ବିଗତ ପ୍ରାୟ ୪ ଦଶନ୍ଧି ମଧ୍ୟରେ ଏଇ କେତେବର୍ଷ ହେବ ପ୍ରାୟ ସବୁଦିନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ, ନକ୍ସଲ ଆନ୍ଦୋଳନ ଆଦି ସମ୍ବନ୍ଧରେ ଖବର ଶୁଣିବାକୁ ଓ ପଢ଼ିବାକୁ ମିଳୁଛି। ବିଶ୍ୱରେ ଆତଙ୍କବାଦ କାୟା ବିସ୍ତାର କରୁଥିଲାବେଳେ ଭାରତରେ ନକ୍ସଲ ଓ ମାଓବାଦୀ ଆନ୍ଦୋଳନ ପକ୍ଷ ମେଲାଇ ଚାଲିଛି। ଏବେ ଭାରତର ୯ଟି ରାଜ୍ୟ ଓ ୭୬ଟି ଜିଲା ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି। ୯ଟି ରାଜ୍ୟ ମଧ୍ୟରେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର, କେରଳରେ ନକ୍ସଲ ଆନ୍ଦୋଳନ ଜୋରଦାର ହୋଇଛି। ତେବେ କାହିଁକି ନକ୍ସଲମାନେ ଉଗ୍ର, ରକ୍ତପିପାସୁ, ହିଂସ୍ର ହୋଇଉଠିଛନ୍ତି ତା’ର କାରଣ ଅଛପା ନାହିଁ।
ନକ୍ସଲ ଶବ୍ଦଟି ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲାର ନକ୍ସଲବାଡ଼ି ନାମକ ସ୍ଥାନରୁ ଉତ୍ପତ୍ତି ଲଭିଥିଲା ଏବଂ ଏହିଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏକ ନୂତନ ସଂଗଠନ ପକ୍ଷରୁ, ଯେଉଁଥିରେ କାହ୍ନୁ ସାନ୍ୟାଲ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା ଜମିଦାରଙ୍କଠାରୁ ନିଜର ହକ୍ ହାସଲ କରିବା। କାଳକ୍ରମେ ସେହି ଆନ୍ଦୋଳନରେ ଯେଉଁମାନେ ଯୋଗଦେଲେ, ସେମାନେ କମ୍ୟୁନିଷ୍ଟ ପାର୍ଟିର ସାହାଯ୍ୟ ନେଲେ ଓ ପାର୍ଟିର ସଭ୍ୟ ଭାବେ ଯୋଗଦେଲେ। ବିଶେଷକରି ଚାରୁ ମଜୁମ୍ଦାର ଯେ କି ଶହେଭାଗ ମାଓଙ୍କ ନୀତି ଦ୍ୱାରା ପ୍ରଭାବିତ ହୋଇଥିଲେ ସେ ସେହି ନୀତି ନକ୍ସଲ ଆନ୍ଦୋଳନ ଭିତରେ ପ୍ରସାର କରିବାକୁ ଚେଷ୍ଟା କଲେ। ଚାରୁ ମଜୁମ୍ଦାର ଓ କାହ୍ନୁ ସାନ୍ୟାଲଙ୍କ କାର୍ଯ୍ୟ ଭିତରେ କେତେକ ମୌଳିକ ପ୍ରଭେଦ ଥିଲା। ଚାରୁ ମଜୁମ୍ଦାର ଉଗ୍ରବାଦୀ ଆନ୍ଦୋଳନ ଜରିଆରେ ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ଦୃଢ଼ କରିବାକୁ ଚାହିଁଥିଲେ। ଚାଇନାର ମାଓ-ସେ-ତୁଙ୍ଗ ଚାହୁଁଥିଲେ ଗେରିଲା ଓ୍ବାର୍, ମଜୁମଦାରଙ୍କ ସେଥିରେ ଅଖଣ୍ଡ ବିଶ୍ୱାସ ଥିଲା। କିନ୍ତୁ କାହ୍ନୁ ସାନ୍ୟାଲ ବିପ୍ଳବର ସପକ୍ଷରେ ଥିଲେ। ତାଙ୍କର ଧାରଣା ଥିଲା ଯେ ଏହି ବିପ୍ଳବ ସାହାଯ୍ୟରେ ଚାଷୀମାନେ ସେମାନଙ୍କର ଅଧିକାର ହାସଲ କରିପାରିବେ- ସମାଜରେ ମଧ୍ୟ ପରିବର୍ତ୍ତନ ହେବ- କିନ୍ତୁ ଏଥିପାଇଁ ମାସ୍ ଅର୍ଗାନାଇଜେଶନ ଦରକାର। ଅପରପକ୍ଷେ ମଜୁମ୍ଦାର ଅସ୍ତ୍ରଶସ୍ତ୍ର ବ୍ୟବହାର ଓ ହତ୍ୟାକୁ ଆପତ୍ତିଜନକ ମନେକରୁ ନ ଥିଲେ।
ଚାଇନା କମ୍ୟୁନିଷ୍ଟ ପାର୍ଟିର ଚାରୁ ମଜୁମ୍ଦାରଙ୍କ ଉପରେ ଅନେକ ଆସ୍ଥା ଥିଲା। ସେ ଯାହାକୁ ଚାହୁଁଥିଲେ ତାଙ୍କୁ ଚାଇନା ଟ୍ରେନିଂ ପାଇଁ ପଠାଇ ପାରୁଥିଲେ। ଚାରୁଙ୍କ ପରାମର୍ଶରେ କାହ୍ନୁ ସାନ୍ୟାଲ ଅନ୍ୟ ତିନିଜଣ ବନ୍ଧୁଙ୍କ ସହିତ ଚାଇନା ଯାଇ ସେଠାରେ ମିଲିଟାରୀ ଟ୍ରେନିଂ ନେଇଥିଲେ। ସେଠାରେ ପ୍ରାୟ ଚାରିମାସ ରହି ସେମାନେ ଭାରତକୁ ଫେରିିଲେ। ତାଙ୍କର ନେତୃତ୍ୱ ପ୍ରତି ନକ୍ସଲମାନଙ୍କ ଅନେକ ଆସ୍ଥା ଥିଲା। ସେ ଓ ତାଙ୍କ ସାଥୀମାନେ ଗାଁଗଣ୍ଡା ବୁଲି ଜନସାଧାରଣଙ୍କ ଭିତରେ ସଚେତନତା ଆଣିବାକୁ ଚେଷ୍ଟା କରୁଥିଲେ। ପରବର୍ତ୍ତୀ କାଳରେ ନକ୍ସଲବାଦ ଜନ୍ମନେବାର ୫ ବର୍ଷ ଭିତରେ ସତୁରି ଦଶକରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଆନ୍ଧ୍ରରେ ନାଗି ରେଡ୍ଡୀ, ଡି.ଭି. ରାଓ ଏବଂ ପୁଲ୍ଲ ରେଡ୍ଡୀ, କେରଳରେ ନାଗରିମୋହନ ପଟ୍ଟନାୟକ ମାଓବାଦୀ ସଂଗଠନର ନେତୃତ୍ୱ ନେଇଥିଲେ।
ଓଡ଼ିଶାର ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଜପତି, ନୟାଗଡ଼ ଅଞ୍ଚଳରେ ମାଓବାଦୀମାନେ ଉତ୍ପାତ, ଲୁଣ୍ଠନ, ନରହତ୍ୟା, ଜଳାପୋଡ଼ା ଆଦି ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଏଥିରେ ଅନେକ ପୋଲିସ ଶହୀଦ ହୋଇଥିଲାବେଳେ ଅନେକ ମାଓବାଦୀ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଅନେକ ମାଓବାଦୀ ସରକାରଙ୍କ ପାଖେ ଆତ୍ମସମର୍ପଣ କରିଥିବାରୁ ସରକାର ସେମାନଙ୍କୁ କ୍ଷମା ଦେଇଛନ୍ତି ଏବଂ ସେମାନେ ସମାଜର ମୂଳସ୍ରୋତକୁ ଫେରିଆସିଛନ୍ତି। ସରକାର ସେମାନଙ୍କ ଜୀବିକା ନିର୍ବାହ ବ୍ୟବସ୍ଥା କରିଛନ୍ତି। ଏହା ସ୍ପଷ୍ଟ ହୋଇଯାଇଛି ଯେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଦ୍ୱାରା ଶାସନଗାଦି ଅକ୍ତିଆର କରିବାକୁ ଶତତ ଚେଷ୍ଟିତ, ଯାହା ଆଦୌ ସମ୍ଭବ ନୁହେଁ। କେବଳ ଆପୋସ ଆଲୋଚନା ମାଧ୍ୟମରେ ଗଣତାନ୍ତ୍ରିକ ନୀତିରେ ସେମାନେ ରାଜନୀତିରେ ଭାଗନେବାର ପନ୍ଥା ଖୋଲା ରହିଛି। ଦେଶରେ ସେମାନେ ଏକପ୍ରକାର ଗୃହଯୁଦ୍ଧରେ ବ୍ୟାପୃତ। କଥା ହେଉଛି, ଭାରତରେ ନକ୍ସଲ ସଙ୍ଗଠନ ଏତେ ଅର୍ଥ ଓ ଅସ୍ତ୍ରଶସ୍ତ୍ର ପାଉଛି କେଉଁଠୁ? ସେ କଥା ମଧ୍ୟ ଅଜଣା ନାହିଁ। ଗୋଇନ୍ଦା ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଯଦି ଦେଶରେ ମାଓବାଦୀ ସଂଗଠନ ହିଂସାର ଚରମ ସୀମାରେ ପହଞ୍ଚେ ଏବଂ ତାଙ୍କ ଯୋଗୁ ଗଣତନ୍ତ୍ରର ଦେଶ ଭୁଶୁଡ଼ିବାର ସମୟ ଉପସ୍ଥିତ ହୁଏ, ଦେଶରକ୍ଷା ପାଇଁ ଥିବା ସୈନ୍ୟବଳ ସେମାନଙ୍କୁ ସମ୍ପୂର୍ଣ୍ଣ ସଫା କରିବାକୁ ବେଶି ସମୟ ଲାଗିବ ନାହିଁ। ମାଓବାଦୀଙ୍କୁ ନିବେଦନ- ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ ରଖି ଶାନ୍ତିପୂର୍ଣ୍ଣ ଉପାୟରେ ସେମାନେ ସାମ୍ବିଧାନିକ ଆଇନକାନୁନ ମାଧ୍ୟମରେ ସମାଜର ମାନବବାଦୀ ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ, ସମାଜ ମଙ୍ଗଳ କାମରେ ନିଜକୁ ନିୟୋଜିତ କରନ୍ତୁ।
ରାଧାମୋହନ ମହାପାତ୍ର/
(ବୁଦ୍ଧେଶ୍ୱରୀ, ଭୁବନେଶ୍ୱର, ମୋ-୯୮୬୧୧୮୯୯୩୬)
No comments:
Post a Comment