Tuesday, 16 January 2018

‘ମୁଁ ବି’: ନିର୍ଯାତିତାଙ୍କ ସ୍ବର




‘ମୁଁ ବି’: ନିର୍ଯାତିତାଙ୍କ ସ୍ବର ପ୍ରକାଶ ତ୍ରିପାଠୀ/ ପ୍ରତିବର୍ଷ ପରି ୨୦୧୭ ବର୍ଷର ପ୍ରଭାବଶାଳୀ ମଣିଷଙ୍କ ନାମ ଯେତେବେଳେ ଅନ୍ତର୍ଜାତୀୟ ପ୍ରତିଷ୍ଠିତ ପତ୍ରିକା ‘ଟାଇମ୍‌’ ପକ୍ଷରୁ ଘୋଷଣା କରାଗଲା, ସେତେବେଳେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିବେ ଏହାର ମୁଖ୍ୟ ଦାବିଦାର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌। କାରଣ ୨୦୧୬ ଭଳି ୨୦୧୭ରେ ଟ୍ରମ୍ପ୍‌ଙ୍କୁ ପର୍ସନ ଅଫ୍‌ ଦ ଇୟର ଘୋଷଣା କରିବା ପାଇଁ ଟାଇମ୍‌ ପତ୍ରିକା ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ହେଁ ତାଙ୍କର ଫଟୋ ସେସନ ଓ ଇଣ୍ଟରଭ୍ୟୁ ନିଆସରିଥିଲା ଓ ସେ ଆଶା କରିଥିଲେ, ସେ ୨୦୧୭ରେ ବି ନିଶ୍ଚିତ ପର୍ସନ ଅଫ୍‌ ଦ ଇୟର ହେବେ। ମାତ୍ର ସମସ୍ତଙ୍କୁ ଚକିତ କରି ୨୦୧୭ର ଶ୍ରେଷ୍ଠ ମଣିଷ କୌଣସି ଜଣେ ପୁରୁଷ ବା ମହିଳାଙ୍କୁ ନୁହେଁ, ବରଂ ବିଶ୍ୱର ଲକ୍ଷ ଲକ୍ଷ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘Me too’ ଅର୍ଥାତ୍‌ ‘ମୁଁ ବି’ ଭଳି ଏକ ସାମାଜିକ ଆନ୍ଦୋଳନକୁ ସମର୍ପିତ କରାଗଲା। ଏଠାରେ ‘ମୁଁ ବି’ ସମ୍ପର୍କରେ ସମ୍ୟକ୍‌ ସୂଚନା ଦେବା ଉଚିତ ହେବ। ଏହା ଏକ ସାମାଜିକ ଆନ୍ଦୋଳନ। ସୋସିଆଲ ମିଡିଆରେ ୨୦୦୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ବାସ୍ତବରେ ୨୦୧୭ ଅକ୍ଟୋବରରେ ବ୍ୟାପକ ପ୍ରସାର ସହ ଚର୍ଚ୍ଚାକୁ ଆସିଥିଲା। www.metoomvmt.org ଓ୍ବେବ୍‌ସାଇଟ ଅନ୍ତର୍ଗତ # Me tooରେ ବିଭିନ୍ନ କ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ସେମାନଙ୍କ କରୁଣ କାହାଣୀ ବଖାଣିବାକୁ ନିବେଦନ କରାଯିବା ପରେ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ନିର୍ଯାତିତା ମହିଳା ଏଥିରେ ସାମିଲ ହୋଇଛନ୍ତି ଓ କେବେ ପ୍ରକାଶ କରି ନ ଥିବା ନିଜର କୋହଭରା କାହାଣୀକୁ ଅପ୍‌ଲୋଡ କରୁଛନ୍ତି। ଏହିଭଳି କିଛି ଭୁକ୍ତଭୋଗୀ ମହିଳାଙ୍କୁ ସାଇଲେନ୍ସ ବ୍ରେକର ଆଖ୍ୟା ଦେଇଛି ଟାଇମ୍‌ ପତ୍ରିକା ଓ ଭୂୟସୀ ପ୍ରଶଂସା କରିଛି ‘ମୁଁ ବି’ର ପ୍ରସ୍ତୁତକାରୀ ତରାନ୍ନା ବୁର୍କଙ୍କୁ। ଦୀର୍ଘଦିନର ନୀରବତା ଭଙ୍ଗ କରି ନିଜର ମର୍ମଭେଦୀ ଯୌନ ନିର୍ଯାତନାର କାହାଣୀକୁ ସର୍ବସମ୍ମୁଖରେ ପ୍ରକାଶ କରିଥିବା କିଛି ମହିଳାଙ୍କ ଇଣ୍ଟରଭ୍ୟୁ ମଧ୍ୟ ସ୍ଥାନିତ ହୋଇଛି ଟାଇମ୍‌ ପତ୍ରିକାରେ। କେବଳ ଶାରୀରିକ ସମ୍ପର୍କ ନୁହେଁ, ବଳପୂର୍ବକ ଚୁମ୍ବନ, ଅଶ୍ଳୀଳ ଇଙ୍ଗିତ, ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ ଓ ପ୍ରଦର୍ଶନ ଆଦି ଅନୈତିକ ଘଟଣା ଭରି ରହିଛି ସେହି ଇଣ୍ଟରଭ୍ୟୁର ସାରାଂଶରେ। ହଲିଉଡ୍‌ ସିନେମାଠାରୁ ଆରମ୍ଭ କରି ନ୍ୟୁୟର୍କର ସଂଭ୍ରାନ୍ତ ରିଗାଲ ହୋଟେଲ ପ୍ଲାଜା, କାଲିଫର୍ନିଆର କୃଷି କ୍ଷେତ୍ରଠାରୁ ୟୁରୋପର ପାର୍ଲାମେଣ୍ଟ, କର୍ପୋରେଟ୍‌ ସେକ୍ଟରଠାରୁ ହସ୍ପିଟାଲ ସବୁଠାରେ ଲାଗିଛି ଯୌନ କେଳେଙ୍କାରୀର ଛିଟା। ‘ମୁଁ ବି’ ଆନ୍ଦୋଳନର ପ୍ରଭାବରେ ଆଜି କେଉଁଠି ମକଦ୍ଦମା ଆରମ୍ଭ ହେଲାଣି ତ କେଉଁଠି ପଦପଦବୀ ହରାଇବାକୁ ପଡିଲାଣି। ଅନେକ ସଂଭ୍ରାନ୍ତ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ମୁଣ୍ଡ ତଳକୁ କରିଦେଉଛି ଏହି ସାମାଜିକ ଆନ୍ଦୋଳନ। ଟାଇମ୍‌ ପତ୍ରିକାର ବାର୍ଷିକ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ‘ମୁଁ ବି’ ଆନ୍ଦୋଳନରେ ସାମିଲ ହୋଇଥିବା ପାଞ୍ଚଜଣ ମହିଳାଙ୍କ ଫଟୋ ସ୍ଥାନିତ ହୋଇ ଏହି ସାମାଜିକ ଆନ୍ଦୋଳନର ଗୁରୁତ୍ୱକୁ ବହୁଗୁଣିତ କରିଛି। ଏହି ପାଞ୍ଚଜଣ ନିର୍ଯାତିତା ମହିଳା ହେଲେ ପୂର୍ବତନ ଉବର କମ୍ପାନୀ ଇଞ୍ଜିନିୟର ଆସ୍‌ଲେ ଜୁଦ୍‌, ଗାୟିକା ଟେଲର ସ୍ବିଫ୍ଟ, ଷ୍ଟ୍ରବେରି ଚାଷରେ ନିୟୋଜିତ ମହିଳା ଶ୍ରମିକ ଇସାବେଲ ପାସ୍କାଲ (ଛଦ୍ମନାମ) ଓ କର୍ପୋରେଟ୍‌ ଲବିଷ୍ଟ ଆଦାମା ଇୟୁ। ଏମାନଙ୍କ ସହ ଆହୁରି ଅନେକ ମହିଳାଙ୍କ ମର୍ମସ୍ପର୍ଶୀ କାହାଣୀର କରୁଣ ସ୍ବର ସ୍ପଷ୍ଟ ବାରି ହୋଇଯାଏ ଟାଇମ୍‌ ପତ୍ରିକାର ଭିତର ପୃଷ୍ଠାରେ। ଜାତି, ଧର୍ମ, ବର୍ଣ୍ଣ ଓ ରାଷ୍ଟ୍ର ନିର୍ବିଶେଷରେ ବିଶ୍ୱର ପ୍ରତି କୋଣ ଅଣୁକୋଣରେ ଅଗଣିତ ନିର୍ଯାତିତାଙ୍କ ଅନ୍ତର ଭିତରେ ଦବିହୋଇ ରହିଥିବା କରୁଣ କାହାଣୀ ‘ମୁଁ ବି’ ହ୍ୟାସ୍‌ଟ୍ୟାଗ୍‌ରେ ଯୋଡିହେବା ପ୍ରମାଣ ଦିଏ ଯେ ବିଶ୍ୱର କୌଣସି ଅଞ୍ଚଳ ବି ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ସେ ଉନ୍ନତ ରାଷ୍ଟ୍ର ହେଉ ବା ଅନୁନ୍ନତ, ନାରୀଟିଏ ଶିକ୍ଷିତା ଓ ସଂଭ୍ରାନ୍ତ ହେଉ କି ଅଶିକ୍ଷିତା, କେହି ବି କେଉଁଠାରେ ସୁରକ୍ଷିତ ନୁହନ୍ତି। ନିଜ ଘରେ, ବାହାରେ, କର୍ମକ୍ଷେତ୍ରରେ ସବୁଠାରେ ସେ ଲାଞ୍ଛିତା, ନିର୍ଯାତିତା ଓ ଉପଭୋଗ୍ୟା। ଦୁଇଜଣ ମହିଳାଙ୍କ ସମ୍ପର୍କରେ ଏଠାରେ ସୂଚନା ଦେଉଛୁ। ପ୍ରଥମେ ଆସନ୍ତୁ ଜାଣିବା ହଲିଉଡ୍‌ ଅଭିନେତ୍ରୀ ଆସ୍‌ଲେ ଜୁଦ୍‌ଙ୍କ କରୁଣ କାହାଣୀ, ଯାହାର ଖଳନାୟକ ହେଉଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଐତିହାସିକ ମିରାମାକ୍ସ ଷ୍ଟୁଡିଓର ମାଲିକ ହାର୍ଭେ ଓ୍ବିନ୍‌ଷ୍ଟେନ। ୧୯୯୭ରେ ଘଟିଥିଲା ଏହି ଅଘଟଣ, ଯେତେବେଳେ କି ଆସ୍‌ଲେଙ୍କ ବୟସ ଥିଲା ୨୯ ବର୍ଷ ଓ ହଲିଉଡ୍‌ରେ ନିଜର ସ୍ଥିତିକୁ ନେଇ ସଂଘର୍ଷ କରୁଥିଲେ। ପେନିନ୍‌ସୁଲା ହୋଟେଲର ଏକ କୋଠରିକୁ ଜୁଦ୍‌ଙ୍କୁ ଡାକିଥିଲେ ଓ୍ବିନ୍‌ଷ୍ଟେନ ଏକ ସିନେମା ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ପାଇଁ। ଜୁଦ୍‌ ନିଜ ପିତାଙ୍କ ସହ ସେହି ହୋଟେଲକୁ ଯାଇଥିଲେ ଅତି ଆଗ୍ରହ ଓ ଉତ୍ସାହର ସହ। କାରଣ ଓ୍ବିନ୍‌ଷ୍ଟେନଙ୍କ ଭଳି ଜଣେ ଆଗଧାଡିର ପ୍ରଯୋଜକଙ୍କଠାରୁ ଡାକରା ପାଇବା ପ୍ରତ୍ୟେକ କଳାକାରଙ୍କ ପାଇଁ ସେତେବେଳେ ଏକ ସ୍ବପ୍ନ ଥିଲା। ପିତାଙ୍କୁ ତଳ ମହଲାର ରିସେପ୍‌ସନରେ ବସାଇ ଜୁଦ୍‌ ଯାଇଥିଲେ ଉପର ମହଲାର ଓ୍ବିନ୍‌ଷ୍ଟେନଙ୍କ କୋଠରିକୁ। କୋଠରି ମଧ୍ୟରେ ସେ ଏକ ଛୋଟ ବାଥ୍‌ ଟାଓ୍ବେଲ ପିନ୍ଧି ସତେଯେମିତି ଅପେକ୍ଷା କରିଥିଲେ ଜୁଦ୍‌ଙ୍କୁ। ଅଳ୍ପ କିଛି ସମୟ ଦୁହେଁ ସିନେମା ସମ୍ପର୍କରେ ଆଲୋଚନା କରିବା ପରେ ବେଡ୍‌ରେ କିଛି ସମୟ କାଟିବା ପାଇଁ ଓ୍ବିନ୍‌ଷ୍ଟେନ ଅଭିନେତ୍ରୀ ଜୁଦ୍‌ଙ୍କୁ ନିବେଦନ କରିଥିଲେ। ମାତ୍ର ଜୁଦ୍‌ ଏଥିରେ ରାଜି ନ ହେବାରୁ ଓ୍ବିନ୍‌ଷ୍ଟେନଙ୍କୁ ତୈଳ ମାଲିସ କରିବାକୁ ଓ ଶାଓ୍ବାର ତଳେ ଗାଧୋଇବାର ଦୃଶ୍ୟ ଦେଖିବାକୁ ଜୁଦ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ଓ୍ବିନ୍‌ଷ୍ଟେନଙ୍କ ଏପରି ଅଭଦ୍ର ବ୍ୟବହାର ଜୁଦ୍‌ଙ୍କୁ ଅସ୍ବସ୍ତି ଦେଇଥିଲା। ଆଉ ଅଧିକ କିଛି ଘଟିବା ପୂର୍ବରୁ ଜୁଦ୍‌ ଓ୍ବିନ୍‌ଷ୍ଟେନଙ୍କ କୋଠରିରୁ କାନ୍ଦି କାନ୍ଦି ବାହାରକୁ ଚାଲି ଆସିଥିଲେ। ଘଟଣା ସମ୍ପର୍କରେ ସହକଳାକାରଙ୍କୁ ଯେତେବେଳେ ଜୁଦ୍‌ କହିଥିଲେ, ସେତେବେଳେ ଜାଣିବାକୁ ପାଇଥିଲେ ଯେ ଓ୍ବିନ୍‌ଷ୍ଟେନଙ୍କ ଏପରି ଦୁଶ୍ଚରିତ୍ର କାହାକୁ ଅଛପା ନୁହେଁ କି ଫିଲ୍ମ ଦୁନିଆରେ ଏଭଳି ଘଟଣା ଘଟିବା ନୂଆ ନୁହେଁ। ପ୍ରଥମେ ଏ ସମ୍ପର୍କରେ ଜୁଦ୍‌ ନ୍ୟୁୟର୍କ ଟାଇମ୍ସରେ ଏକ ଲେଖା ଛାପିବା ପରେ ଓ୍ବିନ୍‌ଷ୍ଟେନ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ନିଜ ସହଜ ପ୍ରତିକ୍ରିୟାରେ ଏତିକି କେବଳ କହିଥିଲେ ଯେ, ସେ ବିନା ସହମତିରେ କାହା ସହ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ। ଆଉ ଜଣେ ମହିଳା ହେଲେ ସୁଶାନ୍‌ ଫାଉଲର। ଏକ ଗରିବ ତଥା ବହୁକୁଟୁମ୍ବୀ ପରିବାରରେ ଜନ୍ମିଥିବା ସୁଶାନ ବହୁ କଷ୍ଟରେ ମାରିଜୋଆନା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ୨୦୧୫ରେ ଯୋଗଦିଅନ୍ତି ପ୍ରତିଷ୍ଠିତ କମ୍ପାନୀ ଉବରରେ। ପ୍ରଥମ ଦିନରୁ ହିଁ ସେ ଯୌନ ନିର୍ଯାତନାର ଶିକାର ହୋଇଯାଆନ୍ତି ନିଜ ଟିମ୍‌ର ମୁଖ୍ୟଙ୍କ ଦ୍ୱାରା। ଏକାଧିକ ସହକର୍ମୀଙ୍କ ଦ୍ୱାରା ସେ ବହୁବାର ନର୍ଯାତିତା ହୋଇ ମଧ୍ୟ ଚୁପ୍‌ ରହିଥିଲେ ଏଇଥିପାଇଁ ଯେ, ଚାକିରି ଚାଲିଗଲେ ପରିବାରର ଲୋକମାନେ ଅସୁବିଧାରେ ପଡିଯିବେ। କିନ୍ତୁ ‘ମୁଁ ବି’ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ନିଜର କରୁଣ କାହାଣୀକୁ ସୋସିଆଲ ମିଡିଆରେ ପ୍ରକାଶ କଲେ। ଇତିମଧ୍ୟରେ ଉବର ମୁଖ୍ୟଙ୍କ ସହ ୨୦ଜଣ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଟାଇମ୍‌ ପତ୍ରିକାର ବାର୍ଷିକ ସଂସ୍କରଣ ପ୍ରକାଶ ପାଇବା ପରେ କୁଇନପାକ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଉ ଏକ ଦୁର୍ଭାଗ୍ୟଜନକ ସର୍ବେକ୍ଷଣ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଆମେରିକାର ପ୍ରାୟ ଅର୍ଦ୍ଧେକ ମହିଳା ତାଙ୍କ ଜୀବନକାଳ ମଧ୍ୟରେ କେଉଁଠି ନା କେଉଁଠି ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ଏଠାରେ ପ୍ରଶ୍ନ ଉଠେ, ଏ ବିଶ୍ୱରେ ଯୌନ ନିର୍ଯାତନାର କ’ଣ ଅନ୍ତ ନାହିଁ? ‘ମୁଁ ବି’ ସାମାଜିକ ଆନ୍ଦୋଳନ ଏବେ ବିଶ୍ୱର ଅଗଣିତ ଅସହାୟ ଓ ଅସୁରକ୍ଷିତ ମହିଳାଙ୍କ ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଛି ସତ, ମାତ୍ର ବିଶ୍ୱର ପ୍ରାୟ ୩୦୦ କୋଟି ମହିଳାଙ୍କ ମଧ୍ୟରୁ କେତେଭାଗ ମହିଳା ସୋସିଆଲ ମିଡିଆରେ ସମ୍ପୃକ୍ତ ଅଛନ୍ତି? ଏହି ଆନ୍ଦୋଳନ କେତେଦିନ ତିଷ୍ଠିବ ଓ ନିର୍ଯାତିତା ମହିଳାଙ୍କୁ କେତେ ସହାୟ ହେବ? କେବଳ ଏତିକି କୁହାଯାଇପାରେ ଯେ, ବର୍ତ୍ତମାନ ସମୟରେ ବିଶ୍ୱସ୍ତରରେ ସମ୍ପୂର୍ଣ୍ଣ ନାରୀ ସ୍ବାଧୀନତାର ଆବଶ୍ୟକତା ରହିଛି ଓ ଏଥିପାଇଁ କୌଣସି ଦେଶ ଏକକ ଭାବେ ନୁହେଁ, ବରଂ ସାମଗ୍ରିକ ଭାବେ ସମସ୍ତ ରାଷ୍ଟ୍ର ଏକ ହୋଇ ଏ ସମ୍ପର୍କରେ ଚିନ୍ତା କରନ୍ତୁ। ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ। ମୋ-୯୪୩୭୨୩୨୪୬୩, ଇମେଲ୍‌- prakash.tripathy09@gmail.com

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...