ପ୍ରଖ୍ୟାତ
ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ପାଖକୁ ଜଣେ ଭଦ୍ରବ୍ୟକ୍ତି
ଚରିତ୍ର ପ୍ରମାଣପତ୍ର ନେବାକୁ ଆସିଥିଲେ।
ସୁରେନ୍ଦ୍ର ମହାନ୍ତି ଜଣେ ରାଜନେତା
ମଧୢ ଥିଲେ ଏବ˚ ଏକାଧିକ
ବାର ସେ ଲୋକସଭା ଏବ˚
ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଭଦ୍ରବ୍ୟକ୍ତି
ବାରମ୍ବାର କହୁଥିଲେ, ମୁଁ ଜଣେ ସାଧୁ,
ସଚ୍ଚୋଟ ମଣିଷ, କେବେ କାହାଠାରୁ
ପାଞ୍ଚ ପଇସା ବି ନେଇନାହିଁ। ଏଥିରେ
ସୁରେନ୍ଦ୍ର ମହାନ୍ତି ଟିକେ ବିରକ୍ତ
ହୋଇଯାଇ ପଚାରିଲେ, ଆପଣ କ’ଣ
କରନ୍ତି? ସେ କହିଲେ, ମୁଁ
ଜଣେ ଶିକ୍ଷକ। ସୁରେନ୍ଦ୍ର
ମହାନ୍ତି ହସି ଦେଇ କହିଲେ,
ବଳଦର ବ୍ରହ୍ମଚର୍ଯ୍ୟ! ଏକ୍ସାଇଜ, ସେଲ୍ସ ଟାକ୍ସ,
ସପ୍ଲାଇ ବିଭାଗରେ କାମ କରି
ଯଦି ତୁମେ ସଚ୍ଚୋଟ ରହିଥାନ୍ତ,
ତେବେ ତୁମର ସଚ୍ଚୋଟତା ବୁଝିହୁଅନ୍ତା। ଶିକ୍ଷକତାରେ
ଦୁର୍ନୀତି କରିବାର ସୁଯୋଗ କାହିଁ?
ଦୁର୍ନୀତି
କରିବାକୁ ସୁଯୋଗ ମିଳୁଥିଲେ ଜଣେ
ଦୁର୍ନୀତି କରିବ। ଅମିନ,
ରାଜସ୍ବ ନିରୀକ୍ଷକ, କଲେକ୍ଟର ଅଫିସ୍ର
ବରିଷ୍ଠ କିରାଣି, ସିଡିପିଓ, ବନବିଭାଗର
ରେଞ୍ଜ ଅଫିସର, ସେଲ୍ସ
ଟାକ୍ସ ଅଫିସର, ତହସିଲଦାର,
ବିଡିଓ, ଡିଏଫ୍ଓ, ଇଞ୍ଜିନିୟର
ଇତ୍ୟାଦି ଦୁର୍ନୀତି ଅପରାଧରେ ଭିଜିଲାନ୍ସ
ଜାଲରେ ପଡୁଛନ୍ତି। ଏବେ
ଶିକ୍ଷକ, ଅଧୢାପକଙ୍କ ଘରକୁ ମଧୢ ଭିଜିଲାନ୍ସ ଚଢ଼ଉ କରୁଛି। ଶିକ୍ଷକ
ଓ ଅଧୢାପକଙ୍କ ମାଧୢମରେ
ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ
ଏବେ ସେମାନଙ୍କୁ ସୁଯୋଗ ମିଳୁଛି।
ଏବେ କିନ୍ତୁ ଚର୍ଚ୍ଚାରେ ବନ
ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କର
ଦୁର୍ନୀତି। ଏହି
ବରିଷ୍ଠ ଅଫିସରଙ୍କର ସମ୍ପତ୍ତି ଏବ˚ ବିଳାସପୂର୍ଣ୍ଣ ଜୀବନଶୈଳୀ
ରାଜ୍ୟବାସୀଙ୍କୁ ଚକିତ କରିଛି।
ଚର୍ଚ୍ଚା ହେଉଛି ଯେ ରାଜ୍ୟର
ଇତିହାସରେ ଏତେବଡ଼ ଦୁର୍ନୀତିଖୋର ଅଫିସର
ପ୍ରଥମ ଥର ପାଇଁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛି। କୋଭିଡ୍ର କଟକଣା ସମୟରେ
ଲକ୍ଡାଉନ୍ ଓ ସଟ୍ଡାଉନ୍ ବେଳେ ଅର୍ଥନୈତିକ
କାର୍ଯ୍ୟକଳାପ ବିପର୍ଯ୍ୟସ୍ତ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା,
ସାଧାରଣ ଲୋକେ ହନ୍ତସନ୍ତ; ସେଇ
ସମୟରେ ବନବିଭାଗର ଏହି ବାବୁ ଭଡ଼ା
ଉଡ଼ାଜାହାଜରେ କୋଡ଼ିଏ ଥର ପୁନେ,
ମୁମ୍ବାଇ, ପାଟନା ଯାଇଛନ୍ତି ଏବ˚
ଭଡ଼ା ବାବଦକୁ ତିନି କୋଟି
ଟଙ୍କା ଦେଇଛନ୍ତି। ଛୁଟି
କଟେଇବାକୁ ବିଦେଶ ଭ୍ରମଣ କରିଛନ୍ତି। ଭୁବନେଶ୍ବର,
ପାଟନା, ମୁମ୍ବାଇ, ପୁନେ ଆଦି ସହରରେ
ଘର କରିଛନ୍ତି। ଗୋଟିଏ
ଦିନ ପାଇଁ ଦୁଇ ଲକ୍ଷ
ସତୁରି ହଜାର ଟଙ୍କା ଭଡ଼ା
ଦେଇ ହୋଟେଲରେ ରହିଛନ୍ତି। ମାତ୍ର
କିଛି ଦିନରେ ମୁମ୍ବାଇର ମହଙ୍ଗା
ଓ ସମ୍ଭ୍ରାନ୍ତ ତାଜ
ପାଲେସ ହୋଟେଲରେ ନବେ ଲକ୍ଷ ଟଙ୍କା
ଉଡ଼େଇ ଦେଇଛନ୍ତି। ଏକାଧିକ
ବିଳାସପୂର୍ଣ୍ଣ କାର୍ ରଖିଛନ୍ତି, ଗୋଟିଏ
ଗୋଟିଏ କାର୍ର ଦାମ୍
କୋଟିଏ ଟଙ୍କାରୁ ଅଧିକ।
ଜଣେ ସରକାରୀ ଚାକିରିଆ ଦୁର୍ନୀତି
ଉପାୟରେ ଏତେ ରୋଜଗାର କରି
ଏପରି ବିଳାସପୂର୍ଣ୍ଣ ଜୀବନ କାଟିପାରେ, ସାଧାରଣତଃ
ବିଶ୍ବାସ କରି ହେଉନି।
ପ୍ରତିଦିନ
ଖବରକାଗଜରେ ଭିଜିଲାନ୍ସ ଜାଲରେ ପଡ଼ି
କୌଣସି ନା କୌଣସି କର୍ମଚାରୀ
ଗିରଫ ହେବାର ଖବର ବାହାରୁଛି। କିନ୍ତୁ
ଦୁର୍ନୀତି ବା ଲାଞ୍ଚ କାରବାର
ହ୍ରାସ ପାଉନି। ସୁଯୋଗ
ଥିଲେ ଦୁର୍ନୀତିଖୋର କର୍ମଚାରୀ ତାକୁ ହାତ ଛଡ଼ା
କରୁନି। କର୍ମଚାରୀର
ଦୁର୍ନୀତି ରୋକିବାକୁ ହେଲେ ପ୍ରଶାସନିକ ବ୍ୟବସ୍ଥାରେ
ପରିବର୍ତ୍ତନ ଲୋଡ଼ା। ଦୁର୍ନୀତି
ଦୂର କରିବା ଏବ˚ ପ୍ରଶାସନରେ
ସ୍ବଚ୍ଛତା ଆଣିବାକୁ ପଦକ୍ଷେପ ନିଆଯାଉଛି। ଯେମିତି
କମ୍ପ୍ୟୁଟର୍କରଣ। ଉଦାହରଣ
ସ୍ବରୂପ ଅନ୍ଲାଇନରେ ଟିକେଟ
କାଟିବା ପ୍ରଚଳନ ପରେ ରେଳବାଇରେ
ଦୁର୍ନୀତି କମିଛି, କର ପ୍ରଶାସନରେ
କମ୍ପ୍ୟୁଟର ମାଧୢମରେ ପଞ୍ଜୀକରଣ କରିବା,
ରିଟର୍ଣ୍ଣ ଦାଖଲ କରିବା, େଵ
ବିଲ୍ ନବା ପରଠୁ ଲାଞ୍ଚ
କାରବାର ହ୍ରାସ ପାଇଛି।
ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ କରିବାକୁ ଜଣଙ୍କୁ
ଅଫିସ ଯିବାକୁ ପଡୁନି।
ସେଲ୍ସ୍ ଟାକ୍ସ
ବଦଳରେ ଜିଏସ୍ଟିର ପ୍ରବର୍ତ୍ତନ
ଫଳରେ ଅନେକା˚ଶରେ ଦୁର୍ନୀତି
ହ୍ରାସ ପାଇଛି। ମୁଖ୍ୟତଃ,
ଜିଏସ୍ଟିରେ କ୍ରୟ ମୂଲ୍ୟ
ଉପରେ ପୈଠ କର ଫେରସ୍ତ
ବ୍ୟବସ୍ଥା ବା ଇନ୍ପୁଟ୍
ଟାକ୍ସ କ୍ରେଡିଟ ପାଇଁ। ଇନ୍ପୁଟ ଟାକ୍ସ
କ୍ରେଡିଟ ପାଇବାକୁ ହେଲେ ଜଣଙ୍କୁ
ବିଲ୍ ବା ଇନଭଏସ୍ ରଖିବା
ଆବଶ୍ୟକ। କମ୍ପ୍ୟୁଟରରେ
ମେଳକ ଫଳରେ ଠକେଇ ଧରାପଡ଼ିଯାଉଛି। କେବଳ
ସରକାରୀ କର୍ମଚାରୀମାନଙ୍କର ଦୁର୍ନୀତି କମିନାହିଁ; ଯେଉଁ ବ୍ୟବସାୟୀ ଠକିବାକୁ
ଚେଷ୍ଟା କରୁଛନ୍ତି, ସେମାନେ ମଧୢ ଧରାପଡ଼ୁଛନ୍ତି। ଏହି
ବର୍ଷେ ଦେଢ଼ବର୍ଷ ଭିତରେ ଓଡ଼ିଶାରେ ଦଶ
ବାର ଜଣ ବ୍ୟବସାୟୀ ଧରାପଡ଼ି
ଜେଲ ଯାଇଛନ୍ତି।
କମ୍ପ୍ୟୁଟର୍କରଣ ହେଉ କିମ୍ବା
ପ୍ରଶାସନର ସ୍ବଚ୍ଛତା ପାଇଁ ବ୍ୟବସ୍ଥାର ପରିବର୍ତ୍ତନ
ହେଉ ଏହାର ମଧୢ ସୀମା
ରହିଛି। ଯେତେ
ସତର୍କତା ଗ୍ରହଣ କଲେ ବି
ଦୁର୍ନୀତିଖୋର ଲୋକର ଉର୍ବର ମସ୍ତିଷ୍କରୁ
ବାଟଟିଏ ବାହାରିଯିବ। ଲକ୍ଷେ
ଗଛ ଲଗେଇବାକୁ ମଞ୍ଜୁରି ହୋଇଛି, ସେଥିପାଇଁ
ଅର୍ଥର ବ୍ୟବସ୍ଥା କରାଯାଇଛି, ଲକ୍ଷେ ଗଛ ଲାଗିଲା,
ନା ହଜାରେ ଗଛ ଲାଗିଛି,
ଦେଖୁଛି ବା ଗଣୁଛି କିଏ?
କେନ୍ଦୁପତ୍ରକୁ ବିକ୍ରି କରି ଦେଇ,
ଫଡ଼ିଘର (ଯୋଉଠି କେନ୍ଦୁପତ୍ର ରୁହେ)କୁ ନିଆଁ ଲଗେଇ,
ନକ୍ସଲ ପୋଡ଼ି ଦେଲେ
କହିଲେ, କୋଉ ବ୍ୟବସ୍ଥା ଧରିପାରିବ?
ଯୋଉ ବରିଷ୍ଠ ବନାଧିକାରୀ ଏବେ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି,
ସେ ଗୋଟିଏ ମାସରେ କିମ୍ବା
ଗୋଟିଏ ବର୍ଷରେ ଏତେ ସମ୍ପତ୍ତି
କରିନାହାନ୍ତି। ଅଧସ୍ତନ
କର୍ମଚାରୀ ବା ଉପରିସ୍ଥ ହାକିମଙ୍କ
ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା
ବିନା ଏହା ସମ୍ଭବ ନୁହେଁ। ସରକାରୀ
କର୍ମଚାରୀଙ୍କର ଗୁପ୍ତ ଚରିତ୍ର ପଞ୍ଜିକା
ଉପର ହାକିମ ଲେଖନ୍ତି।
ସେଥିରେ ଗୋଟିଏ ସ୍ତମ୍ଭ ଅଛି
ସଚ୍ଚୋଟତା। ଉପର
ହାକିମ ଏଥିରେ ମନ୍ତବ୍ୟ ଦିଅନ୍ତି। ଏହି
ବରିଷ୍ଠ ବନ ଅଧିକାରୀଙ୍କୁ ତାଙ୍କର
ଉପର ହାକିମ ସଚ୍ଚୋଟ ବା
ଉତ୍ତମ ଚରିତ୍ରର ବୋଲି ପ୍ରମାଣପତ୍ର
ଦେଇଛନ୍ତି। ସଚ୍ଚୋଟତା
ଉପରେ ପ୍ରଶ୍ନ ଉଠିଥିଲେ, ଚାକିରିରେ
ତାଙ୍କର ପଦୋନ୍ନତି ମିଳିନଥାନ୍ତା। କିନ୍ତୁ
ଏହି ଅଧିକାରୀ ପଦୋନ୍ନତି ପାଇ
ପାଇ ଉପରକୁ ଉଠିଛନ୍ତି ଏବ˚
ଭଲ ଭଲ ଗୁରୁତ୍ବପୂର୍ଣ୍ଣ ପଦରେ
ନିଯୁକ୍ତି ମଧୢ ପାଇଛନ୍ତି।
ପ୍ରଶାସନ ବ୍ୟବସ୍ଥାରେ ନିଶ୍ଚିତ ତ୍ରୁଟି ରହୁଛି,
ଯାହା ସୁଧାରିବା ଆବଶ୍ୟକ। ଫକିର
ମୋହନ ସେନାପତି ତାଙ୍କର ଆତ୍ମଚରିତରେ
ଲେଖିଛନ୍ତି, ‘ଉତ୍କୋଚ ଗ୍ରହଣଟା ଦୋଷାବହ
ବୋଲି ଗଣ୍ୟ ନ ହୋଇ
ବର˚ଚ ପ୍ରଶ˚ସାର
ବିଷୟ ବୋଲି ଧରା ହେଉଥିଲା। ଯେଉଁ
ଅମଲାର ଯେତେ ଉପରି ଲାଭ,
ସମାଜରେ ତାହାର ସେତିକି ପ୍ରତିଷ୍ଠା। ପ୍ରବାଦ
ଥିଲା- ମିଛ ବଣିଜ, ଚାକର
ଚୋର। ମିଥ୍ୟା,
ବ୍ୟଭିଚାର, ଉତ୍କୋଚ ଥିଲା, ଅଛି
ଓ ଚିରକାଳ ଥିବ।’ ଫକିରମୋହନ
ତାଙ୍କର ଆତ୍ମଚରିତ ୧୯୧୭ ମସିହା ବେଳକୁ
ଲେଖି ସାରିଥିଲେ। ସୁତରାଂ,
ଏହା ଊନବି˚ଶ ଶତାବ୍ଦୀର
ଚିତ୍ର। ଫକିରମୋହନ
ଆତ୍ମଚରିତ ଲେଖା ଦିନରୁ ଶହେ
ବର୍ଷ ପରେ ମଧୢ ସାମାଜିକ
ଚିତ୍ର ବଦଳି ନାହିଁ।
ଅର୍ଥାତ୍, ଯୋଉ ଅମଲାର ଯେତେ
ଉପରି ଲାଭ, ସମାଜରେ ତାହାର
ସେତିିକି ପ୍ରତିଷ୍ଠା।
ଏହି ବନ ବିଭାଗର ଉଚ୍ଚ
ପଦାଧିକାରୀଙ୍କର ପୁଅ ସହିତ ଜଣେ
ରାଜନେତାଙ୍କ ଝିଅର ବାହାଘର ହୋଇଥାନ୍ତା,
ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ। ସେଥିପାଇଁ
ଦଶ କୋଟି ଟଙ୍କା ଖର୍ଚ୍ଚ
ହୋଇଥାନ୍ତା। ବିବାହ
ପୂର୍ବରୁ ବାପପୁଅ ଧରାପଡ଼ି ଜେଲରେ। କିଛି
ରାଜନୈତିକ ଲୋକ ପ୍ରଶ୍ନ କରୁଛନ୍ତି
ଝିଅ ବାହାଘର ହୋଇଥାନ୍ତା, ଭିଜିଲାନ୍ସ ଦଶଦିନ ଚଢ଼ଉ
କରିବାକୁ ବିଳମ୍ବ କରିଥିଲେ କ’ଣ ଚଳିନଥାନ୍ତା? କିଛି
ସାମ୍ବାଦିକ ଓ ସ୍ତମ୍ଭକାର ମଧୢ
ଟିଭିର ଆଲୋଚନା ବେଳେ ଅନୁରୂପ
ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କର
କ୍ଷୋଭ ଝିଅର ବାହାଘର ହୋଇପାରିଲା
ନାହିଁ। କିନ୍ତୁ
ବନ ଅଧିକାରୀଙ୍କର ପୁଅ ଟାଟା କମ୍ପାନିର
ଏକ ବିଭାଗର ମ୍ୟାନେଜି˚ ଡାଇରେକ୍ଟର
ବୋଲି କହି ଚାକିରି ଦେବା
ନାମରେ ଯେଉଁମାନଙ୍କ ଠାରୁ ଟଙ୍କା ନେଇ
ଠକିଛନ୍ତି, ସେମାନଙ୍କ ଭିତରୁ ଗୋଟିଏ ଝିଅର
ବାପା ମଧ୍ୟ ସେଠାରେ ଥିଲେ। ତାଙ୍କର
ଟଙ୍କା ବୁଡ଼ିଲା ଏବ˚ ଝିଅର
ବାହାଘର ମଧୢ ହୋଇପାରୁନାହିଁ।
ସେହି ଝିଅଟିର କଥା ବି
ମନକୁ ଆସିବା କଥା।
ଯେ ପର୍ଯ୍ୟନ୍ତ କେବଳ ସମ୍ପତ୍ତି ଓ
ସାମାଜିକ ପ୍ରତିଷ୍ଠା ପାଇଁ ଜଣଙ୍କୁ ସମ୍ମାନ
ମିଳୁଥିବ, କେଉଁ ଉପାୟରେ ସମ୍ପତ୍ତି
ଜଣେ ଅର୍ଜିଛି ବିଚାରକୁ ନିଆଯିବନି,
ସେ ପର୍ଯ୍ୟନ୍ତ ଦୁର୍ନୀତି ରହିଥିବ। ଯେବେ
ଜଣେ କହିବ ମୁଁ ଦୁର୍ନୀତିଖୋର
ଲୋକର ଘରୁ ଝିଅ ଆଣିବି
ନାହିଁ କିମ୍ବା ସେଭଳି ଲୋକର
ଘରକୁ ଝିଅ ଦେବିନି, ହୁଏତ
ସେତେବେଳେ ଦୁର୍ନୀତି ଲୋପ ପାଇବ।
ସହଦେବ ସାହୁ
କଳିଙ୍ଗ
ବିହାର, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩
No comments:
Post a Comment