କିଛି ମାସ ତଳେ କେନ୍ଦ୍ରୀୟ
ଦିଲ୍ଲୀର ଏକ ଇଂଲିଶ ମାଧ୍ୟମ
ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା
ଦୁଇଜଣ ଛାତ୍ର ଅଧ୍ୟକ୍ଷାଙ୍କ କୋଠରିରେ
ପଶି ହଠାତ୍ ତାଙ୍କୁ ଛୁରିରେ
ଆକ୍ରମଣ କଲେ। ମ୍ୟାଡାମଙ୍କ
ଚିତ୍କାର ଶୁଣି ଅନ୍ୟମାନେ ଆସିଯିବାରୁ
ପିଲା ଦୁହେଁ ଦୌଡି ପଳେଇଲେ। ସେହିପରି
ବିହାରର ପାଟନାସ୍ଥିତ ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସରଙ୍କୁ ତାଙ୍କ
ରୁମ୍ରୁ ବାହାରକୁ ଟାଣିଆଣି
କିଛି ଛାତ୍ର ପେଟ୍ରୋଲ ଢାଳି
ନିଆଁ ଲଗେଇ ଦେବାକୁ ଉଦ୍ୟମ
କରୁଥିବା ବେଳେ ପୋଲିସ ତାଙ୍କୁ
ରକ୍ଷା କରିଥିଲା। ଉତ୍ତରାଖଣ୍ଡର
ଡେରାଡୁନ୍ ଜିଲା ଅନ୍ତର୍ଗତ ସାହସପୁରରେ
ଏକ ଆବାସିକ ବିଦ୍ୟାଳୟରେ ପଢୁଥିବା
ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ
ତାଙ୍କ ସହପାଠୀମାନେ ଗଣବଳାତ୍କାର କରି ଅନ୍ତଃସତ୍ତ୍ୱା କରିଦେଲେ। ହରିୟାଣାର
ବହୁଚର୍ଚ୍ଚିତ ରଓ୍ବୋଡି ଗଣବଳାତ୍କାର (ସିବିଏସ୍ଇ ଟପ୍ପର
ଝିଅ) ଘଟଣାର ଠିକ୍ ପରେ
ପରେ ଅନ୍ୟ ଜଣେ ସତର
ବର୍ଷର ଝିଅକୁ ବଳାତ୍କାର କରାଯାଇଛି। ଗତ
ସେପ୍ଟେମ୍ବର ୧୭ ତାରିଖରେ ଦିଲ୍ଲୀର
ସାହଦାରାସ୍ଥିତ ସୀମାପୁରୀ ଅଞ୍ଚଳରେ ଗୋଟିଏ ସାତବର୍ଷର
ଝିଅକୁ ତାଙ୍କ ପଡୋଶୀ ବଳାତ୍କାର
କରିଛି। ସବୁଠାରୁ
ଦୁଃଖର କଥା ହେଲା ବଳାତ୍କୃତାଙ୍କୁ
ଅଧିକାଂଶ ସମୟରେ ନୃଶଂସ ଭାବରେ
ହତ୍ୟା କରାଯାଉଛି। ଗଣମାଧ୍ୟମରେ
ଏହା ଏକ ନିତିଦିନିଆ ଖବର। ଦିଲ୍ଲୀ
ପୋଲିସର ରେକର୍ଡ ଅନୁସାରେ ଦିଲ୍ଲୀରେ
ପ୍ରତିଦିନ ଅତି କମ୍ରେ
ଦୁଇଜଣ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି।
କ୍ରାଏ ନାମକ ଏକ ଏନ୍ଜିଓର ରିପୋର୍ଟରୁ ଜଣାପଡ଼େ,
ଭାରତରେ ପ୍ରତି ୧୫ ମିନିଟ୍ରେ ଜଣେ ନାବାଳିକା
ଯୌନ ଉତ୍ପୀଡିତ ହେଉଛି। ଗତ
ଦଶବର୍ଷ ଭିତରେ ମୋଟ ବଳାତ୍କାର
ସଂଖ୍ୟା ପାଞ୍ଚଗୁଣ ବଢ଼ିଛି। ମୁମ୍ବାଇର
ଫ୍ଲାଭିଆ ଆଗ୍ନିସ ଟ୍ରଷ୍ଟ ଦ୍ୱାରା
ପରିଚାଳିତ ମଜ୍ଲିସ ନାମକ
ସାମାଜିକ ସୁରକ୍ଷା କେନ୍ଦ୍ରର ତଥ୍ୟ
ଅନୁଯାୟୀ ଆମ ଦେଶରେ ଘଟୁଥିବା
ବଳାତ୍କାରରେ ନବେ ପ୍ରତିଶତ ୧୧-୧୮ ବର୍ଷ ବୟସ୍କାମାନେ
ସଂଶ୍ଳିଷ୍ଟ। ସାରାଦେଶରେ
ଏହିଭଳି ବଳାତ୍କାର (ବିଶେଷକରି ବାଳ ଅପରାଧ) ଏପରି
କାୟା ବିସ୍ତାର କରିଚାଲିଛି ଯେ,
ସେଥିରୁ ମୁକ୍ତି ପାଇବାର ଆଶା
ଦିନକୁ ଦିନ କ୍ଷୀଣ ହୋଇଯାଉଛି। କୈଶୋରରେ
ଅପରାଧପ୍ରବଣତା ଅଧୁନା ଏକ ବିରାଟ
ସମସ୍ୟା ରୂପେ ଉଭା ହୋଇଛି। ଏହାକୁ
ରୋକିବା ପାଇଁ ଅନେକ ଆଇନ
ପ୍ରଣୀତ ହେଲାଣି। ତଥାପି
ଏଭଳି ଘୃଣ୍ୟ ଅପରାଧ ବଢ଼ିଚାଲିଛି। ଏପରି
ଘଟଣାପ୍ରବାହକୁ ଅନୁଧ୍ୟାନ କଲେ ମନରେ ସ୍ବତଃ
ପ୍ରଶ୍ନଉଠେ କ’ଣ ଏହାର
କାରଣ ଏବଂ କିପରି ହେବ
ତା’ର ନିରାକରଣ।
ପ୍ରଚଳିତ
ବିଧି ଅନୁଯାୟୀ (ଜୁଭେନାଇଲ ଆକ୍ଟ) ଏହି ବୟସର
ଅପରାଧୀମାନଙ୍କୁ ସୁଧାର ଗୃହରେ ରଖି
ତାଙ୍କର ମନୋଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଏ। କିନ୍ତୁ
ଏହି ବ୍ୟବସ୍ଥା କେତେ ଫଳପ୍ରଦ ହୁଏ
ତା’ର ହିସାବ କେହି
ରଖେନା। ନିର୍ଭୟା
ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ତ ଦଣ୍ଡ ପାଇଲେ। କିନ୍ତୁ
ସେଥିରେ ଜଡିତ ଥିବା ସବୁଠାରୁ
ଭୟଙ୍କର ଓ ନିର୍ମମ ଅପରାଧୀ
ଖସିଗଲା। କାରଣ
ସେ ସାବାଳକ ହେବାକୁ ମାତ୍ର
କେଇ ମାସ ବାକିଥିଲା।
ଯେଉଁ ପିଲାଟି ଏତେ କମ୍
ବୟସରେ ବି ଜଣେ ଅପରିଚିତା,
ନିରୀହା ପ୍ରତି ଏଭଳି ନିଷ୍ଠୁର
ହୋଇପାରେ ତା’ର ମାନସିକ
ଦୁଃସ୍ଥିତି ଯେ ବଦଳିବ ଏହା
କେବଳ ଦୁରାଶା ମାତ୍ର।
ଜଣେ ସରଳ, ନିରୀହ କିଶୋର
ମନରେ ହିଂସା ଓ ଅପରାଧପ୍ରବଣତା
ଉଦ୍ରେକ ହୁଏ କାହିଁକି? ସେଥିପାଇଁ
ବର୍ତ୍ତମାନର ପାରିପାର୍ଶ୍ୱିକ ଅବସ୍ଥା ହିଁ ଦାୟୀ। ସାଇବର
ଗ୍ୟାଜେଟର ବହୁଳ ବ୍ୟବହାର ଏହାର
ମୁଖ୍ୟ କାରଣ। ନେଟ୍ର ମାୟାରେ ବାୟା
ହୋଇ ଏ ବୟସରେ ସାଧାରଣତଃ
କୌତୂହଳୀ ଥିବା ପିଲାମାନେ ଭୁଲ
ସାଇଟ ଖୋଲି ବ୍ଲୁ ହ୍ବେଲ
ବା ମୋମୋ ଭଳି ବିପଜ୍ଜନକ
ଖେଳକୁ ଆପଣାଉଛନ୍ତି କିମ୍ବା ସେକ୍ସ ସମ୍ବନ୍ଧୀୟ
କାର୍ଯ୍ୟକ୍ରମ ପାଇଁ ଆକୃଷ୍ଟ ହେଉଛନ୍ତି। ଏକ
ଅନୁଧ୍ୟାନ ଅନୁସାରେ ଟିଭି ଦେଖୁଥିବା
ପିଲାମାନେ ଅଧିକ ହିଂସ୍ର ହୁଅନ୍ତି।
ଶିଶୁଟିଏ
ତା’ର ମାତାପିତାଙ୍କ ଅପେକ୍ଷା
ଜେଜେ, ଜେଜେମା ବା ଅଜା,
ଆଈକୁ ବେଶି ଭଲ ପାଏ। ସେମାନଙ୍କର
ଉପଦେଶକୁ ସମ୍ମାନ ଦିଏ।
ଗଳ୍ପ ଛଳରେ ସେମାନେ ଯେଉଁ
ନୈତିକତାର ଛାପ ପିଲାଙ୍କ ମନ
ଭିତରେ ଛାଡି ଦିଅନ୍ତି ତାକୁ
ଶିଶୁମାନେ ମନେ ରଖନ୍ତି।
ଏବେ ତ ଅଣୁ ପରିବାର। ମାତାପିତା
ଯେତେ କଠୋର ହେଲେ ବି
ତାଙ୍କର ହୃଦୟ ନମନୀୟ।
ପ୍ରତିଯୋଗିତାମୂଳକ ପରିସ୍ଥିତିର ଚାପରେ ପଡି ସେମାନେ
ପିଲାଙ୍କୁ ଅତ୍ୟଧିକ ଅନୁଶାସନ କରନ୍ତି। ଦୁଇବର୍ଷ
ନ ହେଉଣୁ ବସ୍ତାନିର
ବୋଝ ତା’ କାନ୍ଧରେ ଲଦିଦିଅନ୍ତି। ସ୍କୁଲରେ
ଚାପ, ଘରେ ଚାପ- ଏତେ
ଚାପ ଭିତରେ ପିଲାଟିର ମନସ୍ତତ୍ତ୍ୱ
ଚାପି ହୋଇଯାଏ। ସେ
ବଦରାଗୀ, ଚିଡ଼ିଚିଡ଼ା, ଏକଜିଦିଆ ଓ ବିଦ୍ରୋହୀ
ହୋଇପଡ଼େ। ଠିକ୍
ଏହିଭଳି ସ୍ଥିତିର ଶିକାର ହୋଇ
୨୦୧୬ରେ ମୁମ୍ବାଇର ଏକ ପଦସ୍ଥ ପୋଲିସ
ଅଧିକାରୀଙ୍କ ଚଉଦ ବର୍ଷର ପୁଅ
ତା’ର ମା’କୁ
ହତ୍ୟାକରି ପୋଲିସ ନିକଟରେ ପ୍ରକାଶ
କରିଥିଲା ଯେ ତା’ର
ସେଥିପାଇଁ ତିଳେ ବି ଦୁଃଖ
ନାହିଁ। ଶିଶୁଙ୍କୁ
ପଇସାର ମୋହ ଦେଖେଇବା ଏହାର
ଅନ୍ୟ ଏକ କାରଣ।
ମାତାପିତା ସ୍ବଇଚ୍ଛାରେ ପିଲାଟିକୁ ଦେଇଥିବା ପକେଟ ମନି
ଶେଷରେ ସେମାନଙ୍କର ଦାବିରେ ପରିଣତ ହୋଇଯାଏ,
ଯାହାର ପରିମାଣ ବି ସେମାନେ
ନିର୍ଦ୍ଧାରଣ କରନ୍ତି। ବେଳେ
ବେଳେ ପିଲାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ
ରହିଯାନ୍ତି, କାରଣ ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡର
ସଂସ୍କୃତିରେ ଏଇଟା ଏକ ମାମୁଲି
କଥା। ଆଗେ
ପିଲାଙ୍କୁ ଗଢ଼ିବାରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ
ତ ସେମାନଙ୍କ ଉପରେ
ନାନା କଟକଣା।
ଏ ପରିପ୍ରେକ୍ଷୀରେ ମାତାପିତାଙ୍କୁ ଖଣ୍ଡାଧାରରେ ଚାଲିଲା ପରି ସାବଧାନ
ହେବାକୁ ପଡ଼ିବ। ବର୍ତ୍ତମାନର
ଅବହାଓ୍ବାକୁ ତ ରୋକିହେବନି।
ତେବେ କିଛିମାତ୍ରାରେ ସତର୍କତା ସୁଫଳ ଦେଇପାରେ। ପିଲାଙ୍କୁ
କେତେ ସ୍ବାଧୀନତା ଦେବେ, କେତେ ଚାପ
ପ୍ରୟୋଗ କରିବେ, ତାଙ୍କର ଗତିବିଧି
ଉପରେ କିପରି ନଜର ରଖିବେ,
ସେମାନେ ଚଳପ୍ରଚଳ ହେଉଥିବା ସ୍ଥାନରେ
କେମିତି ଦୃଷ୍ଟିଦେବେ ଏସବୁ ଭାବିଚିନ୍ତି କରିବା
ଉଚିତ। ଧମକ
ଚମକ ଦେଇ ପିଲାଙ୍କୁ ସୁଧାରିବା
ଯୁଗ ଆଉ ନାହିଁ।
ଅତଏବ ଆବଶ୍ୟକ ସ୍ଥଳେ ମୃଦୁ
ଆକଟ ଏବଂ ଆବଶ୍ୟକ ସ୍ଥଳେ
ବନ୍ଧୁ ଭଳି ବ୍ୟବହାର ଏହିଭଳି
ଉଭୟ ପନ୍ଥା ଗ୍ରହଣୀୟ।
ପିଲାଙ୍କର ମନସ୍ତତ୍ତ୍ୱ ବୁଝି ମାତାପିତା ତାକୁ
ନିୟନ୍ତ୍ରଣ କରିବା ଉଚିତ।
ଏ କ୍ଷେତ୍ରରେ ଆଶାର
ଆଲୋକ ଭଳି କେନ୍ଦ୍ର ସରକାରଙ୍କ
ଦ୍ୱାରା ସ୍ଥିରୀକୃତ ସାଇବର ଟ୍ରିଭିଆ (କୌତୂହଳୀ
ପ୍ରଶ୍ନୋତ୍ତର ସମ୍ବଳିତ ଓ୍ବେବ୍ସାଇଟ)
କିଛି ସହାୟତା ଯୋଗେଇବ ବୋଲି
ଆଶା।
ଅଲେଖ ଚନ୍ଦ୍ର ମିଶ୍ର
ସାରଦାଶ୍ରୀ,
୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮