Wednesday, 15 January 2020

ଉଚ୍ଛନ୍ନ ମନ

ନିମ୍ନଲିଖିତ ପ୍ରଶ୍ନର ସଠିକ୍ ଉତ୍ତର କ’ଣ, ତାହା ଗାଣିତିକ ପଦ୍ଧତି ବ୍ୟବହାର ନ କରି କେବଳ ନିଜର ମନକୁ ପଚାରି ଦେଖନ୍ତୁ: ଗୋଟିଏ ପେନ୍ସିଲ୍ ଓ ଗୋଟିଏ ରବର୍ର ଦାମ୍ ମିଶି କରି ହେଉଛି ଟ୧.୧୦ପ। ପେନ୍ସିଲ୍ର ଦାମ୍ ହେଉଛି ରବର୍ ଦାମ୍ ଠାରୁ ଏକ ଟଙ୍କା ଅଧିକ। ତା’ହେଲେ ରବର୍ର ଦାମ୍ କେତେ? ଆମେ ପ୍ରାୟ ନିଶ୍ଚିତ ଯେ ଆପଣଙ୍କ ମନଠାରୁ ଯେଉଁ ଉତ୍ତର ଆପଣ ତତ୍କ୍ଷଣାତ୍ ଶୁଣିବାକୁ ପାଇଥିବେ, ତାହା ହେଲା- ୧୦ ନାମକ ସ˚ଖ୍ୟା, ଯାହା ପ୍ରଶ୍ନ ପରିପ୍ରେକ୍ଷୀରେ ହେଉଛି, ରବର୍ର ଦାମ୍ ୧୦ ପଇସା। ଆପଣ କିନ୍ତୁ ଯଦି ତୁର୍ତୁରିଆ ମନ କଥାରେ ଭଳି ନ ଯାଇ ତା’ର ଉତ୍ତରର ଗାଣିତିକ ସତ୍ୟତା ପରଖି ବସିବେ ତେବେ ଯାହା ଆବିଷ୍କାର କରିବେ, ତାହା ଏହିପରି: ଯଦି ରବର୍ର ଦାମ୍ ୧୦ ପଇସା ହୁଏ, ତେବେ ପେନ୍ସିଲର ଦାମ୍ ହେବ ତା’ଠାରୁ ଏକ ଟଙ୍କା ଅଧିକ, ଅର୍ଥାତ୍ ଟ୧.୧୦ପ ଏବ˚ ତେଣୁ ପେନ୍ସିଲ୍ ଓ ରବର୍ର ଦାମ୍ ମିଶି ହେବ- ଟ୧.୨୦ପ। ବର୍ତ୍ତମାନ ଆପଣ ଜାଣି ସାରିବେଣି ଯେ ସଠିକ୍ ଉତ୍ତର ହେଲା: ରବର୍ର ଦାମ ହେଉଛି ୫ ପଇସା।

ଆପଣମାନଙ୍କ ମଧୢରୁ ଯେଉଁମାନେ ମନର ତରବରିଆ ପ୍ରଭାବକୁ ଏଡ଼ାଇ ଯାଇ ମୂଳରୁ ଏହି ସରଳ ଗଣିତଟି କଷିବାର ସାମାନ୍ୟ କଷ୍ଟ ସ୍ବୀକାର କରିଥିବେ, ସେମାନେ ମୂଳରୁ ହିଁ ପ୍ରଶ୍ନଟିର ଠିକ୍ ଉତ୍ତର ବାହାର କରି ଦେଇଥିବେ। ମନସ୍ତତ୍ତ୍ବବିତ୍ମାନେ ବ୍ୟକ୍ତିର ଆତ୍ମନିୟନ୍ତ୍ରଣ ପରୀକ୍ଷା କରିବା ପାଇଁ ବେଳେ ବେଳେ ଏହି ସରଳ ଗାଣିତିକ ପ୍ରଶ୍ନ ବ୍ୟବହାର କରିବା ଦେଖାଯାଇଥାଏ। ସଠିକ୍ ଉତ୍ତର ସ˚ଯମର ପରିଚାୟକ ହୋଇଥିବା ବେଳେ ଭୁଲ୍ ଉତ୍ତର ସ˚ଯମର ଅଭାବକୁ ସୂଚାଇଥାଏ। ଏହିପରି ଦୁଇଜଣ ମନସ୍ତତ୍ତ୍ବ ଗବେଷକ ୨୪୩ ଜଣ ପୁରୁଷ କଲେଜ୍ ଛାତ୍ରଙ୍କ ଉପରେ ଉପରୋକ୍ତ ମାନସାଙ୍କଟି ପ୍ରୟୋଗ କରିଥିଲେ। ପରୀକ୍ଷା ଆରମ୍ଭରେ ସେମାନଙ୍କ ମଧୢରୁ ୧୨୫ ଜଣଙ୍କ ଛାତିରେ ଏବ˚ କାନ୍ଧରେ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ ମିଶ୍ରିତ ମଲମ ଘଷି ଦିଆଗଲା ଏବ˚ ବାକି ୧୧୮ ଜଣଙ୍କ ଛାତି ଓ କାନ୍ଧରେ ଠିକ୍ ସେଇଭଳି ଦିଶୁଥିବା ମଲମ ଘଷି ଦିଆଗଲା, ଯେଉଁଥିରେ କିନ୍ତୁ ଟେଷ୍ଟୋଷ୍ଟେରନ୍ ମିଶାଯାଇ ନ ଥିଲା। ମଲମରେ ଟେଷ୍ଟୋଷ୍ଟେରନ୍ର ଉପସ୍ଥିତି ବା ଅନୁପସ୍ଥିତି ବିଷୟରେ କୌଣସି ଛାତ୍ରଙ୍କୁ କିଛି ହେଲେ ଜଣା ନ ଥିଲା। ଅପରପକ୍ଷେ ସଠିକ୍ ଉତ୍ତର ପାଇଁ ଛୋଟିଆ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଥିଲା।

ମଲମ ଘର୍ଷଣର ଠିକ୍ ଚାରିଘଣ୍ଟା ପରେ ଛାତ୍ରମାନଙ୍କୁ ପ୍ରଶ୍ନ ପଚରାଗଲା। ଏହାର କାରଣ, ଚାରିଘଣ୍ଟା ପରେ ସମ୍ପୃକ୍ତ ଛାତ୍ରର ରକ୍ତ ସ୍ରୋତରେ ଟେଷ୍ଟୋଷ୍ଟେରନ୍ର ଉପସ୍ଥିତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବ। ମାନସାଙ୍କର ଉତ୍ତର ସ˚ଗ୍ରହ ପରେ ଗବେଷକମାନେ ଆବିଷ୍କାର କଲେ ଯେ ଯେଉଁ ଛାତ୍ରମାନଙ୍କ ମଲମରେ ଟେଷ୍ଟୋଷ୍ଟେରନ୍ ମିଶି ନ ଥିଲା ସେମାନେ ଦେଇଥିବା ସଠିକ୍ ଉତ୍ତର ଅନୁପାତ, ଟେଷ୍ଟୋଷ୍ଟେରନ୍ ମିଶ୍ରିତ ମଲମ ଘଷା ହୋଇଥିବା ଛାତ୍ରମାନେ ଦେଇଥିବା ସଠିକ୍ ଉତ୍ତର ଅନୁପାତ ଅପେକ୍ଷା ବେଶ୍ ଅଧିକ ଥିଲା। ଏଥିରୁ ଉପଲବ୍ଧ ସିଦ୍ଧାନ୍ତ ହେଲା: ରକ୍ତରେ ଟେଷ୍ଟୋଷ୍ଟେରନ୍ର ପ୍ରାବଲ୍ୟ ସମ୍ପୃକ୍ତ ପୁରୁଷକୁ ଅଧିକ ଉଚ୍ଛନ୍ନ କରି ତୋଳିଥାଏ। ପୁରୁଷମାନଙ୍କ ଠାରେ ଉପରୋକ୍ତ ପରୀକ୍ଷା କରାଯିବାର ଏକ ବିଶେଷ କାରଣ ରହିଛି। ଯଦିବା ଉଭୟ ନାରୀ ଓ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ କ୍ଷରଣ ହୋଇଥାଏ, ପୁରୁଷର ରକ୍ତରେ ଏହାର ମାତ୍ରା ବହୁ ଅଧିକ ହୋଇଥାଏ। ବୟଃ ପ୍ରାପ୍ତି ପରେ ଏହା ପୁରୁଷଠାରେ ଯେ କେବଳ ଲୋମ ବୃଦ୍ଧି, ମା˚ସପେଶୀ ସମ୍ପ୍ରସାରଣ, ସ୍ବର ଗାମ୍ଭୀର୍ଯ୍ୟ ଆଦି ଶାରୀରିକ ଲକ୍ଷଣମାନ ସୃଷ୍ଟି କରିଥାଏ, ତାହା ନୁହେଁ, ଏହା ମଧୢ ତା’ଠାରେ ଏକ ଅଧିକ ଆକ୍ରମଣାତ୍ମକ ପ୍ରବୃତ୍ତି ସୃଷ୍ଟି କରିଥାଏ ବୋଲି ବିଶ୍ବାସ କରାଯାଏ। କିନ୍ତୁ ପୁରୁଷମାନଙ୍କୁ ଅଧିକ ଆକ୍ରମଣ ପ୍ରବଣ କରିବାରେ ଟେଷ୍ଟୋଷ୍ଟେରନ୍ର ଭୂମିକା ଚିହ୍ନଟ କରିବା ପାଇଁ ଏକ ପରୀକ୍ଷା ରଚନା କରିବା ନୈତିକ ଦୃଷ୍ଟିକୋଣରୁ ଗ୍ରହଣୀୟ ହେବ ନାହିଁ; ତେଣୁ ଉପରୋକ୍ତ ମାନସାଙ୍କ ପରୀକ୍ଷା ମାଧୢମରେ ସେ ସମ୍ବନ୍ଧରେ ଏକ ଧାରଣା ପାଇବା ପାଇଁ ଉଦ୍ୟମ କରାଯାଇଥିଲା। ଯେଉଁ ସ˚ଯମହୀନ ଉଚ୍ଛନ୍ନ ଭାବ ମାନସାଙ୍କଟିର ଭୁଲ ଉତ୍ତର ଦେବା ପାଇଁ ପୁରୁଷକୁ ପ୍ରବୃତ୍ତ କରେ, ସେଇଭଳି ଉଚ୍ଛନ୍ନ ଭାବ ହିଁ ତାକୁ ହି˚ସାତ୍ମକ ଆକ୍ରମଣ କରିବାକୁ ପ୍ରବୃତ୍ତ କରିଥାଏ। ଧର୍ଷଣ ଏହି ହି˚ସାଚରଣର ଅନ୍ୟତମ ପରିପ୍ରକାଶ ହୋଇଥିବାରୁ ଧର୍ଷଣ ପାଇଁ ତେଣୁ ଅପରାଧୀର ରକ୍ତରେ ପ୍ରବାହିତ ଟେଷ୍ଟୋଷ୍ଟେରନ୍କୁ ଦାୟୀ କରାଯିବା ଦେଖାଯାଇଥାଏ।

ଜାନୁଆରି ୬ ତାରିଖରେ ଆମେରିକାରେ ଆରମ୍ଭ ହୋଇଥିବା ଏ ଶତାବ୍ଦୀର ସର୍ବାଧିକ ପ୍ରଚାରିତ ଯୌନ ଅପରାଧ ବିଚାରର ଶୁଣାଣିର କେନ୍ଦ୍ରରେ ଥିବା ହଲିଉଡ୍ର ଶକ୍ତିଶାଳୀ ଚିତ୍ର ନିର୍ମାତା ହାର୍ଭି ଵାଇନ୍ଷ୍ଟାଇନ୍ଙ୍କ ରକ୍ତରେ ଟେଷ୍ଟୋଷ୍ଟେରନ୍ର ମାତ୍ରା ଅବଶ୍ୟ ପରୀକ୍ଷା କରାଯାଇ ନାହିଁ, କିନ୍ତୁ ଏଭଳି ଅଭ୍ୟାସଗତ ଯୌନ ଅପରାଧୀଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ବେଳେ ବେଳେ ରାସାୟନିକ ବନ୍ଧ୍ୟାକରଣ ପଦ୍ଧତି ଅବଲମ୍ବନ କରାଯାଇଥାଏ। ପୁରୁଷର ଟେଷ୍ଟୋଷ୍ଟେରନ୍ ହ୍ରାସ କରିବା ପାଇଁ ୧୯୪୪ରେ ପ୍ରଥମ ଥର ପାଇଁ ଏକ ରାସାୟନିକ ଇଞ୍ଜେକ୍ସନ୍ ବ୍ୟବହାରର ରେକର୍ଡ ରହିଛି। ହୁଏତ ଯାହାଙ୍କ ଯୋଗୁଁ ହିଁ ‘ମି ଠୁ’ ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ସେହି ଵାଇନ୍ଷ୍ଟାଇନ୍ଙ୍କ ରକ୍ତରେ ଯଦି ମୂଳରୁ ଟେଷ୍ଟୋଷ୍ଟେରନ୍ ମାତ୍ରା ନୀଚା ଥାନ୍ତା, ତେବେ ସେ ଆଜିର ସର୍ବାଧିକ କୁଖ୍ୟାତ ଯୌନ ଶୋଷଣକାରୀରେ ପରିଣତ ହୋଇନଥାନ୍ତେ। ଯଦି ଏବେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଅଦାଲତ ତାଙ୍କୁ ରାସାୟନିକ ବନ୍ଧ୍ୟାକରଣ ଦ୍ବାରା ଦଣ୍ତିତ କରିବ କି ନାହିଁ ଜଣାନାହିଁ, କିନ୍ତୁ ମନେ ହେଉଛି, ପ୍ରକୃତି ଵାଇନ୍ଷ୍ଟାଇନ୍ଙ୍କ ପରି ଯୌନ ବିକାରଗ୍ରସ୍ତ ପୁରୁଷ ସୃଷ୍ଟିିରେ ଥିବା ନିଜର ଭୂମିକା ସମ୍ବନ୍ଧରେ ଅନୁତପ୍ତ ହୋଇ ନିଜ ଆଡୁ ସେ ଦିଗରେ ଏକ ପଦକ୍ଷେପ ନେବା ଆରମ୍ଭ କରି ଦେଇଛି। କାରଣ, ଗତ ସପ୍ତାହରେ ମର୍ଯ୍ୟାଦାଜନକ ଗବେଷଣା ପତ୍ରିକା ‘ଦି ଜର୍ଣ୍ଣାଲ୍ ଅଫ୍ ସେକ୍ସୁଆଲ ମେଡିସିନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ୧୫-୩୯ ବୟସ ସୀମା ମଧୢରେ ଥିବା ଆମେରିକୀୟ ଯୁବକମାନଙ୍କ ରକ୍ତରେ ଥିବା ଟେଷ୍ଟୋଷ୍ଟେରନ୍ ମାତ୍ରା ୨୦ ବର୍ଷ ତଳେ ଅନୁରୂପ ବୟସ ସୀମା ମଧୢରେ ଥିବା ଯୁବକମାନଙ୍କର ଟେଷ୍ଟୋଷ୍ଟେରନ୍ ମାତ୍ରା ଠାରୁ ଏକ ଚତୁର୍ଥା˚ଶ ବା ତତୋଧିକ କମ୍ ହୋଇ ସାରିଲାଣି। କାରଣ ସ୍ବରୂପ କୁହାଯାଇଛି ଖାଦ୍ୟାଭ୍ୟାସ, ଜୀବନଶୈଳୀରୁ ଆରମ୍ଭ କରି ମୋଟାପଣ, ରାସାୟନିକ ପ୍ରଦୂଷଣ ଆଦି ପର୍ଯ୍ୟନ୍ତରେ ହେଉଛନ୍ତି, ଏଥିପାଇଁ ଦାୟୀ ଏବ˚ ଏହା ଏକ ନୂତନ ସ୍ବାସ୍ଥ୍ୟଗତ ସମସ୍ୟା ରୂପେ ଆବିର୍ଭୂତ ହେଲାଣି। କିନ୍ତୁ ଉଚ୍ଚ ଟେଷ୍ଟୋଷ୍ଟେରନ୍ ପ୍ରଚୋଦିତ ପୁରୁଷ ଯୌନ ପିପାସାର ଶିକାର ହୋଇ ଆସିଥିବା ନାରୀମାନେ ଯଦି ଏହାକୁ ପୁରୁଷମାନଙ୍କ ପାଇଁ ପ୍ରକୃତି ପ୍ରଦତ୍ତ ରାସାୟନିକ ବନ୍ଧ୍ୟାକରଣ ଦଣ୍ତ ରୂପେ ବିଚାର କରନ୍ତି, ତାହା ଆଦୌ ଅସମୀଚୀନ ହେବ ନାହିଁ। ପ୍ରକୃତି ଯୌନ ଅପରାଧ ପ୍ରପୀଡ଼ିତ ଭାରତ ଦିଗରେ ଏଭଳି ଦୃଷ୍ଟି ପକାଇବାର ବେଳ ଆସିଛି ବୋଲି କହିବା ବୋଧହୁଏ ଅସ˚ଗତ ହେବ ନାହିଁ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...