Thursday, 25 January 2018

ନିଶା ଓ ନାରୀ ପରାଭବ





ମାନବ ସମାଜରେ ବଳାତ୍କାର ହଁି ସବୁଠାରୁ ଜଘନ୍ୟ ଅପରାଧ। ହତ୍ୟା ଘଟଣାରେ ଜଣେ ମଣିଷ ଜୀବନ ହରାଇଥାଏ। କିନ୍ତୁ ବଳାତ୍କାର ଦ୍ୱାରା ଜଣେ ନାରୀ ତା’ର ଆତ୍ମମର୍ଯ୍ୟାଦା, ସ୍ବାଭିମାନ ସବୁକିଛି ହରାଇଥାଏ। ବଳାତ୍କାର ହେଉଛି ଆତ୍ମାର ହତ୍ୟା ଭଳି। ଏଥିରେ ଜଣେ ନିର୍ଯାତିତା ତା’ର ମୃତ୍ୟୁ ପର୍ଯ୍ୟନ୍ତ ଅପମାନର ବୋଝ ବୋହି ଚାଲିଥାଏ। ଆମ ସମାଜରେ ନାରୀ ପୁରୁଷ ବିଷମତା ତଥା ଅତ୍ୟଧିକ ପୁରୁଷପ୍ରାଧାନ୍ୟର ଏକ କ୍ରୂର ପରିଣାମ ହେଉଛି କ୍ରମବର୍ଦ୍ଧିଷ୍ଣୁ ବଳାତ୍କାର । ସ୍ବରାଷ୍ଟ୍ର ବିଭାଗର ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ୨୦ ମିନିଟ୍‌ରେ ଜଣେ ନାରୀ ବଳାତ୍କାରର ଶିକାର ହେଉଛି। ଆମ ଦେଶରେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଆଦି ରାଜ୍ୟ ବଳାତ୍କାରର ପରିସଂଖ୍ୟାନରେ ବହୁତ ଆଗରେ। ଆମ ରାଜ୍ୟ ଓଡ଼ିଶା ବି ବଳାତ୍କାର ସଂଖ୍ୟାରେ ଆଉ ପଛରେ ନାହଁି। ବିଶେଷଜ୍ଞମାନଙ୍କ ମତରେ ମାତ୍ର ୧୦% ବଳାତ୍କାର ଘଟଣା ହଁି ରିପୋର୍ଟ ହୋଇଥାଏ, ବାକିସବୁ ଘଟଣା ଲୁଚିଯାଏ। ତେଣୁ ବଳାତ୍କାରର ଯେଉଁ ପରିସଂଖ୍ୟାନ ବାହାରକୁ ଆସିଥାଏ, ବାସ୍ତବ ତଥ୍ୟ ତାହାଠାରୁ ବହୁତ ଅଧିକ। ବିଶ୍ୱ ମାନବ ସୂଚକାଙ୍କରେ ଭାରତର ସ୍ଥାନ ୫୦ରୁ ତଳେ ଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ତଥ୍ୟ ଅନୁସାରେ ବଳାତ୍କାରରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ତୃତୀୟ। ଭାରତ ଉପରେ କେବଳ ଆମେରିକା ଓ ଦକ୍ଷିଣ ଆଫ୍ରିକା ଅଛନ୍ତିି। ତଥ୍ୟ ଅନୁସାରେ ୨୦୧୬ରେ ଭାରତରେ ୨୮,୩୫୯ଟି ବଳାତ୍କାର ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ଆମେରିକାରେ ୯୩,୩୯୪ଟି ଏବଂ ଦକ୍ଷିଣ ଆଫ୍ରିକାରେ ୫୪,୯୨୬ଟି ଘଟଣା ପଞ୍ଜୀକୃତ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ କେବଳ ଆଇନର ପରିବର୍ତ୍ତନ କରିଦେଲେ ବଳାତ୍କାର ଭଳି ଘଟଣାକୁ କମାଇ ହେବ ନାହଁି। ଆମ ଦେଶରେ ଅନେକ ଭଲ ଆଇନ ଅଛି, କିନ୍ତୁ ତାହାର ପରିଣାମ କ’ଣ ହେଉଛି, ଆମେ ସମସ୍ତେ ଅଙ୍ଗେ ନିିଭାଉଛେ। ତେଣୁ କେବଳ ଆଇନ ପରିବର୍ତ୍ତନ କରିବା, ସେହିସବୁ ଅବଳାଙ୍କ ପ୍ରତି ଉପହାସ, ଯେଉଁମାନେ ଅତୀତରେ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ବା ବଞ୍ଚତ୍ରହି ମୃତ୍ୟୁଠାରୁ ଆହୁରି ଭୟଙ୍କର ପରିସ୍ଥିତିରେ ଜୀବନଯାପନ କରୁଛନ୍ତି। ତୁଳନାକରି ଦେଖିଲେ ଜଣାଯାଏ ଯେ, ଭାରତର ଅନ୍ୟାନ୍ୟ ପ୍ରାନ୍ତ ଅପେକ୍ଷା ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବଳାତ୍କାରର ହାର ବହୁତ କମ୍‌। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଭଳି ପୁରୁଷକୈନ୍ଦ୍ରିକ ସମାଜରେ ବର୍ଷକୁ ବଳାତ୍କାର ଭଳି ଘଟଣା ହଜାରରୁ ଅଧିକ ହୋଇଥିବା ବେଳେ ମଣିପୁର, ନାଗାଲାଣ୍ଡ, ସିକିମ୍‌ ଭଳି ରାଜ୍ୟ ଯେଉଁଠି ପୁରୁଷପ୍ରାଧାନ୍ୟ କମ୍‌ ସେଠି ବଳାତ୍କାର ଘଟଣାର ସଂଖ୍ୟା ୫୦ରୁ କମ୍‌। ଉପରୋକ୍ତ ତଥ୍ୟରୁ ଜଣାଯାଉଛି ଯେ, ବଳାତ୍କାର ଭଳି ପାଶବିକ ଘଟଣା କମ୍‌ କରିବାକୁ ହେଲେ ପୁରୁଷପ୍ରାଧାନ୍ୟ ମାନସିକତାର ପରିବର୍ତ୍ତନ କରିବାକୁ ହେବ। ଏଥିପାଇଁ ଆରମ୍ଭରୁ ଆମକୁ ପରିବାରରୁ ପରିବର୍ତ୍ତନ ଆଣିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ମଧ୍ୟ ପରୋକ୍ଷରେ ପୁରୁଷ ପ୍ରାଧାନ୍ୟକୁ ପ୍ରୋତ୍ସାହିତ କରୁଛି। କ୍ରମବର୍ଦ୍ଧିଷ୍ଣୁ ବଳାତ୍କାର ଘଟଣାର ଆଉ ଏକ ମୁଖ୍ୟ କାରଣ ହେଉଛି ନିଶାର ବ୍ୟାପକ ପ୍ରଚଳନ। ଦେଖାଯାଇଛି ଯେ, ଯେତେ ବଳାତ୍କାର ଘଟଣା ସାମ୍‌ନାକୁ ଆସୁଛି, ସେଥିରୁ ୯୦ ପ୍ରତିଶତରୁ ଅଧିକ ଘଟଣାରେ ଅପରାଧୀମାନେ ନିଶା ସେବନ କରିଥାନ୍ତି। ଜାକ୍‌ଲିନ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କ ଗବେଷଣା ଅନୁସାରେ କଲେଜ ଛାତ୍ରମାନଙ୍କ ମଧ୍ୟରେ ପ୍ରାୟ ୭୦% ବଳାତ୍କାର କେବଳ ମଦ ଏବଂ ଅନ୍ୟ ମାଦକଦ୍ରବ୍ୟ ସେବନ ଯୋଗୁ ହୋଇଥାଏ। ମଦ ପିଇ ସାରିବା ପରେ ବ୍ୟକ୍ତିର ବୁଦ୍ଧି, ବିବେକ ଓ ଜ୍ଞାନ ଉପରେ ନିୟନ୍ତ୍ରଣ ନ ଥାଏ। ଏପରି ପରିସ୍ଥିତିରେ ଏକାକୀ ନାରୀକୁ ଦେଖିଲେ ତା’ର ବଳାତ୍କାର ପ୍ରବୃତ୍ତି ଜାଗିଉଠେ। ତେଣୁ ମଦ ବନ୍ଦ କରିବା ପାଇଁ ଚେଷ୍ଟା ନ କରି କେବଳ ବଳାତ୍କାର ବିରୋଧରେ ଆଇନ ପ୍ରଣୟନ କରିଦେଲେ ଏ ସମସ୍ୟାର ସମାଧାନ ହେବନାହିଁ। ସେଥିପାଇଁ ଗାନ୍ଧିଜୀ ନିଶା ନିବାରଣ ଉପରେ ଗୁରୁତ୍ୱ ଦେଉଥିଲେ। ଗାନ୍ଧୀଙ୍କ ନାମରେ ଶାସନ କରୁଥିବା ଆମ ଶାସକ ଗୋଷ୍ଠୀ ଯେପର୍ଯ୍ୟନ୍ତ ମଦ ବନ୍ଦ ଦିଗରେ ଦୃଢ଼ ପଦକ୍ଷେପ ନେଇନାହାନ୍ତି, ସେପର୍ଯ୍ୟନ୍ତ ବଳାତ୍କାର ଘଟଣା ବଢ଼ି ଚାଲିଥିବ। ରାଜସ୍ବ ବୃଦ୍ଧିର ବାହାନାରେ ଗୋଟିଏ ସଭ୍ୟ ଦେଶ ଯଦି ମଦର ପ୍ରସାରକୁ ପ୍ରୋତ୍ସାହିତ କରିବ, ତେବେ ପରିଣାମ ସ୍ବରୂପ ବଳାତ୍କାର ଭଳି ଘଟଣା ବୃଦ୍ଧି ପାଇବ ଓ ସାମାଜିକ ସନ୍ତୁଳନ ନଷ୍ଟ ହେବ। ଆମ ଦେଶର ତଥାକଥିତ ପ୍ରଗତି ସହିତ ତାଳ ଦେଇ ବଳାତ୍କାର ଘଟଣା ଯେପରି ବଢ଼ି ଚାଲିଛି, ଏହାକୁ କମାଇବା ପାଇଁ ରାଜନୈତିକ ବୟାନବାଜି ଛାଡ଼ି ସମସ୍ୟାର ଠିକ୍‌ ବିଶ୍ଳେଷଣ କରି ଉଚିତ ପଦକ୍ଷେପ ସ୍ବରୂପ ପ୍ରଥମେ ମଦର ପ୍ରସାର ବନ୍ଦ କରିବାକୁ ପଡ଼ିବ। ନଚେତ୍‌ ଆଗାମୀ ଇତିହାସ ଲେଖିବା ବେଳକୁ ଇତିହାସକାରମାନେ ଆମ ଦେଶରେ ମଣିଷ ଅପେକ୍ଷା ପଶୁଙ୍କୁ ଅଧିକ ସଭ୍ୟ ସ୍ଥାନରେ ରଖିବେ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...