତି କରିଥିଲେ କିଛି
ସାମ୍ବାଦିକ। ଏସବୁ ଦୃଶ୍ୟ ସିସି ଟିଭିରେ ଦେଖି ହୋଟେଲର ସୁରକ୍ଷା କର୍ମଚାରୀମାନେ କେବଳ ଆଶ୍ଚର୍ଯ୍ୟ
ହେଲେ ନାହିଁ, ଏ ସମ୍ପର୍କରେ ସମ୍ମାନିତ ଅତିଥିମାନଙ୍କୁ କିପରି କହିବେ ତାହା ଥିଲା ସେମାନଙ୍କ ପାଇଁ
ବିରାଟ ଧର୍ମସଙ୍କଟ। ହୋଟେଲର ନିୟମ ଅନୁଯାୟୀ କୌଣସି ବସ୍ତୁ ଚୋରି ହେବା ଜଣାପଡ଼ିଲେ ତୁରନ୍ତ ଆଲାର୍ମ
ବଜାଇବା ଆବଶ୍ୟକ। ମାତ୍ର ଏଭଳି କ୍ଷେତ୍ରରେ ଆଲାର୍ମ ବଜାଇ ଅତିଥିମାନଙ୍କୁ ଅପଦସ୍ଥ କରାଇବା ସୁରକ୍ଷାକର୍ମୀମାନେ
ଉଚିତ ମନେକଲେ ନାହିଁ। ଶେଷରେ ଜଣେ ସୁରକ୍ଷା କର୍ମଚାରୀ ସାମ୍ବାଦିକମାନେ ବସିଥିବା ଟେବୁଲ ପାଖକୁ
ଯାଇ ଚୋରି କରିଥିବା ଚାମଚ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଟେବୁଲ ଉପରେ ରଖିଦେବାକୁ ନମ୍ରତାର ସହ
ଅନୁରୋଧ କରିଥିଲେ। ସମସ୍ତ କାର୍ଯ୍ୟକଳାପ ସିସି ଟିଭିରୁ ଦେଖି ସୁରକ୍ଷା କର୍ମଚାରୀ କହୁଥିବା ଜାଣିବା
ପରେ ସାମ୍ବାଦିକମାନେ ଚାମଚଗୁଡ଼ିକୁ ଟେବୁଲ ଉପରେ ରଖିଦେଇଥିଲେ। ଜଣେ ସାମ୍ବାଦିକ ଚୋରି କରିନାହାନ୍ତି
ବୋଲି ସୁରକ୍ଷାକର୍ମଚାରୀଙ୍କ ସହ ଯୁକ୍ତି କରି ମିଥ୍ୟା ପ୍ରମାଣିତ ହୋଇଥିଲେ ଓ ପଚାଶ ପାଉଣ୍ଡ ଜରିମାନା
ଦାଖଲ କରିଥିଲେ। ସେତେବେଳେ ଏହି ଘଟଣାଟି ୟୁରୋପୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଖୁବ୍ ଆଲୋଡନ ସୃଷ୍ଟି କରିଥିଲା।
ଆମ ସମାଜରେ ବଡ଼
ବଡ଼ ଲୋକଙ୍କ ଏହିଭଳି ଛୋଟ ଛୋଟ ପ୍ରକୃତିକୁ କିଛି ବିଶାରଦ ଏକ ମାନସିକ ରୋଗ ଭାବେ ଚିତ୍ରଣ କରନ୍ତି।
ଏହି ରୋଗର ନାମ କ୍ଲେପ୍ଟୋମାନିଆ। ଏହି ରୋଗରେ ଆକ୍ରାନ୍ତ ମଣିଷମାନେ ଆବଶ୍ୟକ ଥାଉ ବା ନ ଥାଉ କିଛି
ଜିନିଷ ଦେଖିଲେ ସେଗୁଡ଼ିକୁ ଚୋରି କରିବାକୁ ବ୍ୟଗ୍ର ହୋଇଉଠନ୍ତି। ଏଭଳି ଯୁକ୍ତି ଉପରୋକ୍ତ ଘଟଣାଗୁଡ଼ିକରେ
ହାସ୍ୟାସ୍ପଦ ମନେହୁଏ। ଜଣେ ଦୁଇଜଣଙ୍କ କ୍ଷେତ୍ରରେ ଏହା ଘଟିପାରେ, ସମୂହ କ୍ଷେତ୍ରରେ ନୁହେଁ। ଆମ
ସମାଜରେ କିଛି ସମ୍ଭ୍ରାନ୍ତ ତଥା ସ୍ବଚ୍ଛଳ ଲୋକଙ୍କର ଏଭଳି ହୀନ ପ୍ରକୃତି ରହିଛି। ଟାଓ୍ବେଲ, ତକିଆଖୋଳ,
ଚାମଚ ଭଳି ସାମଗ୍ରୀର ଦାମ୍ କେତେ? ଏସବୁ କିଣିବା ସେମାନଙ୍କ ପାଇଁ ଅତି ସାଧାରଣ କଥା ହେଲେ ବି ଚୋରି
କରି ଏହାକୁ ହାସଲ କରିବା ଭଳି ହୀନ ପ୍ରବୃତ୍ତି ସେମାନଙ୍କଠାରେ ଦେଖାଦେଇଥାଏ। ଦୁଇ ବର୍ଷ ତଳେ ଭୁବନେଶ୍ୱରରେ
ଘଟିଥିବା ଏକ ଘଟଣାକୁ ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ, କାରଣ ଘଟଣାଟି ସ୍ବଚ୍ଛଳ ବ୍ୟକ୍ତିଙ୍କ
ଦୁର୍ବଳ ମାନସିକତାର ଆଉ ଏକ ଉଦାହରଣ। ପ୍ରତିଷ୍ଠିତ ଓ ସମ୍ଭ୍ରାନ୍ତ ଘରର ଦୁଇଜଣ ମହିଳା ଏକ ବୁଟିକ୍ରୁ
କିଛି ସାମଗ୍ରୀ ଚୋରି କରିବାର ପ୍ରମାଣ ସିସି ଟିଭିରୁ ଜଣାପଡ଼ିବା ପରେ ପୋଲିସ ସେମାନଙ୍କ ଘରେ ପହଞ୍ଚିଥିଲା।
ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ଓ ସେମାନେ ଏହା ପୂର୍ବରୁ ଅନେକ
ଦୋକାନରୁ ଚୋରି କରିବା ସ୍ବୀକାର କରିଥିଲେ।
ଅନ୍ତର୍ଜାତୀୟ ସ୍ତରରେ
ଦୁର୍ନୀତିକୁ ନେଇ ଭାରତର ଲଜ୍ଜାଜନକ ସ୍ଥିତିର ମୁଖ୍ୟ କାରଣ ହେଉଛି ଆମ ଦେଶର କିଛି ତଥାକଥିତ ସମ୍ଭ୍ରାନ୍ତ
ଓ ସ୍ବଚ୍ଛଳ ବର୍ଗର ଲୋକଙ୍କ ଛୋଟ ପ୍ରକୃତି। ଦୁର୍ନୀତି ହେଉଛି ଚୋରିର ଏକ ରୂପାନ୍ତରିତ ପ୍ରକ୍ରିୟା।
ଏହା ଦେଶର ଦିନମଜୁରିଆ, ଶ୍ରମିକ, କୃଷକଙ୍କ ଭଳି ସାଧାରଣ ଲୋକଙ୍କ ଦ୍ୱାରା ହେଉନାହିଁ। ବିଭିନ୍ନ ପଦପଦବୀରେ
ଥିବା ଦେଶର ସ୍ବଚ୍ଛଳବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହା ସାଧିତ ହେଉଛି। ସେମାନେ ଅଭାବରେ ପଡ଼ି
ଦୁର୍ନୀତି କରନ୍ତି ନାହିଁ। ଆବଶ୍ୟକତା ନ ଥାଇ ମଧ୍ୟ ଅଧିକରୁ ଅଧିକ ସମ୍ପତ୍ତି ଠୁଳ କରିବା ଲୋଭର ବଶବର୍ତ୍ତୀ
ହୋଇ କରନ୍ତି। ସ୍ବଚ୍ଛଳ ହେଲେ ମଧ୍ୟ ନିଜ ଭିତରେ ଥିବା ଛୋଟ ପ୍ରକୃତିର ଆହ୍ବାନରେ ଏଭଳି ହୀନ କାର୍ଯ୍ୟ
କରିଥାନ୍ତି। ଯେଉଁଦିନ ବଡ଼ଲୋକମାନେ ଏହିସବୁ ଛୋଟ କାମ ପରିତ୍ୟାଗ କରିଦେବେ ସେହିଦିନ ହିଁ ଆମ ଦେଶରେ
ସୁନାର ଭାରତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଯିବ।
ପ୍ରକାଶ ତ୍ରିପାଠୀ
ଇମେଲ:
prakas.tripathy09@gmail.com