Tuesday, 14 August 2018

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା






ଆଧୁନିକ ଯୁଗରେ ଖାଉଟି ବା ଗ୍ରାହକର ସ୍ଥାନ ଅତି ଶୀର୍ଷରେ। ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ତିଷ୍ଠି ରହିବା ଏବଂ ତାଙ୍କର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାହକର ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଜଣେ ଗ୍ରାହକ ହେଉଛି ଭଗବାନଙ୍କ ସଦୃଶ (ଗରାଖ-ଈଶ୍ୱର)। କିନ୍ତୁ ବାସ୍ତବରେ ଆମ ଦେଶରେ ଖାଉଟି ସବୁବେଳେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଆସୁଛି। ଠକ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା ବାବଦରେ ସାଧାରଣ ଲୋକଙ୍କଠାରୁ ଅନେକ ତଥ୍ୟ ଗୋପନୀୟ ରଖିଥାନ୍ତି। ଯୋଜନାବଦ୍ଧ ଭାବରେ ଏମାନେ ଖାଉଟିକୁ ଲୁଟିଥାନ୍ତି। ଏହି ସମସ୍ୟାର ନିରାକରଣ ପାଇଁ ୧୯୮୬ ମସିହାରେ ସମଗ୍ର ଦେଶ ପାଇଁ ଖାଉଟି ସୁରକ୍ଷା ଆଇନ ପ୍ରଣୟନ କରାଗଲା। ପରବର୍ତ୍ତୀ ସମୟରେ ୧୯୮୮ ମସିହାରେ ଜାତୀୟ ଖାଉଟି ଅଭିଯୋଗ ପ୍ରତିକାର ଆୟୋଗ ସହିତ ସମଗ୍ର ଦେଶରେ ୩୪ଟି ରାଜ୍ୟ ଖାଉଟି ଅଭିଯୋଗ ପ୍ରତିକାର ଆୟୋଗ ଏବଂ ୬୦୪ଟି ଜିଲା ଖାଉଟି ଅଭିଯୋଗ ପ୍ରତିକାର ମଞ୍ଚ ମଧ୍ୟ ପ୍ରତିଷ୍ଠା କରାଗଲା। ତା’ ସହିତ ଖାଉଟିମାନଙ୍କ ଶିକ୍ଷା ଓ ସଚେତନତା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡିକୁ ନିୟମିତଭାବେ ଯଥେଷ୍ଟ ସହାୟତା ପାଣ୍ଠି ପ୍ରଦାନ କରାଯାଉଛି। ଭାରତରେ ଗୁଜରାଟ, ମଧ୍ୟପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର, ତାମିଲନାଡୁ ଭଳି ରାଜ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମଗୁଡିକ ବହୁଳଭାବେ କାର୍ଯ୍ୟକାରୀ କରାଯାଉଥିବା ବେଳେ, ଓଡ଼ିଶାରେ ଏହା ବହୁତ କମ୍‌ ଦେଖିବାକୁ ମିଳେ। ସେଥିପାଇଁ ଆମ ରାଜ୍ୟରେ ଖାଉଟି ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ।
ଆଇନ ଅନୁଯାୟୀ ରାଜ୍ୟ ଖାଉଟି ଅଭିଯୋଗ ପ୍ରତିକାର ଆୟୋଗ ଏବଂ ଜିଲା ଖାଉଟି ଅଭିଯୋଗ ପ୍ରତିକାର ମଞ୍ଚ ସହିତ ପ୍ରତ୍ୟେକ ଜିଲାରେ ଖାଉଟି ପରାମର୍ଶ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ରହିଛି। ସେହି ଅନୁଯାୟୀ ଆମ ରାଜ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୩୧ଟି ଜିଲା ଖାଉଟି ଅଭିଯୋଗ ପ୍ରତିକାର ମଞ୍ଚ ସହିତ ୩୧ଟି ଜିଲା ଖାଉଟି ପରାମର୍ଶ କେନ୍ଦ୍ର ରହିଛି। ତେବେ ଆମ ରାଜ୍ୟରେ ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ଆଶାନୁରୂପ ହୋଇପାରିନାହିଁ। ଖାଉଟି ସୁରକ୍ଷା ଆଇନରେ ଉଲ୍ଲେଖ ଥିବା ମୌଳିକ ଅଧିକାର ଯଥା: ସୁରକ୍ଷା, ସୂଚନା, ପସନ୍ଦ, ଅଭିଯୋଗ, ଖାଉଟି ବିବାଦ ପ୍ରତିକାର ଇତ୍ୟାଦି ବିଷୟରେ ଏବେ ବି ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଗ୍ରାହକ ଅଜ୍ଞ ଅଛନ୍ତି। ଏଥିରୁ ଜଣାଯାଏ ଖାଉଟିମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରାଜ୍ୟ ବା ଜିଲାରେ ଉଦ୍ଦିଷ୍ଟ ବ୍ୟବସ୍ଥାଗୁଡିକ ଦ୍ୱାରା ସର୍ବସାଧାରଣଙ୍କୁ ଉପଯୁକ୍ତ ଶିକ୍ଷା ଓ ସେବା ମିଳିପାରି ନାହିଁ।
ଖାଉଟିମାନଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ମିଳୁଥିବା ୧୦ କୋଟି ଟଙ୍କାର କର୍ପସ ଫଣ୍ଡ୍‌ରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ। ବାସ୍ତବରେ ଖାଉଟିମାନଙ୍କ କଲ୍ୟାଣ ନିମନ୍ତେ ଆସୁଥିବା ପାଣ୍ଠିକୁ ଅନ୍ୟ ବାଟରେ ଶ୍ରାଦ୍ଧ କରାଯାଉଛି। ରାଜ୍ୟ ସରକାରଙ୍କ ଏ ଦିଗରେ ଉଦାସୀନତା ଅତ୍ୟନ୍ତ ଦୁଃଖଦାୟକ। ତା’ଛଡା, ରାଜ୍ୟରେ ଥିବା ଜିଲା ଖାଉଟି ଅଭିଯୋଗ ପ୍ରତିକାର ମଞ୍ଚ ଭଳି କ୍ଷମତାସଂପନ୍ନ ଅର୍ଦ୍ଧ ବିଚାର ବିଭାଗୀୟ ମଣ୍ଡଳୀଗୁଡିକରେ କାର୍ଯ୍ୟ କରିଆସୁଥିବା ସଭ୍ୟା ଏବଂ ସଭ୍ୟପଦଗୁଡିକ ପାଇଁ କରାଯାଉଥିବା ନିଯୁକ୍ତି ଏକ ପ୍ରହେଳିକା ପରି ମନେହୁଏ। ଶିକ୍ଷିତ ଏବଂ ଅଭିଜ୍ଞ ବ୍ୟକ୍ତି ବଦଳରେ ଅଧାପାଠୁଆ ଓ ଅନଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଏ, ଯେଉଁମାନେ ମାସକର ଦରମା ନେଇ ସପ୍ତାହକୁ ୨ ବା ୩ ଦିନ କାର୍ଯ୍ୟ କରନ୍ତି ଏବଂ ତାହା ମଧ୍ୟ ମାତ୍ର ସ୍ବଳ୍ପ ସମୟ ପାଇଁ। କେବଳ ସେତିକି ନୁହେଁ, ଆମ ରାଜ୍ୟର ପ୍ରତି ଜିଲାରେ ଲକ୍ଷ ଲକ୍ଷ ଖାଉଟି ସମସ୍ୟା ଘେରରେ ରହିଥିବା ବେଳେ, ଜିଲା ଖାଉଟି ଅଭିଯୋଗ ପ୍ରତିକାର ମଞ୍ଚରେ ଅତି ବେଶିରେ ୧୦ରୁ ୧୨ ଅଭିଯୋଗ ଦାଖଲ କରାଯାଏ। ସେଗୁଡିକ ପାଇଁ ଓକିଲର ସାହାଯ୍ୟ ମଧ୍ୟ ନେବାକୁ ପଡିଥାଏ। ତାହାର ଫଇସଲା ପାଇଁ ଖାଉଟିକୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ। ଏପରି କି, ଖାଉଟିମାନଙ୍କୁ ସହାୟତା ଯୋଗାଇ ଆସୁଥିବା ନିଃଶୁଳ୍କ ଖାଉଟି ସଂଯୋଗ ଲାଇନ (୧୮୦୦୩୪୫୬୭୨୪/୭୬୦) ନମ୍ବରଟିକୁ ଅଚଳ କରିଦିଆଯାଇଛି। ଏହା କିଛି ବର୍ଷ ହେଲା କାମ କରୁନି। ପ୍ରତ୍ୟେକ ଜିଲାରେ ଖାଉଟି ପରାମର୍ଶ କେନ୍ଦ୍ରଗୁଡିକର ମଧ୍ୟ ଅବସ୍ଥା ସେହିଭଳି। ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ଧରି ପରାମର୍ଶ କେନ୍ଦ୍ରଗୁଡିକ ବନ୍ଦ ହେଲାଣି। ପୁଣି ଭୁବନେଶ୍ୱରସ୍ଥିତ ରାଜ୍ୟସ୍ତରୀୟ ପରାମର୍ଶ କେନ୍ଦ୍ରରେ ୬ ଜଣ ଅଧିକାରୀଙ୍କ ଜାଗାରେ ଜଣେ ଅଧିକାରୀ କାମ କରୁଛନ୍ତି। ଯେ କୌଣସି ସମୟରେ ସେହି ଅଧିକାରୀ ଜଣକ ତାଙ୍କ ପଦ ମଧ୍ୟ ଛାଡି ଦେଇପାରନ୍ତି। ରାଜ୍ୟ ଖାଉଟିମାନଙ୍କ ପରିସ୍ଥିତିକୁ ଏଇସବୁ କାରଣଗୁଡିକ ଆହୁରି ବିପନ୍ନ କରିଦେଇଛି।
ଖାଉଟିଙ୍କ ସଂଖ୍ୟା ଦୃଷ୍ଟିକୋଣରୁ, ଚାଇନା ତଳକୁ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକ ତୁଳନାରେ ଭାରତରେ ଖାଉଟି ଏବଂ ବଜାରଗୁଡିକର ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। ଏପରି କି ଦେଶର ଗାଁ ଗହଳିରେ ଗଢି ଉଠିଥିବା ହାଟବଜାରଗୁଡିକର ସଂଖ୍ୟା ଏତେ ବେଶି ଯେ, ତାହାକୁ ସରକାର ନିୟନ୍ତ୍ରଣ କରିବା ଅସମ୍ଭବ। ଦେଶରେ ପ୍ରଚଳିତ ଅନ୍ୟ କେତୋଟି ଆଇନ ଯଥା- ଏମ୍‌ଆରଟିପି ଆକ୍ଟ ୧୯୬୯, ଆଇପିସି ୧୮୬୦, କୋଡ୍‌ ଅଫ୍‌ ସିଡ୍ୟୁଲ୍‌ ପ୍ରୋସିଡିୟୋର ୧୯୦୮ ଇତ୍ୟାଦିକୁ ଖାଉଟିମାନଙ୍କ ସୁରକ୍ଷା ଦିଗରେ ମଧ୍ୟ ଠିକ୍‌ଭାବରେ କାର୍ଯ୍ୟକାରୀ ହେଉନାହିଁ। ଆମ ଦେଶର ଲୋକସଂଖ୍ୟାର ୬୦ ପ୍ରତିଶତ ଖଟିଖିଆ ବା କିଣିଖିଆ ରହିଥିବା ବେଳେ ଓଡିଶାରେ ଏହି ଶ୍ରେଣୀଙ୍କ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ। ଏହି କିଣିଖିଆ ଶ୍ରେଣୀ ଅଧିକାଂଶ ସମୟରେ ଦ୍ରବ୍ୟ ଓ ସେବା ବାବଦରେ ଠକାମିର ଶିକାର ହୋଇଥାନ୍ତି। ସେଥିପାଇଁ, ଖାଉଟିଙ୍କ ସୁରକ୍ଷା ଦିଗରେ ଖାଲି ସରକାର ନୁହନ୍ତି, ଜନସାଧାରଣ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ, ଇ-ମିଡିଆ ଇତ୍ୟାଦି ସଜାଗ ରହିବା ନିହାତି ଜରୁରୀ।

ଜ୍ଞାନାଞ୍ଜଳି ପରିଡ଼ା

ମୋ- ୯୪୩୭୮୫୫୨୩୫

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...