Monday, 20 November 2017

ଯୌନ ଶୋଷଣ





ଅକ୍ଟୋବର ୫ ତାରିଖରେ ହଲିଉଡ୍‌ ପ୍ରଯୋଜକ ହାର୍ଭେ ଓ୍ବାଇନ୍‌ଷ୍ଟାଇନ୍‌ଙ୍କର ଏକ ଯୌନ କେଳେଙ୍କାରୀ ବିଷୟରେ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟ ଅନୁସାରେ ‘କିଙ୍ଗ୍‌ସ ସ୍ପିଚ୍‌’ ଭଳି ଓସ୍କାର-ବିଜୟୀ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ଓ୍ବାଇନ୍‌ଷ୍ଟାଇନ୍‌ ହଲିଉଡ୍‌ ଫିଲ୍ମଶିଳ୍ପରେ ସବୁଠୁ କ୍ଷମତାଶାଳୀ ବ୍ୟକ୍ତିତ୍ୱ। କିନ୍ତୁ ସେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିବା ନେଇ ବହୁ ଅଭିନେତ୍ରୀ ଅଭିଯୋଗ କରିଛନ୍ତି। ରିପୋର୍ଟ ପ୍ରକାଶ ପାଇବା ପରେ ଆହୁରି ଅନେକ ଅଭିନେତ୍ରୀ ସେମାନଙ୍କ ପ୍ରତି ମଧ୍ୟ ଓ୍ବାଇନ୍‌ଷ୍ଟାଇନ୍‌ ଅନୁରୂପ ଦୁର୍ବ୍ୟବହାର କରିଥିବା ଦାବି କରିଥିଲେ। ଅକ୍ଟୋବର ଶେଷ ସୁଦ୍ଧା ଅଭିଯୋଗକାରୀ ଅଭିନେତ୍ରୀଙ୍କ ସଂଖ୍ୟା ୮୦ ଟପିଗଲା। ଏହାର ଦୁଇଦିନ ପରେ ଓ୍ବାଇନ୍‌ଷ୍ଟାଇନ୍‌ ତାଙ୍କ ନିଜ କମ୍ପାନୀରୁ ନିର୍ଦ୍ଦେଶକମଣ୍ଡଳୀ ଦ୍ୱାରା ବହିଷ୍କୃତ ହେଲେ। ମାସବ୍ୟାପୀ ଆହୁରି ଅଧିକ ମହିଳା, ଯେଉଁମାନଙ୍କ ମଧ୍ୟରୁ ଅନେକେ ପ୍ରତିଷ୍ଠିତ, ଖୋଲାଖୋଲି ଭାବେ ନିଜ ଯୌନ ଶୋଷଣର କାହାଣୀ ପ୍ରକାଶ କରିବାର ଦେଖାଗଲା। ଏବେ ଫିଲ୍ମ ଶିଳ୍ପର ଅନ୍ୟ କ୍ଷମତାଶାଳୀ ଲୋକମାନଙ୍କ ନାମରେ ଅନୁରୂପ ଅଭିଯୋଗ ଉଠିଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ନିର୍ଦ୍ଦେଶକ ଜେମ୍‌ସ ଟବାକ୍‌ (ଯାହାଙ୍କ ନାମରେ ୨୩୮ ଜଣ ମହିଳା ଯୌନ ଶୋଷଣର ଅଭିଯୋଗ କରିଛନ୍ତି), ଅଭିନେତା ଡଷ୍ଟନ୍‌ ହଫ୍‌ମ୍ୟାନ୍‌, କେଭିନ୍‌ ସ୍ପେସୀ, ଷ୍ଟିଭେନ୍‌ ସୀଗଲ, ବେନ୍‌ ଆଫ୍ଲେକ୍‌, ହାସ୍ୟ ଅଭିନେତା ଲୁଇସ୍‌ ସିକେ, ରାଜନୈତିକ ବିଶ୍ଳେଷକ ମାର୍କ ହାଲ୍‌ପେରିନ୍‌ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌। ଅନୁରୂପ ଅଭିଯୋଗ ଉଠିଛି ସିନେଟ୍‌ ପାଇଁ ପ୍ରଚାର କରୁଥିବା ଲୋକପ୍ରିୟ ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ବିଚାରପତି ରୟ ମୂରେ ଏବଂ ଡେମୋକ୍ରାଟିକ୍‌ ସିନେଟର ଅଲ୍‌ ଫ୍ରାଙ୍କେନ୍‌ଙ୍କ ବିରୋଧରେ। ରାଷ୍ଟ୍ରପତି ବୁଶ୍‌ଙ୍କ ସମେତ ଏମାନଙ୍କ ମଧ୍ୟରୁ ଅନେକେ ନିଜ ନିଜର ଆଚରଣ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମହିଳାମାନେ ଯୌନ ଶୋଷଣର ଶିକାର ହୋଇଥିଲେ ମଧ୍ୟ ପାଟି ଖୋଲୁ ନ ଥିଲେ ଏବଂ ରିପୋର୍ଟ ପ୍ରକାଶ ପାଇବା ପରେ ସେମାନଙ୍କ ମନରେ ଅଭିଯୋଗ ବାଢ଼ିବା ପାଇଁ ସାହସ ସଞ୍ଚାର ହୋଇଛି। ଆମେରିକାରେ ଏବେ କିଛିଟା ପରିବର୍ତ୍ତନ ଆସିଛି, ଯଦିଚ କୌଣସି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁମର ପଦାରେ ପଡ଼ିବା ଏହା ନୂଆ ନୁହେଁ। ୨୦୧୪ରେ ଆମେରିକାର ପ୍ରସିଦ୍ଧ ହାସ୍ୟ ଅଭିନେତା ବିଲ୍‌ କସ୍‌ବି ମହିଳାମାନଙ୍କୁ ନିଶାସେବନ କରାଇ ଅସଦାଚରଣ କରିଥିବା ନେଇ ଅନେକ ମହିଳା ଅଭିଯୋଗ କରିଥିଲେ। ବିଭିନ୍ନ ରାଜ୍ୟର ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ଅବଧି ଭିତରେ ଅଭିଯୋଗ କରାଯାଇ ନ ଥିବାରୁ ଅଭିଯୁକ୍ତମାନଙ୍କୁ ବିଚାରର କାଠଗଡ଼ାକୁ ଅଣାଯାଇ ପାରିନାହିଁ। ତେବେ କସ୍‌ବିଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି, ଯାହା ଆସନ୍ତା ବର୍ଷ ସୁଦ୍ଧା ମୀମାଂସା ହେବାର ସମ୍ଭାବନା ଅଛି। ବର୍ତ୍ତମାନ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କେଳେଙ୍କାରୀ ପଦାରେ ପଡ଼ୁଛି। ଏମିତି ଯୌନ ଶୋଷଣ ପ୍ରାୟ ସବୁଠି ଚାଲିଛି। ଭାରତରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରିଥିବା ଅନେକ ପ୍ରଫେସର ଓ ଶିକ୍ଷକଙ୍କ ଏକ ତାଲିକା ପ୍ରକାଶ ପାଇଛି। ଅଭିଯୋଗକାରୀମାନଙ୍କ ନାମ ପ୍ରକାଶ ପାଇ ନ ଥିଲେ ମଧ୍ୟ ଯିଏ ଏ ତାଲିକା ପ୍ରକାଶ କରିଛନ୍ତି, ସେ ସମ୍ଭବତଃ ସେମାନଙ୍କ ନାମ ଜାଣିଛନ୍ତି। ସେ ହେଉଛନ୍ତି ଆମେରିକାର ଜଣେ ଛାତ୍ର ରାୟ ସରକାର। ତାଲିକାରେ ଥିବା ଜଣେ ଅଭିଯୁକ୍ତ ମାଡ୍ରାସ୍‌ ସଙ୍ଗୀତ ଏକାଡେମୀର ନିର୍ଦ୍ଦେଶକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ଭାରତରେ ଯୌନ ହିଂସାର ଶିକାର ହେଉଥିବା ୯୯% ମହିଳା ପୋଲିସରେ ଅଭିଯୋଗ କରନ୍ତି ନାହିଁ। ଏପରି କି ଆମେରିକାରେ ମଧ୍ୟ ମାତ୍ର ଏକତୃତୀୟାଂଶ ମହିଳା ଅଭିଯୋଗ କରନ୍ତି କାରଣ ନିଜ ପ୍ରତି କ’ଣ କ’ଣ ସବୁ ହୋଇଛି ତାହା ବର୍ଣ୍ଣନା କରିବା ସହଜ ହୋଇ ନ ଥାଏ। ଭାରତରେ ଘଟଣା ପ୍ରକାଶ ନ କରିବାର ଆହୁରି ଅନେକ କାରଣ ଅଛି। ଏଠାରେ କୌଣସି ମହିଳା ଯୌନ ହିଂସାର ଶିକାର ହୋଇଥିଲେ ସେଥିପାଇଁ ତାଙ୍କୁ ହିଁ ଦୋଷ ଦିଆଯାଏ। ପୁଣି ଆମ ସମାଜରେ ଜଣେ କ୍ଷମତାଶାଳୀ ଲୋକ ଯାହା ଭୁଲ୍‌ କଲେ ମଧ୍ୟ ତାଙ୍କୁ କେବେହେଲେ ଦଣ୍ଡ ମିଳେ ନାହିଁ। ବଲିଉଡ୍‌ରେ ଅଳ୍ପ କେତେଜଣ ପୁରୁଷଙ୍କ ପାଖରେ ସବୁ କ୍ଷମତା ରହିଛି, ସେ ଅଭିନେତା ହୋଇପାରନ୍ତି, ପ୍ରଯୋଜକ ବା ନିର୍ଦ୍ଦେଶକ ହୋଇପାରନ୍ତି। ଯଦି କୌଣସି ମହିଳା ତାଙ୍କ ବିରୋଧରେ କିଛି ଅଭିଯୋଗ କରେ, ତେବେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭବିଷ୍ୟତରେ କାମ କରିବା କଥା ଭୁଲିଯିବାକୁ ହୁଏ। ତାଙ୍କୁ ନାନା ପ୍ରକାର ହଇରାଣ କରାଯାଏ କିନ୍ତୁ ସମ୍ପୃକ୍ତ ପୁରୁଷଙ୍କର କିଛି ହୁଏ ନାହିଁ। ରାଜନୀତି କ୍ଷେତ୍ରରେ ପରିସ୍ଥିତି ଆହୁରି ଖରାପ। କ୍ଷମତାଶାଳୀ ରାଜନେତାଙ୍କ ବିରୋଧରେ ଅଭିଯୋଗ ଆଣି କେହି ବି ନ୍ୟାୟ ପାଇପାରନ୍ତି ନାହିଁ। ଯଦି କୌଣସି ମହିଳା କାହା ପ୍ରେମରେ ପଡ଼ନ୍ତି, ତେବେ ତାଙ୍କ ଦୁର୍ବାସନାର ଶିକାର ହୋଇଯାନ୍ତି। ଗୋପନୀୟ ଭାବେ ରେକର୍ଡ କରାଯାଇଥିବା ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଟେପ୍‌ ପ୍ରକାଶ ପାଇଯାଏ ବା ଏହାକୁ ନେଇ ତାଙ୍କୁ ବ୍ଲାକ୍‌ମେଲ କରାଯାଏ। କିନ୍ତୁ ସାହସ ସଞ୍ଚୟ କରି ସେହି ମହିଳାମାନେ ଯଦି ଅଭିଯୋଗ ବାଢ଼ିବାକୁ ଆଗେଇ ଆସନ୍ତେ, ଯେମିତି ଏବେ ଆମେରିକାରେ ଘଟିଛି, ତେବେ ଏ ଧରଣର ଅପରାଧ ହ୍ରାସ ପାଆନ୍ତା। ତେବେ ଏ ଧରଣର ଅପରାଧ ହ୍ରାସ କରିବାର ସବୁଠାରୁ ଭଲ ଉପାୟ ହେଉଛି ଆମ ଆଇନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା। ଏ ଧରଣର ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ତାହାର ବିଚାର ଶେଷ କରି ଦୋଷୀମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ପୀଡ଼ିତାମାନଙ୍କ ପ୍ରତି ଆମ ସାମାଜିକ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର।


ଆକାର ପଟେଲ

Email: aakar.patel@gmail.com

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...