Monday, 26 March 2018

ଦୁରୁପଯୋଗ ଅଭିଯୋଗ


ସ୍ବତନ୍ତ୍ର ଆଇନଗୁଡ଼ିକର ଦୁରୁପଯୋଗ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଅଭିଯାନ ଜାରି ରହିଛି। କିଛିଦିନ ତଳେ ଜଷ୍ଟିସ୍‌ ଏ.କେ. ଗୋଏଲ ଓ ୟୁ.ୟୁ. ଲଳିତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ନିଷ୍ଠୁରତା ବିରୋଧୀ ଆଇନର ଦୁରୁପଯୋଗକୁ ରୋକିବା ଲାଗି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଭୁଲ୍‌ ଭାବରେ ଜଣକୁ ଗିରଫ କରି ଅଟକ ରଖାଗଲେ ତାହାଦ୍ୱାରା ତାଙ୍କର ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ବ୍ୟାହତ ହୁଏ। ନିରୀହ ଲୋକଙ୍କୁ ସୁରକ୍ଷା ଦେବା ଲାଗି ନିୟମ ଥିଲେ ମଧ୍ୟ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଏହାର ବହୁଳ ଉଲ୍ଲଂଘନ ହେଉଛି। ଏହି ରାୟରେ କେତେକ ଯୁକ୍ତି ଉପସ୍ଥାପନ କରାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ରୁ କେତେକ ପରିସଂଖ୍ୟାନ ଦେଇ କୋର୍ଟ କହିଛନ୍ତି ଯେ, ଦଳିତ ଓ ଆଦିବାସୀଙ୍କ ନିର୍ଯାତନା ବିରୋଧୀ ଆଇନର ଦୁରୁପଯୋଗ କରି କାହାକୁ ଦବେଇ ଦିଆଯାଇପାରେ, ବ୍ଲାକ୍‌ମେଲ କରାଯାଇପାରେ ବା କାହା ପ୍ରତି ଥିବା ବ୍ୟକ୍ତିଗତ ରାଗ ଶୁଝାଯାଇପାରେ। ଏହା ମଧ୍ୟ ଏପରି ଏକ ଆଇନ ଯାହା ଜାତିବାଦକୁ ବଳବତ୍ତର ରଖିବାରେ ସାହାଯ୍ୟ କରୁଛି। ତେଣୁ ଅଭିଯୋଗ ପାଇବା ପରେ ପୋଲିସ ଏତଲା ରୁଜୁ କରିବା ପୂର୍ବରୁ ବାଧ୍ୟତାମୂଳକ ଭାବେ ପ୍ରାରମ୍ଭିକ ତଦନ୍ତ କରିବା ଉଚିତ। ସେହି ଏକା ବେଞ୍ଚ ଗତ ଜୁଲାଇ ମାସରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୮(କ) (ଯୌତୁକ-ବିରୋଧୀ ଆଇନ)ର ଦୁରୁପଯୋଗ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏଭଳି ଅଭିଯୋଗ ଆସିଲେ ଏତଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପୂର୍ବରୁ ପରିବାର କଲ୍ୟାଣ କମିଟିଗୁଡ଼ିକ ସତ୍ୟତା ଅନୁଧ୍ୟାନ କରିବା ଦରକାର ବୋଲି କୋର୍ଟ ମତ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶାବଳୀର ପୁନଃସମୀକ୍ଷା କରାଯିବ ବୋଲି ପରେ ସୁପ୍ରିମ୍‌କୋର୍ଟର ଏକ ବୃହତ୍ତର ବେଞ୍ଚ କହିଛନ୍ତି। କେଉଁଭଳି ଆଇନର ବାରମ୍ବାର ଦୁରୁପଯୋଗ ହେଉଛି ବୋଲି ଅଭିଯୋଗ ଆସୁଛି, ପାଠକେ ଅନୁଧ୍ୟାନ କରନ୍ତୁ: ଯୌନ ଉତ୍ପୀଡ଼ନ ବିରୋଧୀ ଆଇନ (ଯାହା କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ), ଯୌତୁକ-ବିରୋଧୀ ଆଇନ (ବିବାହିତା ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ), ଜାତିଗତ ଆକ୍ଷେପ ଓ ନିର୍ଯାତନା ବିରୋଧୀ ଆଇନ (ଦଳିତ ଓ ଆଦିବାସୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ) ଇତ୍ୟାଦି। ଉପରୋକ୍ତ ଦୁଇ କ୍ଷେତ୍ରରେ ବିଚାରପତିମାନଙ୍କ ରାୟକୁ ନେଇ ଦୁଇଟି ପ୍ରଶ୍ନ ଉଙ୍କିମାରୁଛି: ୧) ଅନ୍ୟ ଆଇନ ଅପେକ୍ଷା ଏହି ଆଇନଗୁଡ଼ିକ ଅଧିକ ଦୁରୁପଯୋଗ ହେଉଛି କି? ୨) ଦୁରୁପଯୋଗ ନ ହେବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା କ’ଣ ସର୍ବୋତ୍ତମ ଯାହା ବିଚାର ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ବଚ୍ଛ କରିପାରିବ? ପ୍ରଥମ କ୍ଷେତ୍ରରେ ମଙ୍ଗଳବାରର ରାୟରେ କୋର୍ଟ ଉପସ୍ଥାପନ କରିଥିବା ପରିସଂଖ୍ୟାନକୁ ଦେଖିବା। ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ୨୦୧୫ ମସିହାରେ ୫୩୪୭ଟି ଦଳିତ ମାମଲା ଏବଂ ୯୧୨ଟି ଆଦିବାସୀ ମାମଲା ମିଥ୍ୟା ଥିବାର ଜଣାପଡ଼ିଛି। ଦଳିତ ଅଧିକାର ସଂସ୍ଥାଗୁଡ଼ିକର ଦାବି ଅନୁସାରେ ଉଚ୍ଚ ଜାତିର ପୋଲିସ ଅଧିକାରୀମାନେ ଦଳିତଙ୍କ ବିରୋଧରେ ଘଟିଥିବା ଅପରାଧ ପଞ୍ଜୀକରଣ କରିବାକୁ ରାଜି ହୋଇ ନ ଥାନ୍ତି ଏବଂ ତୁରନ୍ତ ତାହା ମିଥ୍ୟା ଅଭିଯୋଗ କହି ଖାରଜ କରିଦିଅନ୍ତି। ୨୦୧୬ ମସିହାର ତଥ୍ୟ ଅନୁସାରେ ୫୬୨୯୯ଟି ଦଳିତ ଏବଂ ୯୦୯୬ଟି ଆଦିବାସୀ ମାମଲା ତଦନ୍ତ ନ ହୋଇ ପଡ଼ିରହିଛି। ଏଥିରୁ ଜଣାପଡ଼ୁଛି ଯେ, ମାତ୍ର ୧୦ ପ୍ରତିଶତ ମାମଲା ମିଥ୍ୟା ଥିବାର ଜଣାପଡ଼ିଛି। ଅର୍ଥାତ୍‌ ୧୦ରୁ ୯ଟି ମାମଲା ମିଥ୍ୟା ନୁହେଁ। ତେଣୁ ଏ ଆଇନର ବ୍ୟାପକ ଦୁରୁପଯୋଗ ହେଉଛି ବୋଲି କହିବା ଠିକ୍‌ ନୁହେଁ। ଅନ୍ୟ ଅପରାଧ ସହ ଏହାର ତୁଳନା କରନ୍ତୁ। ୯% ଅପହରଣ ମାମଲା ଏବଂ ୧୨% ଜାଲିଆତି ମାମଲା ମିଥ୍ୟା। କିନ୍ତୁ କେହି କେବେ ଅପହରଣ ବା ଜାଲିଆତି ଆଇନ ବିରୋଧରେ ସ୍ବର ଉତ୍ତୋଳନ କରିବାର ଦେଖାଯାଇଛି କି? ପୁଣି ରାୟରେ କୁହାଯାଇଛି, ୨୦୧୫ରେ ଫଇସଲା ହୋଇଥିବା ମୋଟ ୧୫୬୩୮ ମାମଲା ମଧ୍ୟରୁ ୧୧୦୨୪ଟିରେ ଅଭିଯୁକ୍ତଙ୍କୁ ବିନା ଦୋଷରେ ଖଲାସ କରିଦିଆଯାଇଛି, ୪୯୫ ମାମଲା ପ୍ରତ୍ୟାହୃତ ହୋଇଛି ଏବଂ ୪୧୧୯ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୪୯୮(କ) ଧାରାର ବିରୋଧୀମାନେ ଅନେକ ସମୟରେ ଦୋଷୀ ସାବ୍ୟସ୍ତ ହାରକୁ ଦୁରୁପଯୋଗର ପ୍ରମାଣ ଭାବେ ଉଲ୍ଲେଖ କରିଥାନ୍ତି। ଉକ୍ତ ରାୟରେ ମଧ୍ୟ କୁହାଯାଇଛି ଯେ, ଦଳିତ ଓ ଆଦିବାସୀ ନିର୍ଯାତନା ବିରୋଧୀ ମାମଲାରେ ମାତ୍ର ୨୬% ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଥିବାରୁ ଏହି ଆଇନର ଦୁରୁପଯୋଗ ହେଉଛି ବୋଲି କୁହାଯାଇପାରେ। କିନ୍ତୁ ତଦନ୍ତ ଓ ବିଚାରରେ ବିଳମ୍ବ, ପୀଡ଼ିତଙ୍କୁ ଓ ସାକ୍ଷୀମାନଙ୍କୁ ହଇରାଣ କରିବା ଓ ଧମକ ଚମକ ଦେବା ପ୍ରଭୃତି ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଇବାର ମୁଖ୍ୟ କାରଣ। ତେବେ ଏହାକୁ ଦୁରୁପଯୋଗର ମାନକ ଭାବେ ଗ୍ରହଣ କରାଗଲେ ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ ଠକାମି, ଜବରଦସ୍ତ ଚାନ୍ଦା ଆଦାୟ ଓ ଗୃହଦାହ ମାମଲାରେ ଯଥାକ୍ରମେ ମାତ୍ର ୨୦%, ୧୯% ଓ ୧୬% ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏସବୁ ଆଇନର ଦୁରୁପଯୋଗ ହେଉଛି ବୋଲି ତ କେହି କହୁ ନାହାନ୍ତି। ସତ କଥା ହେଲା ସବୁ ଆଇନର ଦୁରୁପଯୋଗ ହୋଇପାରେ ଏବଂ ହେଉଛି ମଧ୍ୟ। ତେଣୁ ନିର୍ଦ୍ଦିଷ୍ଟ ଭାବେ କୌଣସି ଜାତି ବା ଲିଙ୍ଗର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ଦୁରୁପଯୋଗ ହେଉଛି ବୋଲି କହିବା ଠିକ୍‌ ନୁହେଁ। ଯଦି ପରିବାର କଲ୍ୟାଣ କମିଟିକୁ ଅଭିଯୋଗର ସତ୍ୟାସତ୍ୟ ବୁଝିବା ପାଇଁ କୁହାଯିବ ଏବଂ ପୋଲିସକୁ ଏତଲା ରଖିବା ପୂର୍ବରୁ ପ୍ରାରମ୍ଭିକ ତଦନ୍ତ କରିବାକୁ କୁହାଯିବ, ତା’ହେଲେ ପୀଡ଼ିତମାନେ ନ୍ୟାୟ ପାଇବା କଷ୍ଟକର ହୋଇପଡ଼ିବ। (Email: aakar.patel@gmail.com)

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...