Tuesday, 8 January 2019

କନ୍‌ଷ୍ଟେବଲଙ୍କୁ ସୁଯୋଗ



ଲୋକସଂଖ୍ୟା ବୃଦ୍ଧି ସହ ଓଡ଼ିଶାରେ ଅପରାଧ ବଢ଼ିଚାଲିଛି। ଆପରାଧିକ ମାମଲାଗୁଡ଼ିକୁ ତ୍ୱରାନ୍ବିତ କରିବା ଲାଗି ଥାନାଗୁଡ଼ିକରେ ତଦନ୍ତକାରୀ ଅଧିକାରୀ ଯଥେଷ୍ଟ ହେଉ ନ ଥିବାରୁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ଗୃହ ବିଭାଗ ତରଫରୁ ପ୍ରକାଶିତ ନିର୍ଦ୍ଦେଶ ଅନୁଯାୟୀ ସ୍ନାତକ ଡିଗ୍ରୀ ଅର୍ଜନ କରିଥିବା କନ୍‌ଷ୍ଟେବଲ ଓ ହାବିଲଦାରମାନେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ୩୩ଟି ଦଫା ମଧ୍ୟରେ ଆସୁଥିବା ଅପରାଧର ତଦନ୍ତ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ, ଆଇପିସିରେ ସମୁଦାୟ ୫୧୧ ଦଫା ରହିଛି। ସାଧାରଣତଃ ପୋଲିସର କାର୍ଯ୍ୟଧାରା ଦେଖିଲେ ଇନ୍ସପେକ୍ଟର ସଙ୍ଗିନ ଅପରାଧ ଯଥା ହତ୍ୟା ଓ ଆର୍ଥିକ ଅପରାଧ ମାମଲାଗୁଡ଼ିକର ତଦନ୍ତ କରିଥାଆନ୍ତି। ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ଉପରେ ହତ୍ୟା ଉଦ୍ୟମ ଓ ଡକାୟତି ଘଟଣାର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ଚୋରି, ରାହାଜାନି ଭଳି ମାମଲାର ତଦନ୍ତ କରୁଛନ୍ତି। ସ୍ନାତକ ଡିଗ୍ରୀଧାରୀ କନ୍‌ଷ୍ଟେବଲ ଓ ହାବିଲଦାରଙ୍କୁ ସଶକ୍ତ କରିବା ଲାଗି ସେମାନଙ୍କୁ ତଦନ୍ତ ଅଧିକାରୀ (ଆଇଓ) ଦାୟିତ୍ୱ ଦେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଆର୍‌.ପି. ଶର୍ମା ଗତବର୍ଷ ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ନିଶ୍ଚିତ ଭାବେ ତାଙ୍କ ପ୍ରସ୍ତାବ ଓ ଗୃହ ବିଭାଗ ନେଉଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। 

ଓଡ଼ିଶା ପୋଲିସରେ ସମୁଦାୟ ୭୨,୧୪୫ ପଦବୀ ରହିଛି। ରାଜ୍ୟର ବିଭିନ୍ନ ଥାନାରେ ୮,୦୦୦ରୁ ଊର୍ଦ୍ଧ୍ୱ କନ୍‌ଷ୍ଟେବଲ ଓ ପ୍ରାୟ ୨୫୦୦ ହାବିଲଦାର ଅଛନ୍ତି। ଏମାନେ ଚଢ଼ାଉ ବେଳେ ଅଫିସରଙ୍କୁ ସାହାଯ୍ୟ କରିବା ସହ ଫାଇଲ ନେବାଆଣିବା କାର୍ଯ୍ୟରେ ଲାଗିଥାଆନ୍ତି। ଦେଖିବାକୁ ଗଲେ ତଳିଆ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯାଇଥାଏ। ଗୃହ ବିଭାଗ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପରେ ସ୍ନାତକପ୍ରାପ୍ତ କନ୍‌ଷ୍ଟେବଲ ଓ ହାବିଲଦାରମାନେ କାର୍ଯ୍ୟକ୍ଷେତ୍ରରେ ମର୍ଯ୍ୟାଦା ପାଇପାରିବେ। ଏଥିସହିତ ତଦନ୍ତକାରୀ ଅଧିକାରୀଜନିତ ଅଭାବରେ ପଡ଼ିଥିବା ଓଡ଼ିଶା ପୋଲିସ ଏମାନଙ୍କ ଦକ୍ଷତାକୁ ବ୍ୟବହାର କରିପାରିବେ। ଏବେ ଦିଲ୍ଲୀ, କେରଳ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ରରେ ହେଡ୍‌ କନ୍‌ଷ୍ଟେବଲମାନଙ୍କୁ ତଦନ୍ତ ଅଧିକାରୀ ଦାୟିତ୍ୱ ଅର୍ପଣ କରାଯାଇଛି। ଫଳରେ ଏଏସ୍‌ଆଇଙ୍କ କାମ ହାଲୁକା ହୋଇପାରୁଥିବାରୁ ସେମାନେ ଅନ୍ୟସବୁ ଆପରାଧିକ ମାମଲାର ତଦନ୍ତ ଲାଗି ସମୟ ପାଇପାରିବେ। ଏହାଦ୍ୱାରା ଥାନାରେ ବକେୟା ପଡ଼ି ରହିଥିବା ମାମଲା ବୋଝ କମିଯାଇପାରିବ। ତେବେ ଦକ୍ଷ କନ୍‌ଷ୍ଟେବଲ ଓ ହାବିଲଦାରଙ୍କୁ ବାଛିବା ହେଉଛି ସବୁଠାରୁ ବଡ଼ କାର୍ଯ୍ୟ।  ୩ ବର୍ଷରୁ କମ୍‌ ଜେଲଦଣ୍ଡ ମିଳିପାରୁଥିବା ଅପରାଧର ତଦନ୍ତ ଦାୟିତ୍ୱ ଏମାନଙ୍କୁ ଦିଆଯିବାର ବ୍ୟବସ୍ଥା ସୃଷ୍ଟି କରାଯାଉଛି। ଏଥିପାଇଁ ସେମାନଙ୍କୁ ଓଡ଼ିଶା ପୋଲିସର ପ୍ରଶିକ୍ଷଣ କେନ୍ଦ୍ରରେ ୪ରୁ ୫ ସପ୍ତାହ ଯାଏ ତାଲିମ ନେବାକୁ ପଡ଼ିବ। ଏହାପରେ କାଗଜପତ୍ର କାର୍ଯ୍ୟ ଲାଗି ସେମାନଙ୍କୁ ଥାନାଗୁଡ଼ିକରେ ୪୫ ଦିନିଆ ପ୍ରଶିକ୍ଷଣ ଦିଆଯିବ। ମାମଲା ରୁଜୁ, ପ୍ରମାଣ ସଂଗ୍ରହ, କେସ୍‌ ଡାଏରୀ ଲେଖିବାଠାରୁ ଆରମ୍ଭ କରି ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିବାକୁ ପଡ଼େ, ସେ ନେଇ ପ୍ରଶିକ୍ଷିତ ହେବାକୁ ପଡ଼ିବ। ଏହା ପରେ ସେମାନେ ଏକ ପରୀକ୍ଷା ଦେବେ। ଯେଉଁମାନେ ଏଥିରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ। ତେବେ ଏସବୁ ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ଏହା କଥାରେ ସୀମିତ ରହିଲେ ବ୍ୟବସ୍ଥା ଫଳପ୍ରଦ ହେବ ନାହିଁ। ସବୁଠାରୁ ମୂଳ କଥା ହେଲା ଏମାନଙ୍କୁ ଠିକ୍‌ ପ୍ରଶିକ୍ଷଣ ଦିଆଯାଇ କାର୍ଯ୍ୟଧାରାରେ ସାମିଲ କରିବା। ବାସ୍ତବରେ ତୃଣମୂଳ ସ୍ତରର ରିପୋର୍ଟ ଉପରେ ସବୁକିଛି ନିର୍ଭର କରିଥାଏ। ପ୍ରଥମ ତଦନ୍ତ ରିପୋର୍ଟ ପାଣିଚିଆ ବା ତ୍ରୁଟିପୂର୍ଣ୍ଣ ହେଲେ ଆଗକୁ ନ୍ୟାୟ ମିଳିବା ଏକପ୍ରକାର ଅସମ୍ଭବ ହୋଇପଡ଼େ।

ଗୋଟିଏ ପାଦ ଆଗକୁ ଯାଇ କୁହାଯାଇପାରେ ଯେ ଯୋଗ୍ୟ ବିବେଚିତ କନ୍‌ଷ୍ଟେବଲ ଓ ହାବିଲଦାରଙ୍କ କାର୍ଯ୍ୟ ତଦାରଖ କରିବା ଲାଗି ସ୍ଥାନୀୟ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଗଠନ କରାଯିବା ଦରକାର। ଏଥିସହିତ ରାଜ୍ୟର ଅବସରପ୍ରାପ୍ତ ଅଭିଜ୍ଞ ପୋଲିସ ଅଫିସର ଏବଂ ଅନ୍ୟ ରାଜ୍ୟର ଦକ୍ଷ ପୋଲିସ ଅଧିକାରୀଙ୍କୁ ଡକାଯାଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହେବାର କୌଶଳ ଓ ବୈଶିଷ୍ଟ୍ୟ ବିଷୟରେ ଆଲୋଚନା ଲାଗି କର୍ମଶାଳା ଆୟୋଜନର ଆବଶ୍ୟକତା ରହିଛି। କର୍ମଶାଳାର ନିଷ୍କର୍ଷ ଓ କେତେକ କେସ୍‌ ଷ୍ଟଡିକୁ ଆଭ୍ୟନ୍ତରୀଣ ପୋଲିସ ମାନୁଆଲ୍‌ରେ ସନ୍ନିବେଶିତ କରାଯାଇପାରିଲେ ତଦନ୍ତ ଦିଗରେ କାର୍ଯ୍ୟ କରୁଥିବା ବା ଆଗକୁ  ଦାୟିତ୍ୱ ନେବାକୁ ଥିବା ଯୁବ ପୋଲିସଙ୍କ ପାଇଁ ଏହା ଏକ ବେସ୍‌ (ମୂଳ) ପୁସ୍ତିକା ହୋଇପାରିବ।  ଉକ୍ତ ମାନୁଆଲ୍‌କୁ ମଧ୍ୟ ସମୟକ୍ରମେ  ଅପ୍‌ଡେଟ୍‌ କରାଯିବା ଦରକାର। ବରିଷ୍ଠ ପୋଲିସ ଅଧିକାରୀମାନେ ନୂତନ ଭାବେ ତଦନ୍ତ ଅଧିକାରୀ ହେଉଥିବା ପୋଲିସଙ୍କ କେସ୍‌ ଡାଏରି ଓ କୋର୍ଟକୁ ଦିଆଯିବାକୁ ଥିବା ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ସେହିପରି କୋର୍ଟରେ କେସ୍‌ ସରିଲା ପରେ ଜଣେ ଅଭିଯୁକ୍ତ କେଉଁଥିପାଇଁ ଦଣ୍ଡ ପାଇଲେ ବା ମାମଲାରୁ ଛାଡ଼ ପାଇଗଲେ, ସେହି ସମ୍ପର୍କିତ ବର୍ଣ୍ଣନା ପୋଲିସର କନ୍‌ଫିଡେନ୍ସିଆଲ ମାନୁଆଲ ବା ଗୋପନୀୟ ପୁସ୍ତିକାରେ ପ୍ରାଞ୍ଜଳ ଭାବେ ରଖାଯାଇପାରିଲେ ନୂତନ ଭାବେ ଦାୟିତ୍ୱ ନେଉଥିବା ତଦନ୍ତ ଅଧିକାରୀଙ୍କ ପାଇଁ ଏହା ଏକ ମାର୍ଗଦର୍ଶିକା ପାଲଟିଯାଇପାରନ୍ତା। ସକାରାତ୍ମକ ଦୃଷ୍ଟିରୁ ପୋଲିସର କାର୍ଯ୍ୟଧାରାକୁ ଏହିଭଳି ବ୍ୟବସ୍ଥିତ କରାଯାଇପାରିଲେ, ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ପୋଲିସ ଏକ ଦକ୍ଷ ସୁରକ୍ଷା ବାହିନୀ ଭାବେ ଉଭା ହୋଇ ଅନ୍ୟ ରାଜ୍ୟ ପାଇଁ ମଡେଲ ହୋଇପାରନ୍ତା।  

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...